ଭୁବନେଶ୍ବର: ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ଜେନା ମୃତ୍ୟୁ ଘଟଣାରେ ଫେରାର୍ ଥିବା ତାଙ୍କ ପୁରୁଷ ବନ୍ଧୁ ବିକ୍ରମ ମିଶ୍ର ଆଜି ଖୋର୍ଧା ସେସନ୍ସ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ତେବେ କୋର୍ଟରେ ତାଙ୍କ ଜାମିନ୍ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ୧୪ଦିନ ପାଇଁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତାଙ୍କ ଜାମିନ୍ ଆବେଦନର ଶୁଣାଣି ହାଇକୋର୍ଟରେ ହେବ। ତେବେ ଆଜି ବିକ୍ରମ କୋର୍ଟରେ ଆତ୍ମସମର୍ପଣ କରିବାକୁ ଆସିଥିବା ବେଳେ ସେ ରୋଷର ଶିକାର ହୋଇଥିଲେ। ତାଙ୍କୁ କୋର୍ଟ ପରିସରରେ ଆକ୍ରମଣ ହୋଇଥିଲା। କଡ଼ା ସୁରକ୍ଷାବଳୟ ମଧ୍ୟରେ ପୁଲିସ ତାଙ୍କୁ ନେଇ କୋର୍ଟରେ ହାଜର କରାଇଥିଲା। ଅନ୍ୟପକ୍ଷରେ ଘଟଣାର ଅଧିକ ଖୋଳତାଡ଼ କରିବାକୁ ଧଉଳି ଥାନା ପୁଲିସ ବିକ୍ରମଙ୍କୁ ଦୁଇ ଦିନ ଲାଗି ରିମାଣ୍ଡରେ ନେବାକୁ ସ୍ଥିର କରିଛି। ଆସନ୍ତାକାଲି ଏନେଇ ଭୁବନେଶ୍ବର କୋର୍ଟରେ କମିସନରେଟ ପୁଲିସ ଆବେଦନ କରିବ। ରିମାଣ୍ଡ ବେଳେ ତାଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରାଯିବ ବୋଲି ଧଉଳି ଥାନା ଇନ୍ସପେକ୍ଟର ଜୟଦେବ ବିଶ୍ବଜିତ ସୂଚନା ଦେଇଛନ୍ତି।
ପ୍ରକାଶଥାଉକି, ଗତ ବର୍ଷ ଅକ୍ଟୋବର ୨୦ ତାରିଖରେ ଧଉଳି ଥାନା ଅଧୀନ ଲିଙ୍ଗିପୁର ଅଞ୍ଚଳରେ ଥିବା ଭଡ଼ା ଘରୁ ଦୀପାଳିଙ୍କ ଝୁଲନ୍ତା ମୃତଦେହ ଠାବ କରିଥିଲା ପୁଲିସ। ତାଙ୍କ ନାକ ଓ ପାଟିରୁ ରକ୍ତ ପଦାକୁ ବାହାରି ଆସିଥିଲା। ଦେହରେ କେବଳ ଅନ୍ତଃବସ୍ତ୍ର ଥିଲା। ଖଟରେ ଦୁଇଟି ମୋବାଇଲ, ଘର ନିକଟରେ ମଦ ବୋତଲ, ପୋଡ଼ା ସିଗାରେଟ୍ ପଡ଼ିଥିଲା। ମୃତଦେହ ଝୁଲନ୍ତା ଅବସ୍ଥାରେ ଥିଲେ ମଧ୍ୟ ପାଦ ଦୁଇଟି ଏକଦମ୍ ତଳେ ଲାଗିଥିଲା। ଘଟଣାସ୍ଥଳରୁ ତାଙ୍କ ପୁରୁଷ ବନ୍ଧୁ ବିକ୍ରମ ଗାଏବ ହୋଇ ଯାଇଥିଲେ। ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ଯେ ଦୀପାଳିଙ୍କର ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଧୀନ ବାଲୁଖଣ୍ଡ ଗ୍ରାମର ବିକ୍ରମ କେଶରୀ ମିଶ୍ରଙ୍କ ସହ ବିବାହ ସ୍ଥିର ହୋଇସାରିଥିଲା। ବିଭିନ୍ନ ସମୟରେ ବିକ୍ରମ ତାଙ୍କ ଘରକୁ ଯିବା ଆସିବା କରିଥାନ୍ତି। ଘଟଣାର କିଛି ଦିନ ପୂର୍ବରୁ ଦୀପାଳିଙ୍କ ମା’ ଗାଁକୁ ଚାଲି ଯାଇଥିଲେ। ସେହିଦିନ ସଂଧ୍ୟାରେ ସାନ ଭଉଣୀ ଶେଫାଳି ବି ତାଙ୍କ ସାଙ୍ଗ ସହ ଯାଇ ଆଉ ରୁମ୍କୁ ଫେରି ନ ଥିଲେ। ରାତି ପ୍ରାୟ ସାଢ଼େ ୧୨ଟାରେ ବିକ୍ରମ ଶେଫାଳିଙ୍କୁ ଫୋନ୍ କରି କହିଥିଲେ, ତୁମ ଭଉଣୀ ଭିତର ପଟୁ କବାଟ ଦେଇ ଦେଇଛି। ଯେତେ ଡାକିଲେ ମଧ୍ୟ ଶୁଣୁନାହିଁ। ଏହା ପରେ ଶେଫାଳି ନିଜ ସାଙ୍ଗ ସାଥୀମାନଙ୍କ ସହ ଇନ୍ଦିରା କଲୋନି ଘରେ ପହଞ୍ଚିଥିବା ସହ ପୁଲିସକୁ ମଧ୍ୟ ଖବର ଦେଇଥିଲେ। ପୁଲିସ କବାଟ ଭାଙ୍ଗି ଦୀପାଳିଙ୍କ ଝୁଲନ୍ତା ମୃତଦେହକୁ ଜବତ କରିଥିଲା। କିନ୍ତୁ ବିକ୍ରମଙ୍କର ଆଉ ଦେଖା ନ ଥିଲା। ତାଙ୍କ ମୋବାଇଲ ଫୋନ ମଧ୍ୟ ବନ୍ଦ ଥିବା ଦେଖାଇଥିଲା। ତେଣୁ ପୁଲିସ ପହଞ୍ଚିବା ପୂର୍ବରୁ ବିକ୍ରମ ଘଟଣାସ୍ଥଳରୁ ଫେରାର ହୋଇଯିବା ଘଟଣା ପୁଲିସକୁ ଦ୍ବନ୍ଦ୍ବରେ ପକାଇଥିଲା। ଏଭଳି ସ୍ଥିତିରେ ବିକ୍ରମକୁ ଧରିବା ପାଇଁ ପୁଲିସ ବହୁ ଚେଷ୍ଟା ଚଳାଇଥିଲା। କିନ୍ତୁ ପୁଲିସ ଦୀପାଳିଙ୍କ ପତ୍ତା ପାଇ ନ ଥିଲା। ଓଲଟି ସେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବଦେନ କରିଥିଲେ। ହାଇକୋର୍ଟ ତାଙ୍କ ପିଟିସନ୍ର ଶୁଣାଣି କରି ଚଳିତ ମାସ ୨୮ ତାରିଖ ସୁଦ୍ଧା ତଳ କୋର୍ଟରେ ହାଜର ହୋଇ ଜାମିନ ନେବାକୁ ନିର୍ଦେଶ ଦେଇଥିଲେ।
ଆଜି ସକାଳ ଠିକ୍ ୧୧ଟାବେଳେ ବିକ୍ରମ ତାଙ୍କ ଆଇନଜୀବୀ ଓ ସମ୍ପର୍କୀୟମାନଙ୍କ ସହିତ କୋର୍ଟରେ ପହଞ୍ଚିଥିଲେ। ତେବେ ବିକ୍ରମ କୋର୍ଟରେ ଆତ୍ମସମର୍ପଣ ଖବର ଥିବାରୁ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। କିନ୍ତୁ ବିକ୍ରମ ଏଥିରୁ ନିସ୍ତାର ପାଇ ନ ଥିଲେ। ମୃତ ଦୀପାଳି ଜଣେ ଆଇନଜୀବୀ ହୋଇଥିବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଭିଡ ଭିତରେ ମଧ୍ୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ପୁଲିସ କିନ୍ତୁ ତାଙ୍କୁ ସୁରକ୍ଷାର ସହିତ କୋର୍ଟ ଭିତରକୁ ନେଇ ଯାଇଥିଲା। ପରେ ମାନ୍ୟବର ବିଚାରପତି ବିକ୍ରମଙ୍କ ଜାମିନ ଆବେଦନର ଶୁଣାଣି କରି ଖାରଜ କରି ଦେଇଥିବା ଜଣାପଡ଼ିଛି। ଏହା ପରେ ବିକ୍ରମ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିବେ। ଏବେ ସେ ଦୁଇ ସପ୍ତାହ ପାଇଁ ଝାରପଡ଼ା ଜେଲରେ ରହିବେ। ତେବେ ଏହି ସମୟ ମଧ୍ୟରେ ଧଉଳି ଥାନା ପୁଲିସ ବିକ୍ରମଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିବ ବୋଲି ସୂଚନା ମିଳିଛି। ଆସନ୍ତାକାଲି ଏ ନେଇ କୋର୍ଟରେ ଆବେଦନ ହେବ। ଧଉଳି ଥାନା ଇନ୍ସପେକ୍ଟର ଜୟଦେବ ବିଶ୍ବଜିତ କହିଛନ୍ତି, ସେ ଦିନ କ’ଣ ଘଟିଥିଲା ? କ’ଣ ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ ଦୀପାଳି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ? ଏସବୁର ଉତ୍ତର ବିକ୍ରମଙ୍କଠାରୁ ପୁଲିସ ଆଦାୟ କରିବ। କାରଣ ଘଟଣା ରାତିରେ ସେହି ଘରେ ବିକ୍ରମ ଓ ଦୀପାଳି ହିଁ ଥିଲେ। ଦୀପାଳି ଏବେ ନାହାନ୍ତି, ତେଣୁ ବିକ୍ରମ ହିଁ କହି ପାରିବ ଘଟଣା କ’ଣ ଥିଲା।