ବସ୍‌ରେ ମହିଳାଙ୍କ ସୁରକ୍ଷା ଲାଗି ଫୋନ୍‌ ନମ୍ବର ଜାରି

ଡାଏଲ -୧୦୦, ଲ୍ୟାଣ୍ଡ ଲାଇନ ନମ୍ବର-୦୬୭୪- ୨୫୪୩୫୪୧, ମୋବାଇଲ ନମ୍ବର/ ହ୍ବାଟସ୍‌ଆପ୍ ନମ୍ବର ୯୪୩୭୫୮୧୫୭୫ରେ ଯୋଗାଯୋଗ

ଭୁବନେଶ୍ବର : ବସ୍‌ରେ ମହିଳାଙ୍କ ସୁରକ୍ଷା ଲାଗି କମିସନରେଟ ପୁଲିସ ଆଉ ଏକ ପଦକ୍ଷେପ ନେଇଛି। ଏଣିକି ବସ୍ ଭିତରେ କୌଣସି ମହିଳା, ଯୁବତୀ ଅସଦାଚରଣ କିମ୍ବା ଇଭ୍ ଟିଜିଂର ଶିକାର ହେଲେ କମିସନରେଟ୍‌ ପୁଲିସ ପକ୍ଷରୁ ପ୍ରଦାନ କରାଯାଇଥିବା ଏକ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି। ସେହି ନମ୍ବରଗୁଡ଼ିକ ହେଲା ପୁଲିସ କଣ୍ଟ୍ରୋଲ ରୁମର ଡାଏଲ -୧୦୦, ଲ୍ୟାଣ୍ଡ ଲାଇନ ନମ୍ବର-୦୬୭୪- ୨୫୪୩୫୪୧, ମୋବାଇଲ ନମ୍ବର/ ହ୍ବାଟସ୍‌ଆପ୍ ନମ୍ବର -୯୪୩୭୫୮୧୫୭୫ରେ ଯୋଗାଯୋଗ କରି ପାରିବେ। ହ୍ବାଟସ୍‌ଆପ୍ ନମ୍ବର -୯୪୩୭୫୮୧୫୭୫ରେ ଭିଡିଓ ପଠାଇବା ସହିତ ମେସେଜ ମଧ୍ୟ ଦେଇ ପାରିବେ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି। ତେବେ ଭୁବନେଶ୍ବରକୁ ଆସୁଥିବା ଓ ଭୁବନେଶ୍ବର ଛାଡୁଥିବା ସମସ୍ତ ବସରେ ଯାତ୍ରା କରୁଥିବା ମହିଳା ଓ ଯୁବତୀମାନେ କେବଳ ଏହି ନମ୍ବରରେ ଅଭିଯୋଗ ଜଣାଇ ପାରିବେ। ଏହି ନମ୍ବରଗୁଡ଼ିକୁ ମଧ୍ୟ ଖୁବ୍ ଶ୍ରୀଘ ବସ ଭିତରେ ସମସ୍ତଙ୍କ ନଜରକୁ ଆସିବା ଭଳି ସ୍ଥାନରେ ଲେଖାଯିବ ବୋଲି ସୂଚନା ମିଳିଛି।

ପ୍ରକାଶଥାଉକି ବିଭିନ୍ନ ସମୟରେ ବସରେ ଯାଉଥିବା ମହିଳା ଯାତ୍ରୀଙ୍କୁ ପୁରୁଷ ଯାତ୍ରୀମାନେ ଅସଦାଚରଣ କରୁଥିବା ଅଭିଯୋଗ ହୋଇ ଆସୁଛି। ଏପରିକି ବସର କର୍ମଚାରୀମାନେ ବି ଅଭଦ୍ର ବ୍ୟବହାର କରିବାର ଅଭିଯୋଗ ହୋଇଥାଏ । ବିଭିନ୍ନ ସମୟରେ ଏଭଳି ଅଭିଯୋଗ ହେଉଥିଲେ ମଧ୍ୟ ଅନେକ କାରଣରୁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିଲା ବା କରି ପାରୁ ନ ଥିଲା। ଏହା ଆମ ଅଞ୍ଚଳରେ ଘଟି ନାହିଁ। ସେଠାରେ ହୋଇଛି, ଯାଅ ସେଠାକାର ଥାନାରେ ଅଭିଯୋଗ କରିବ କହି ଅଭିଯୋଗକାରିଣୀମାନଙ୍କୁ ପୁଲିସ ଭୁଆଁ ବୁଲାଉଥିଲା।

କିନ୍ତୁ ଏହି ନମ୍ବର ମାଧ୍ୟମରେ ଅଭିଯୋଗକାରିଣୀମାନେ ତୁରନ୍ତ ଯୋଗାଯୋଗ କରି ଅଭିଯୋଗ କରି ପାରିବେ। ପୁଲିସ ମଧ୍ୟ ଅଭିଯୋଗକୁ ଗ୍ରହଣ କରି ତ୍ବରିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଆବଶ୍ୟକ ସ୍ଥଳରେ ପୁଲିସ ପୀଡ଼ିତାମାନଙ୍କୁ ଉଦ୍ଧାର ମଧ୍ୟ କରି ପାରିବ। ଏହା‌ ଛଡ଼ା ଅନେକ ସମୟରେ ପୁରୁଷମାନେ ମଧ୍ୟ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସିଟରେ ବସି ଯାଉଥିଲେ। କୌଣସି ମହିଳା ଏ ନେଇ ପ୍ରତିବାଦ କଲେ ସେମାନେ ଖରାପ ବ୍ୟବହାରର ଶିକାର ହେଉଥିଲେ। ଏଣିକି କୌଣସି ପୁରୁଷ ଯାତ୍ରୀ ମହିଳାଙ୍କ ଉଦ୍ଦେଶ୍ୟରେ ଥିବା ସିଟରେ ବସି ପାରିବେ ବୋଲି ନିୟମ ହୋଇଛି। ଏ ସବୁକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ଏହି ନମ୍ବର ଜାରି କରିଥିବା ସୂଚନା ମିଳିଛି। ପ୍ରଥମେ ପଦକ୍ଷେପ ସ୍ବରପ ଭୁବନେଶ୍ବରରୁ ପୁରୀ ଓ କଟକ ଯାଉଥିବା ବସଗୁଡିକରେ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଏଥିରେ ସଫଳତା ହେ‌ଲେ ରାଜ୍ୟବ୍ୟାପୀ ସମସ୍ତ ବସରେ ଏହି ନିୟମ ଲାଗୁ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର