ନାରୀ କେବଳ ପ୍ରତିବାଦ ନୁହେଁ, ପ୍ରତିରୋଧ କରୁ : ବୀଣାପାଣି ମହାନ୍ତି

ଯେବେ ବସ୍ତିର ଅନ୍ଧାରୀ ମୁଲକରେ ଅବହେଳିତ ମଣିଷଙ୍କ ଯନ୍ତ୍ରଣା ଦେଖିଛନ୍ତି ତାହା ତାଙ୍କ କଲମରୁ ଗପ ହେଇ ଝରି ଆସିଛି। ଯେବେ ସମାଜରେ ନାରୀକୁ ପୁରୁଷଠାରୁ ପୃଥକ ଭାବେ ବିବେଚନା କରାଯାଉଥିବାର ଚିତ୍ର ତାଙ୍କ ଆଖି ସାମ୍ନାକୁ ଆସିଛି ତାହା ତାଙ୍କୁ ‌ନଲେଖିବା ପର୍ଯ୍ୟନ୍ତ ଶୁଆଇ ଦେଇନି। ମୋଟ ଉପରେ ନାରୀକୁ ପୁରୁଷ ସହ ସମକକ୍ଷ କରିବାର ବାର୍ତା ଦେଇ ଆସୁଥିବା ସାରସ୍ବତ ଜଗତର ଦିଗ୍‌ଗଜ ସ୍ରଷ୍ଟା ବୀଣାପାଣି ମହାନ୍ତି ୨୦୧୯ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ପାଇବାକୁ ମନୋନୀତ ହୋଇଥିବା ବେଳେ ତାଙ୍କ ସହ ସଂକ୍ଷିପ୍ତ ଆଳାପରୁ କିଛି…

ଅତିବଡ଼ୀ ପୁରସ୍କାର ପାଇବା ନେଇ ଖବର ପାଇବା ପରେ କିଭଳି ଅନୁଭବ ହୋଇଥିଲା?
ସାରସ୍ବତ ଜଗତର ଅତିବଡ଼ ସ୍ରଷ୍ଟା ଅତିବଡ଼ୀ ଜଗନ୍ନାଥ ଦାସଙ୍କ ନାମରେ ପୁରସ୍କାର ପାଇବା ଖବର ମୋ ଶରୀରରେ ଏକ ଭିନ୍ନ ପୁଲକ ଖେଳେଇ ଦେଇଥିଲା। ମୁଁ ଆନନ୍ଦରେ ଅଧିର ହୋଇଯାଇଥିଲି। ମନର ଭାବାବେଗକୁ ମୁଁ ଭାଷାରେ ବର୍ଣ୍ଣନା କରିପାରିବି ନାହିଁ। କାରଣ ଯେତିକି ଜାଣିଛି, ଆଗରୁ ମଧ୍ୟ ମୋ ନାଁ ଏହି ପୁରସ୍କାର ପାଇଁ ଯାଇଥିଲା କିନ୍ତୁ ପାଇପାରିନଥିଲି। ମୋ ମତରେ କୌଣସି ପୁରସ୍କାରକୁ ଟଙ୍କାରେ ତଉଲା ଯାଇପାରିବ ନାହିଁ। ଯିଏ ଯେତେ ଯାହା କହୁ ପଛେ, ପୁରସ୍କାର ମଧ୍ୟ ଏକ ସ୍ବୀକୃତି ଓ ପ୍ରେରଣା।
ଆପଣଙ୍କ ଲେଖାର ଅନ୍ତଃସ୍ବର କ’ଣ?
ସାଧାରଣ ଲୋକର ଦୁଃଖ ଏବଂ ସମାଜରେ ଅବହେଳିତ ନାରୀର ବ୍ୟଥା।
ନାରୀମାନେ କ’ଣ ‌ଏବେ ବି ଅବ‌ହେଳିତ?
ହଁ, ନାରୀମାନେ ଏବେ ବି ଅବହେଳିତ ହୋଇ ରହିଛନ୍ତି। କାରଣ ‌‌ଏବେ ମଧ୍ୟ ଅନେକ ପିତାମାତା ଝିଅ ଜନ୍ମ ଦେବାକୁ ଡରୁଛନ୍ତି। ନାରୀମାନେ ଅନେକ ସୁଖସୁବିଧାରୁ ବଞ୍ଚିତ ଅଛନ୍ତି।
ଏଥିପାଇଁ କ’ଣ କରାଯିବା ଆବଶ୍ୟକ?
ନାରୀ କେବଳ ପ୍ରତିବାଦ ନୁହେଁ, ପ୍ରତିରୋଧ ମଧ୍ୟ କରିବା ଦରକାର। ଜୁଡ଼ୋ ଓ କରାଟେ ଆଦି ଶିଖିବା ଆବଶ୍ୟକ। ମୋ ମତରେ ନାରୀ ଯେପର୍ଯ୍ୟନ୍ତ ସ୍ବାଭିମାନ ଓ ନିର୍ଭୟର ସହ ନବଞ୍ଚିଛି ସେଯାଏ ଭାରତ ପୂର୍ଣ୍ଣ ସ୍ବାଧୀନ ହୋଇଛି ବୋଲି ମୁଁ ଭାବି ପାରିବି ନାହିଁ।
ଆପଣଙ୍କ ରଚିତ ‘ପାଟଦେଈ’ ବହୁତ ଚର୍ଚ୍ଚିତ ପୁସ୍ତକ। ଏ ପୁସ୍ତକରେ ପାଟଦେଈ ଜଣକ କିଏ?
ଦିନେ ମୁଁ ଦୋଳ ପୂର୍ଣ୍ଣିମା ଦିନ ବସ୍‌ରେ ଭୁବନେଶ୍ବରରୁ କଟକ ଫେରୁଥାଏ। ରସୁଲଗଡ଼ ପାଖରେ ଦେଖିଲି, ୭-୮ଜଣ ସ୍ତ୍ରୀ ଲୋକ ଜଣେ ୧୬-୧୭ ବର୍ଷର ଝିଅକୁ ବାଟରେ ମାଡ଼ ମାରି ଆଣୁଛନ୍ତି। ତାକୁ କହୁଛନ୍ତି, ବାପ ଘର ନାଁ ପକେଇଲୁ, ଶାଶୂଘର ନାଁ ପକେଇଲୁ। ବିଷ ପିଇ ମରିଯା। ସେ‌ ଯେବେ ବସକୁ ଉଠି ମୋ ପାଖରେ ବସିଲା, ତା ସୁନ୍ଦର ଆଖି ଦୁଇଟିରୁ ଲୁହ ଝରି ମୋ କାନ୍ଧ ଭିଜିଯାଇଥିଲା। ସେଇ ସ୍ତ୍ରୀ ଲୋକମାନେ ଏହି ଝିଅର ନାଁ ‘ପାଟ’ ବୋଲି ଡାକୁଥିଲେ। ଏହି ଘଟଣା ମୋ ଭିତରେ ଭୀଷଣ ଅସ୍ଥିରତା ସୃଷ୍ଟି କଲା। ମୁଁ ଘରେ ପହଞ୍ଚି ସବୁ କବାଟ ଝରକା ଦେଇ ଏକ ରୁମ୍‌ରେ ଯାଇ ବସିଲି। ଏହାକୁ ନଲେଖିବା ଯାଏ ମୋ ମନ ସ୍ଥିର ହେଲା ନାହିଁ। ତେଣୁ ଏହି ଗପଟି ଲେଖିବା ଆରମ୍ଭ କଲି ଓ ସେଇ ସମୟରେ ଶେଷ କରିଦେଲି। ବୋଧେ ଏମିତି କ୍ବଚିତ ଗଳ୍ପ ଅଛି, ଯାହା ମୁଁ ଆରମ୍ଭ କରି ସେଇ ସମୟରେ ସାରିଦେଇଛି।
ଆଜିର ଦିନରେ ଲେଖାଯାଉଥିବା ସାହିତ୍ୟ ସମ୍ପର୍କରେ କ’ଣ କହିବେ?
ଆଜିକାଲି ଅନେକ ଲେଖକ ଲେଖାରେ କୁହୁକ ମାୟା ସୃଷ୍ଟି କରୁଛନ୍ତି। କିଛି ଲେଖକ ଅଶ୍ଳୀଳ ପରିଭାଷା ସହ ଚମକ ବି ସୃଷ୍ଟି କରୁଛନ୍ତି। ମାତ୍ର ଲେଖିବା ବେଳେ ସାବଧାନତା ଅବଲମ୍ବନ କରିବା ବି ଜରୁରି।
ଆଉ କିଛି ଲେଖିବାକୁ ଯୋଜନା କରିଛନ୍ତି କି?
ନା’, ୮୫ ବର୍ଷ ବୟସ ହେଲାଣି। ମୋ ଅଣ୍ଟା ବି ନିକଟରେ ଭାଙ୍ଗିଯାଇଛି। ତେଣୁ ବାହାରକୁ କୁଆଡ଼େ ଯାଇପାରୁନି କି କାହା ସହ ମିଶିପାରୁନି। ତେବେ ଯଦି ପୁଣି ସୁସ୍ଥ ଅନୁଭବ କରେ ଓ ପୁଣି ସେମିତି କିଛି କଥା ମତେ ଆନ୍ଦୋଳିତ କରେ ତେବେ ଲେଖିପାରେ।
ସାକ୍ଷାତକାର: ସତ୍ୟନାରାୟଣ ରାଉତରାୟ

ସମ୍ବନ୍ଧିତ ଖବର