ସହିଦ ନଗର ଅଞ୍ଚଳରୁ ମହିଳାଙ୍କୁ ଅପହରଣ ଉଦ୍ୟମ କରି ଜଣେ କନଷ୍ଟେବଳଙ୍କ ସମେତ ୩ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ସହିଦ ନଗର ଅଞ୍ଚଳରୁ ମହିଳାଙ୍କୁ ଅପହରଣ ଉଦ୍ୟମ କରିଥିବା ଅଭିଯୋଗରେ ୩ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଓଡ଼ିଶା ଆର୍ମଡ ପୁଲିସ୍‌ ଫୋର୍ସର ଜଣେ କନଷ୍ଟେବଳ ଥିବା ବି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସହିଦ ନଗର ଅଞ୍ଚଳର ଜଣେ ମହିଳା ଗତକାଲି ରାତିରେ ସ୍ୱାମୀଙ୍କ ସହିତ ଝଗଡ଼ା କରି ଚାଲିଚାଲି  ପୁଲିସ ଷ୍ଟେସନରେ ଅଭିଯୋଗ କରିବାକୁ ଯାଉଥିଲେ। ଏହି ସମୟରେ ସେହି ବାଟ ଦେଇ ଅଟୋରେ ଯାଉଥିବା ତିନିଜଣ ଯୁବକ ମହିଳାଙ୍କୁ କ’ଣ ଅସୁବିଧା ହୋଇଛି ପଚାରି ବୁଝିବା ପରେ ତାଙ୍କୁ ଅଟୋରେ ବସାଇ ପୁଲିସ ଷ୍ଟେସନ୍‌ ନେଇ ଯିବାକୁ କହିଥିଲେ। ଏହାପରେ ମହିଳା ଜଣକ ଅଟୋରେ ବସି ଯାଇଥିଲେ।

ଅଟୋରେ ବସିଥିବା ଥିବା ତିନିଜଣ ଯୁବକ (ଅଟୋ ଚାଳକ, ଜଣେ ଯୁବକ ଓ ଓଡ଼ିଶା ଆର୍ମଡ ପୁଲିସ୍‌ ଫୋର୍ସର ଜଣେ କନଷ୍ଟେବଳ)ମହିଳାଙ୍କୁ ପୁଲିସ ଷ୍ଟେସନ୍‌ ନେବା ପରିବର୍ତ୍ତେ ଅନ୍ୟ ରାସ୍ତାରେ ନେଇ ଯାଉଥିବା ଦେଖି ମହିଳା ଜଣକ ପାଟି କରି ଶାନ୍ତିପଲ୍ଲି ବସ୍ତି ନିକଟରେ ଅଟୋରୁ ଡେଇଁ ପଡ଼ିଥିଲେ ।

ମହିଳା ଅଟୋରୁ ଡେଇଁପଡ଼ିବା ଦେଖି ସ୍ଥାନୀୟଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସି ଅପହରଣ କରି ନେଉଥିବା ୩ଜଣ ଯୁବକଙ୍କୁ କାବୁ କରି ସଦିଦ ନଗର ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତିନିଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଓଡ଼ିଶା ଆର୍ମଡ ପୁଲିସର ଫୋର୍ସର ଜଣେ କନେଷ୍ଟବଳ ଥିବା ଜଣାଯିବା ପରେ ଅଧିକ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର