ମହିଳା ଆଇନଜୀବୀଙ୍କ ମୃତ୍ୟୁ ଘଟଣା: ସ୍ପେସାଲ ସ୍କ୍ବାଡ୍‌ ନେଲା ତଦନ୍ତ ଭାର

ଆଜି ପୁଲିସ ଡିଜି ଓ କମିସନରଙ୍କୁ ଭେଟିବ ଓକିଲ ସଂଘ

ଭୁବନେଶ୍ବର/ଧଉଳି/ପୁରୁଣା ଭୁବନେଶ୍ବର: ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶନୀଙ୍କ ମୃତ୍ୟୁ ଘଟଣାକୁ ଏହା ମଧ୍ୟରେ ୩୬ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ପୁଲିସ ଏ ପର୍ଯ୍ୟନ୍ତ ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବାରେ ସଫଳ ହୋଇପାରିନି। କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା, ସେ ଆତ୍ମହତ୍ୟା କଲେ ନା ତାଙ୍କୁ କେହି ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫ୍ୟାନରେ ଝୁଲାଇ ଦେଇଥିଲା ତାହା ଏବେ ବି ରହସ୍ୟ ଘେରରେ ରହିଛି। ଏଭଳି ପରିସ୍ଥିତିରେ ଆଜି ସ୍ପେସାଲ ସ୍କ୍ବାଡକୁ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି ଡିସିପି ଅନୁପ ସାହୁ। ଘଟଣା ପର ଠାରୁ ଦୀପାଳିଙ୍କ ପୁରୁଷବନ୍ଧୁ ବିକ୍ରମ କେଶରୀ ମିଶ୍ର ଫେରାର ଥିବାରୁ ତଦନ୍ତକାରୀ ପୁଲିସ ଦ୍ବନ୍ଦ୍ବରେ ପଡ଼ିଛି। ଦୀପାଳିଙ୍କ ମୃତ୍ୟୁ ସଂପର୍କରେ ସେ ତାଙ୍କ ସାନଭଉଣୀ ଶେଫାଳିଙ୍କୁ ଫୋନ କରି ଜଣାଇଥିଲେ ହେଁ ଘଟଣାସ୍ଥଳରୁ କାହିଁକି ଫେରାର ହୋଇଗଲେ ସେ ନେଇ ଏବେ ପ୍ରଶ୍ନ ଉଠିଛି। ଘଟଣାଦିନ ସେ ଦୀପାଳିଙ୍କ ସହିତ ଥିଲେ। ତାଙ୍କ ସହିତ ପୁଣି ବିକ୍ରମଙ୍କର ବିବାହ ସ୍ଥିର ହୋଇସାରିଥିଲା। ତେଣୁ ତଦନ୍ତରେ ସେ ପୁଲିସକୁ ସହଯୋଗ କରିବା ପରିବର୍ତ୍ତେ କାହିଁକି ଫେରାର ହେଲେ ସେ ନେଇ ପୁଲିସର ସନ୍ଦେହ ତାଙ୍କ ଉପରେ ବଢ଼ି ଯାଇଛି।

ଦୀପାଳିଙ୍କ ସହିତ ବିକ୍ରମ ଥିଲେ ମଧ୍ୟ ସେହି ରାତିରେ କ’ଣ ଘଟିଥିଲା ତାହା ଜଣାପଡ଼ିଲେ ରହସ୍ୟ ପଦାକୁ ଆସିପାରେ ବୋଲି ଅନୁମାନ କରାଯାଉଛି। ସେହି ରାତିରେ ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ କଥା କଟାକଟି ବା ପାଟିତୁଣ୍ଡ ହୋଇ ଥିଲା କି? କ’ଣ ଏମିତି ଦୁହିଁଙ୍କ ମଧ୍ୟରେ ମନାନ୍ତର ଘଟିଲା ଯେ, ଦୀପାଳି ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ନେଲେ। ଏପରି ଅନେକ ପ୍ରଶ୍ନ ବିଭିନ୍ନ ମହଲରେ ଉଙ୍କି ମାରୁଛି। ବିକ୍ରମ ରାତି ପ୍ରାୟ ୧୨ଟାବେଳେ ଫୋନ କରି ଦୀପାଳିଙ୍କ ଭଉଣୀ ଶେଫାଳିଙ୍କୁ କହିଥିଲେ କି, ତୁମ ଭଉଣୀ କବାଟ ଖୋଲୁ ନାହାନ୍ତି, ତୁମେ ଆସ। ବିକ୍ରମ ସେତେବେଳେ ଦୀପାଳିଙ୍କ ଘରକୁ ଆସି ଥିଲେ ନା, ସଂଧ୍ୟାରେ ଆସିଥିଲେ। ଯଦି ସଂଧ୍ୟାରେ ଆସିଥିଲେ, ପୁଣି ଥରେ ରାତି ୧୨ଟାବେଳେ କାହିଁକି ଆସିଥିଲେ। ଘର ଭିତରୁ ପୁଲିସ ଏକ ମଦ ବୋତଲ ଓ ପୋଡ଼ା ସିଗ‌ାରେଟ ଜବତ କରିଥିଲା। ସେହି ମଦ କିଏ ପିଇଥାନ୍ତା, କାହା ପାଇଁ ଥିଲା? ଦୀପାଳିଙ୍କ ମୃତଦେହ ଫ୍ୟାନରେ ଝୁଲିଥିବା ବେଳେ ସେ କେବଳ ଅନ୍ତଃବସ୍ତ୍ରରେ ଥିଲେ। କେଉଁ ପରିସ୍ଥିତିରେ ଦୀପାଳି ଏଭଳି ଅବସ୍ଥାରେ ଥିଲେ ତାହା ମଧ୍ୟ ସନ୍ଦେହ ଘେରରେ ରହିଛି। ଏହି ସବୁ ଘଟଣାରୁ ସନ୍ଦେହ ହେଉଛି କି, ତାଙ୍କୁ କେହି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବାକୁ ଫ୍ୟାନରେ ଝୁଲାଇ ଆତ୍ମହତ୍ୟାର ରୂପ ଦେଉ ନାହିଁ ତ।

ଏଭଳି ସ୍ଥିତିରେ ବିକ୍ରମଙ୍କୁ ମଧ୍ୟ ପୁଲିସ ପ୍ରତ୍ୟକ୍ଷଦର୍ଶୀ ଭାବେ ତଦନ୍ତ ପରିସରଭୁକ୍ତ କରି ମୃତ୍ୟୁର କାରଣ ଖୋଜିବା ପାଇଁ ଚେଷ୍ଟା ଚଳାଇଛି। ବିକ୍ରମଙ୍କ ସହ ଦୀପାଳିଙ୍କର ପରିଚୟ କିପରି ହୋଇଥିଲା। ତା’ର ମଧ୍ୟ ଅନୁସନ୍ଧାନ ଚଳାଇଛି ପୁଲିସ। ବିକ୍ରମଙ୍କ ଘର ବାଲେଶ୍ବରରେ। ସେ ଜଣେ ବ୍ୟବସାୟୀ। ମାସର ପ୍ରତ୍ୟେକ ଶନିବାର ସେ ଭୁବନେଶ୍ବର ଆସି ଦୀପାଳିଙ୍କୁ ଭେଟିଥାନ୍ତି। ଘଟଣା ରାତିରେ ବିକ୍ରମଙ୍କ ସହିତ ଆଉ କେହି ଆସିଥିଲେ କି ତାହା ମଧ୍ୟ ଏବେ ଜଣାପଡ଼ିନାହିଁ। ଏଥିପାଇଁ ପୁଲିସ ଗତକାଲି ଜବତ କରିଥିବା ଦୁଇଟି ମୋବାଇଲ ଫୋନର କଲ୍‌ ଡିଟେଲ୍‌ସ ଆଜି ହସ୍ତଗତ ହୋଇଛି। ପୁଲିସ ସେହି ଆଧାରରେ ଆଜି ବିକ୍ରମକୁ ଖୋଜିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି। କଲ୍‌ ଡିଟେଲ୍‌ସ ରି‌ପୋର୍ଟରୁ ପୁଲିସକୁ କିଛି ସୁରାକ ମିଳିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ମୃତ୍ୟୁର କାରଣ ଜାଣିବା ପାଇଁ ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ବି ଅପେକ୍ଷା କରିଛି। ଏ ସମ୍ପର୍କରେ ଧଉଳି ଥାନା ଇନ୍ସପେକ୍ଟର ଜୟଦେବ ବିଶ୍ବଜିତ କହିଛନ୍ତି, ଦୀପାଳିଙ୍କ ପରିବାର ଲୋକଙ୍କୁ ଆଜି ସଂଧ୍ୟାରେ ପୁଲିସ ପଚରା ଉଚରା କରିଛି। ସେମାନେ କିନ୍ତୁ ବିକ୍ରମଙ୍କ ବିରୋଧରେ କୌଣସି ଅଭିଯୋଗ ଆଣୁ ନାହାନ୍ତି। କିନ୍ତୁ କାହିଁକି ବିକ୍ରମ ଫେରାର ହେଲେ ସେନେଇ କୌଣସି ସୂଚନା ମଧ୍ୟ ପୁଲିସକୁ ଦେଇ ପାରୁନାହାନ୍ତି। ତେଣୁ ବିକ୍ରମ ଧରା ପଡ଼ିବା ପରେ ଦୀପାଳି ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇ ପାରିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଭୁବନେଶ୍ବର ଓକିଲ ସଂଘ ନିଜ ପ୍ରତିକ୍ରିୟା ରଖିଛି। ସଂଘ ଉପସଭାପତି ଶୀଳଭଦ୍ର ଶାସ୍ତ୍ରୀ କହିଛନ୍ତି, ପୁଲିସ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁ। ଯିଏ ବି ଦୋଷୀ ତା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ଏଥିପାଇଁ ମଙ୍ଗଳବାର ଓକିଲ ସଂଘ ପୁଲିସ ଡିଜି ଓ ପୁଲିସ କମିସନରଙ୍କୁ ଭେଟି ଏକ ଦାବିପତ୍ର ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର