ଧଉଳି : କୋର୍ଟରେ ଛାଡ଼ପତ୍ର ମଞ୍ଜୁର ହୋଇଯିବା ପରେ ପୁଣି ମହିଳା ଜଣକ ତାହାକୁ ଖାରଜ କରାଇବା ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି। ସ୍ବାମୀ ଆତ୍ମହତ୍ୟା ଧମକ ଦେଇ ତାଙ୍କୁ ବ୍ଲାକମେଲ୍ କରି ଛାଡ଼ପତ୍ର କରାଇ ନେଇଛନ୍ତି ବୋଲି ସ୍ତ୍ରୀ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। କୋର୍ଟରେ ମାମଲା ଫଇସଲା ହୋଇ ସାରିଥିବାରୁ ପୁଲିସ ଏଥିରେ କି ପଦକ୍ଷେପ ଗ୍ରହଣ କରିବ, ତାହାକୁ ନେଇ ଅଡ଼ୁଆରେ ପଡ଼ିଛି। ତେବେ ସ୍ଥାନୀୟ ଭଦ୍ରଲୋକଙ୍କ ସହଯୋଗରେ ପୁଲିସ ଏହି ଜଟିଳ ମାମଲାକୁ ସମାଧାନ କରିବାକୁ ଅଣ୍ଟା ଭିଡ଼ିଥିବା ସୂଚନା ମିଳିଛି। ଘଟଣାଟି ବାଲିଅନ୍ତା ଓ ଧଉଳି ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାନୁସାରେ ବାଲିଅନ୍ତା ଥାନା ବେଣୁପୁର ଅଞ୍ଚଳର ଏହି ମହିଳା ଗତ ୯ ମାସ ତଳେ ଧଉଳି ଥାନା ବସନ୍ତପୁର ଅଞ୍ଚଳରେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଲା। ନୂଆ ଦାମ୍ପତ୍ୟ ଜୀବନରେ ଝଡ଼ ଉଠିଲା। ଯୁବକ ଜଣକ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବା ପାଇଁ ଜିଦ୍ ଧରି ବସିଲେ। କଥା କୋର୍ଟ ପର୍ଯ୍ୟନ୍ତ ଗଲା। ଶେଷରେ କୋର୍ଟରେ ଛାଡ଼ପତ୍ର ହୋଇଗଲା। କିନ୍ତୁ ଆଜି ସ୍ଥାନୀୟ ଭଦ୍ରଲୋକଙ୍କ ସହ ସ୍ତ୍ରୀ ଥାନାରେ ପହଞ୍ଚି ଭିନ୍ନ ଅଭିଯୋଗ କରିଛନ୍ତି। ତାଙ୍କ କହିବା କଥା ତାଙ୍କ ସ୍ବାମୀ ବାରମ୍ବାର ଆତ୍ମହତ୍ୟା ଧମକ ଦେଇ ତାଙ୍କ ଉପରେ ମାନସିକ ଚାପ ପକାଇଲେ। ଏମିତିକି ନିଜ ବେକରେ ଛୁରି ଲଗାଇ ମରିବାକୁ ଉଦ୍ୟମ କଲେ। ଛାଡ଼ପତ୍ରରେ ରାଜି ନହେଲେ ନିଜକୁ ନିଜେ ଛୁରିରେ ବେକ କାଟିବେ ବୋଲି ଧମକ ଦେଲେ। ତେଣୁ ଭୟରେ ସେ କୋର୍ଟରେ ଛାଡ଼ପତ୍ର ରାଜିନାମାରେ ଦସ୍ତଖତ କରିଦେଲେ। ମହିଳା ଜଣକ ଆଜି ଆଇନଜୀବୀ ସନ୍ତୋଷ କୁମାର ସାହୁ ଓ ପୂର୍ବତନ ସରପଞ୍ଚ ସଚ୍ଚିଦାନନ୍ଦ ଜେନାଙ୍କ ସହ ୩୦ ରୁ ଅଧିକ ଗ୍ରାମବାସୀଙ୍କୁ ସାଙ୍ଗରେ ଧରି ଥାନା ଅଧିକାରୀଙ୍କୁ ଭେଟିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/dhauli-police-station.jpg)