ତଣ୍ଟି କାଟି ମହିଳାଙ୍କୁ ହତ୍ୟା ଘଟଣା: ସମ୍ବଲପୁରରୁ ଠିକାଦାର ଗିରଫ

ଟାଙ୍ଗିଆ, ଧାରୁଆ ଅସ୍ତ୍ର ଓ ୨ ମୋବାଇଲ୍‌ ଜବତ

ଭୁବନେଶ୍ୱର: କାଳୀବାଡ଼ି ବସ୍ତିରେ ମହିଳା ସୀତା ବେହେରା ଓରଫ ସୀତାଙ୍କୁ ଗଳା କାଟି ହତ୍ୟା କରିବା ଘଟଣାରେ କ୍ୟାପିଟାଲ ଥାନା ପୁଲିସ ସୋମବାର ରାତିରେ ଅଭିଯୁକ୍ତ ଠିକାଦାର ଶୁକଦେବ କେଭାଟ(୪୦)କୁ ସମ୍ବଲପୁରରୁ ଗିରଫ କରିଛି। ହତ୍ୟା ପରେ ଶୁକଦେବ ସମ୍ବଲପୁର ଫେରାର୍‌ ହୋଇଯାଇଥିବା ଓ ସେଠାରୁ ବିହାର ପଳାଇବାକୁ ଯୋଜନା କରୁଥିବା ପୁଲିସ ତା’ ଫୋନ୍‌ ଟ୍ରାକିଂ କରି ଜାଣିବାକୁ ପାଇଥିଲା। ତେଣୁ ସମ୍ବଲପୁର ସ୍ପେସାଲ ସ୍କ୍ଵାଡ୍‌ ସହଯୋଗରେ ସୋମବାର ବିଳମ୍ବିତ ରାତିରେ ତାକୁ ସେଠାରୁ ଗିରଫ କରିଛି। ତା’ ଘର ମଧ୍ୟପ୍ରଦେଶ କେନ୍ଦୁଖେଡ଼ ଅଞ୍ଚଳରେ। ପୁଲିସ ତା’ଠାରୁ ହତ୍ୟାରେ ବ୍ୟବହୃତ ଗୋଟିଏ ଟାଙ୍ଗିଆ, ଧାରୁଆ ଅସ୍ତ୍ର ଓ ୨ଟି ମୋବାଇଲ୍‌ ଜବତ କରିଛି। କ୍ୟାପିଟାଲ ଥାନା ପୁଲିସ ଆଜି ତାକୁ ଭୁବନେଶ୍ୱର ଆଣି ପଚରାଉଚରା କରିବା ପରେ କୋର୍ଟଚାଲାଣ କରିଛି। ପୁଲିସ ସୂଚନା ମୁତାବକ, ଦୀର୍ଘ ଦିନ ହେବ ଶୁକଦେବ ଓଡ଼ିଶା ଆସି ଖୋର୍ଧା ଓ ପୁରୀରେ ଠିକାଦାରୀ କରୁଥିଲା। ବିଭିନ୍ନ ସମୟରେ କାମ ଓ ପାରିଶ୍ରମିକକୁ ନେଇ ଶ୍ରମିକଙ୍କ ସହ ତାର ପାଟିୁତୁଣ୍ଡ ହେଉଥିଲା। ବାରମ୍ବାର ଏପରି ହେବାରୁ କିଛି ମାସ ତଳୁ ସେ ଭୁବନେଶ୍ୱର ଚାଲି ଆସିଥିଲା। ଏଠାରେ କାମ ପାଇଁ ଶୁକଦେବ ସୀତା ବେହେରା ଓ ଅନ୍ୟ ମହିଳାମାନଙ୍କୁ ନେଇ ଏକ ଟିମ୍‌ କରିଥିଲା। ସେ ମହିଳାମାନଙ୍କୁ ବିଭିନ୍ନ କାମରେ ନିୟୋଜିତ କରୁଥିଲେ ହେଁ ଠିକ୍‌ ଭାବେ ପାରିଶ୍ରମିକ ଦେଉ ନଥିଲା। ତେଣୁ ଅଧିକାଂଶ ସମୟ ଶ୍ରମିକଙ୍କ ସହ ତାର ପାଟିତୁଣ୍ଡ ହେଉଥିଲା। ତେଣୁ ନିଜକୁ ଶ୍ରମିକଙ୍କଠାରୁ ଲୁଚାଇବା ପାଇଁ ସେ ବାରମ୍ବାର ସ୍ଥାନ ବଦଳାଉ ଥିଲା। ୧୫ଦିନ ତଳେ ସେ କାଳୀବାଡ଼ି ବସ୍ତିରେ ଏକ ଘର ଭଡ଼ା ନେଇ ରହିଥିଲା। ମହିଳାମାନେ ଶୁକଦେବର ଠିକଣା ପାଇବା ପରେ ସେଠାକୁ ଆସି ଟଙ୍କା ମାଗୁଥିଲେ। ରବିବାର ସକାଳେ ଶୁକଦେବ ପାଖକୁ ଆସି ସୀତା ବାକି ଟଙ୍କା ମାଗିବାରୁ ସେ ତାକୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲା। ସୀତା ପ୍ରତିବାଦ କରିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳାକୁ କାଟି ଦେଇଥିଲା। ଏହାପରେ ଘର ବାହାର ପଟୁ ବନ୍ଦ କରି ଫେରାର୍‌ ହୋଇଯାଇଥିଲା। ଏନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା। ଆଖପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍‌ ଓ ମୋବାଇଲ୍‌ ନମ୍ବର ଟ୍ରାକିଂ କରି ତାର ଗତିବିଧି ଉପରେ ପୁଲିସ ନଜର ରଖିଥିଲା। ପଚରାଉଚରା ବେଳେ ଶକୁଦେବ ପୁଲିସକୁ କହିଛି ଯେ ସୀତା ତା’ଠାରୁ ଅଗ୍ରୀମ ଦେଢ଼ ଲକ୍ଷ ଟଙ୍କା ନେଇଥିଲା। ହେଲେ କାମକୁ ନ ଆସି ଅନ୍ୟର କାମ କରୁଥିଲା। ଏନେଇ ସେ ବାରମ୍ବାର ସୀତାକୁ ଚେତାଇଥିଲେ ମଧ୍ୟ ସେ ତା’ କଥା ଶୁଣି ନଥିଲା। ତେଣୁ ସେ ସୀତାକୁ ହତ୍ୟା କରିଥିଲା।

ସମ୍ବନ୍ଧିତ ଖବର