ରାଜରାସ୍ତାରେ ଏଚ୍‌ଆଇଭି ଆକ୍ରାନ୍ତ ମହିଳା: ପର କରିଦେଲେ ବାପଘର, ଶାଶୂଘର

ବାଲିପାଟଣା, ୧୦।୬ (ଇମିସ): ସାତ ଜନମ ପାଇଁ ଅଗ୍ନିକୁ ସାକ୍ଷୀ ରଖି ହାତ ଧରିଥିବା ସ୍ବାମୀ ପର କରିଦେଲା। ବଢ଼େଇ କୁଢ଼େଇ ମଣିଷ କରିଥିବା ବାପା ସାମାଜିକ କଟକଣାକୁ ଡରି ପାଖ ମାଡ଼ିବାକୁ ଦେଲା ନାହିଁ। ଶେଷରେ ଦଶମାସ ଗର୍ଭରେ ଧରି ଅନ୍ତ ଫାଡ଼ି ଜନମ ‌ଦେଇଥିବା ମା’ ବି କୋଳେଇ ନେବାକୁ ଅମଙ୍ଗ ହେଲା। ଦୋଷ କେବଳ ଏତିକି ଯେ ମହିଳାଜଣକ ଏଚ୍‌ଆଇଭି ଆକ୍ରାନ୍ତ। ବର୍ଷେ ହେଲା ରାଜରାସ୍ତାରେ ବାରଦୁଆର ହେଉଥିବା ଏହି ମହିଳା ଗତକାଲି ବାଲିପାଟଣା ଥାନା ପୁଲିସ ଦ୍ବାରା ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ମହିଳାଜଣଙ୍କ ଥାନା ଦୁଆରେ ଆଶ୍ରୟ ନେଇଥିବା ବେଳେ ପୁଲିସ ତାଙ୍କ ଥଇଥାନ ପାଇଁ ଉଦ୍ୟମ ଚଳାଇଛି।

୨୬ ବର୍ଷୀୟା ଏହି ମହିଳାଜଣକ ହେଲେ ବାଲିପାଟଣା ଦେଉଳିଧରପୁର ଅଞ୍ଚଳର ସାବିତ୍ରୀ(ଛଦ୍ମନାମ)। ୨୦୧୩ ମସିହାରେ ବସନ୍ତମାଳ ଓରିସୋ ଅଞ୍ଚଳର ଜଣେ ଅଟୋ ଚାଳକଙ୍କୁ ସେ ବିବାହ କରିଥିଲେ। ପ୍ରଥମ ଗର୍ଭଧାରଣ କରି ନିମାପଡ଼ାସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପରୀକ୍ଷାରୁ ସେ ଏଚ୍‌ଆଇଭି ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ତେବେ ସ୍ବାମୀ ଘରେ କାହାକୁ ଏକଥା ଜଣାଇ ନଥିଲେ। କିନ୍ତୁ ଗର୍ଭ ନଷ୍ଟ କରାଇଥିଲେ। ଏଡ୍‌ସ ଆକ୍ରାନ୍ତ ହେଲେ ବି ସ୍ତ୍ରୀକୁ ପର କରିବେନି ବୋଲି ସ୍ବାମୀ କଥା ଦେଇଥିଲେ। ମାତ୍ର ବେଶି ଦିନ କଥା ଛପି ରହିଲା ନାହିଁ। ସାବିତ୍ରୀ ଏଡ୍‌ସ ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ତାଙ୍କ ଉପରେ ଶାଶୂଘର ଲୋକଙ୍କ ଅତ୍ୟାଚାର ଆରମ୍ଭ ହୋଇଯାଇଥିଲା। ଶେଷରେ ସବୁ ଦିନ ସାଥୀ‌ରେ ରଖିବାକୁ କଥା ଦେଇଥିବା ସ୍ବାମୀ ବି ବାଧ୍ୟ ହୋଇଥିଲେ ଦୂରେଇ ରହିବାକୁ। ସ୍ବାଭାବିକ ଭାବେ ବାପଘର ଉପରେ ସାବିତ୍ରୀଙ୍କ ଭରସା ଥିଲା। ମାତ୍ର ଗାଁ ମାଟି ନ ମାଡ଼ିବାକୁ ରୋକ୍‌ଠୋକ୍ ମନା କରିଦେଲେ ଜନ୍ମ କଲା ବାପା ମା’। ବାପଘର ଓ ଶାଶୂଘର ପର କରିଦେବା ପରେ ସାବିତ୍ରୀଙ୍କୁ ଚତୁର୍ଦିଗ ଅନ୍ଧକାର ଦେଖାଯାଇଥିଲା। କିନ୍ତୁ ସେ ବଞ୍ଚିବାକୁ ସଂଘର୍ଷ କରି ଭୁବନେଶ୍ବର ଚାଲି ଯାଇଥିଲେ। କ୍ୟାପିଟାଲ ହସ୍ପିଟାଲରୁ ମାଗଣାରେ ମିଳୁଥିବା ଔଷଧ ଖାଇବା ସହ ମଞ୍ଚେଶ୍ବର ଅଞ୍ଚଳରେ କାମ କରି ପେଟ ପୋଷୁଥିଲେ।

କିନ୍ତୁ ଏବେ ତାଲାବନ୍ଦ ଦାଉ ସାଧିଛି। କାମ ବନ୍ଦ ହୋଇଯାଇଥିବାରୁ ମା’କୁ କିଛି ସାହାଯ୍ୟ ମାଗିଥିଲେ। ଗତକାଲି ତାଙ୍କ ଜନ୍ମଦିନ ଥିଲା। ତେଣୁ ଝିଅକୁ ଦେଖିବା ସହ କିଛି ସହଯୋଗ କରିବା ପାଇଁ ମା’ ତାଙ୍କୁ ବନମାଳିପୁର ବଜାରକୁ ଡାକିଥିଲେ। ମା’ ଝିଅ ଭେଟ ହେଲେ ଓ କଥାବାର୍ତ୍ତା ହଲେ ସତ, କିନ୍ତୁ ପାଖରେ ଆଶ୍ରୟ ଦେବାକୁ ମା’ ରାଜି ହୋଇପାରିଲେ ନାହିଁ। ସନ୍ଧ୍ୟା ହୋଇଯାଇଥିବାରୁ ଓ ଲକ୍‌ଡାଉନ୍‌ କାରଣରୁ କୌଣସି ଗାଡ଼ିମଟର ନପାଇ ସେ ଅନ୍ଧାର ଓ ନିଛାଟିଆ ହଂସପାଳ ନିମାପଡ଼ା କେନାଲ ବନ୍ଧ ରାସ୍ତାରେ ଏକୁଟିଆ ଭୁବନେଶ୍ବର ଅଭିମୁଖେ ଚାଲିବାକୁ ଲାଗିଲେ। ତେବେ କିଛି ସ୍ଥାନୀୟ ଯୁବକ ଆଶଙ୍କା କରି ବାଲିପାଟଣା ଥାନା ପୁଲିସକୁ ଖବର ଦେଇଥିଲେ ଓ ପୁଲିସ ଆସି ତାଙ୍କୁ ଉଦ୍ଧାର କରିଥିଲା। ଆଜି ଏ ସମ୍ପର୍କରେ ଖବର ପାଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତାଙ୍କୁ କୌଣସି ସ୍ବଧାର ଗୃହରେ ଥଇଥାନ କରିବାକୁ ଯୋଜନା କରିଛି। ଆସନ୍ତାକାଲି ‌କୋଭିଡ୍‌ ପରୀକ୍ଷା କରାଯିବା ପରେ ତାଙ୍କୁ କୌଣସି ସୁଧାର ଗୃହକୁ ନିଆଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର