ମହିଳା କନେଷ୍ଟବଳଙ୍କ ଦୀକ୍ଷାନ୍ତ ସମାରୋହ : ପୁଲିସ ସୁନାମକୁ ମାଟିରେ ମିଶିବାକୁ ଦିଅ ନାହିଁ

ଭୁବନେଶ୍ବର: ଭୁବନେଶ୍ବର ସହରାଞ୍ଚଳ ପୁଲିସ ଟ୍ରାଫିକ୍‌ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ୨୪ ତମ ବ୍ୟାଚ୍‌ ନବନିଯୁକ୍ତ ମହିଳା କନେଷ୍ଟବଳଙ୍କର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପୁଲିସ ଡିଜି ବିଜୟ କୁମାର ଶର୍ମା ଏହି ପାସିଂ ଆଉଟ୍‌ ପରେଡ୍‌ରେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ସେ କହିଥିଲେ, ତୃଣମୂଳସ୍ତରରେ କାମ କରୁଥିବା କନେଷ୍ଟବଳମାନେ ହେଉଛନ୍ତି ପୁଲିସ ବିଭାଗର ମୁହଁ। ତାଙ୍କର ଆଚାର ବ୍ୟବହାରକୁ ଦେଖି ଲୋକମାନେ ପୁଲିସର ଦକ୍ଷତା ପରଖିବେ। ଏଣୁ ସେମାନେ ଦାୟିତ୍ବ ନିର୍ବାହ କଲା ବେଳେ ଲୋକଙ୍କୁ ଅତ୍ୟନ୍ତ ଭଦ୍ର, ନମ୍ର ଓ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବେ। ମୁଖ୍ୟମନ୍ତ୍ରୀଙ୍କର ମୋ ସରକାର ଯୋଜନା ଅକ୍ଟୋବରରୁ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏଣୁ ଯେଉଁଠି ବି କାମ କରିବେ, ଜନସାଧାରଣଙ୍କ ବିଶ୍ବାସ ଭାଜନ ତଥା ନିକଟତର ହେବାକୁ ଉଦ୍ୟମ କର। ବ୍ୟକ୍ତିଗତ ସ୍ବାର୍ଥରୁ ଊର୍ଦ୍ଧ୍ବକୁ ଯାଇ ଓଡ଼ିଶା ପୁଲିସର ସୁନାମକୁ ବଜାୟ ରଖ। ଅଭଦ୍ର ବ୍ୟବହାର କରି ପୁଲିସର ସୁନାମକୁ ମାଟିରେ ମିଶିବାକୁ ଦିଅ ନାହିଁ ବୋଲି ଏହି ମହିଳା କନେଷ୍ଟବଳମାନଙ୍କୁ ଡିଜି ପରାମର୍ଶ ଦେଇଥିଲେ। ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ ଅବସରରେ ଏହି କନେଷ୍ଟବଳମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ।

ଏହି ବ୍ୟାଚ୍‌ରେ ରାଜ୍ୟର ୨୧ ଜିଲ୍ଲାରୁ ୨୬୬ ଜଣ ମହିଳା କନେଷ୍ଟବଳ ସଫଳତାର ସହ ୬ ମାସର ପ୍ରଶିକ୍ଷଣପ୍ରାପ୍ତ ହୋଇଛନ୍ତି। ୨୬୬ଜଣ ୧୦ଟି ପ୍ଲାଟୁନ୍‌ରେ ଭାଗ ହୋଇ ପରେଡ୍‌ ପ୍ରଦର୍ଶନ କରିଥିଲେ। ଏହି ବ୍ୟାଚ୍‌ରୁ ୪ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ପୁରୀର ସଜନୀ ସାହୁ ପ୍ରଥମ, ବଲାଙ୍ଗିରର ଦୀପାଳୀ ବାରିକ ଦ୍ବିତୀୟ ଓ ଖୋର୍ଦ୍ଧାର ମଧୁମିତା ବଳବନ୍ତରାୟ ତୃତୀୟ ସ୍ଥାନରେ ରହି ସମ୍ବର୍ଦ୍ଧିତ ହୋଇଥିଲେ। ଶୃଙ୍ଖଳିତ ପ୍ରଶିକ୍ଷାର୍ଥୀ(ଟ୍ରେନି) ଭାବରେ ଯାଜପୁରର ପାର୍ବତୀ ସାହୁଙ୍କୁ ଡିଜି ଶ୍ରୀ ଶର୍ମା ସମ୍ବର୍ଦ୍ଧିତ କରିଥିଲେ। ଏହି ୬ ମାସ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଅପରାଧ ସମ୍ବନ୍ଧୀୟ ଆଇନ, ଆଧୁନିକ ଭାରତରେ ପୁଲିସର ଭୂମିକା, ପୁଲିସ ପ୍ରଶାସନ, ମାନବ ଅଧିକାର, ଜନସାଧାରଣଙ୍କୁ ପୁଲିସର ଆଚରଣ, ପୁଲିସର କର୍ତ୍ତବ୍ୟ, ଅସ୍ତ୍ରଶସ୍ତ୍ର ସମ୍ବନ୍ଧୀୟ ଆଇନ, ଭିଡ଼ ନିୟନ୍ତ୍ରଣ, ଲାଠି ଡ୍ରିଲ୍‌ ପ୍ରଭୃତି ଗୁରୁତ୍ବପୂର୍ଣ୍ଣ ଆଇନ ତଥା ବ୍ୟବସ୍ଥା ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏସିପି(ଟ୍ରେନିଂ) ସୂର୍ଯ୍ୟକାନ୍ତ ମହାନ୍ତି କମାଣ୍ଡର ଭାବରେ ପରେଡ୍‌ ପରିଚାଳନା କରିଥିବା ବେଳେ ଅନେକ ବରି‌ଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ସମ୍ବର୍ଦ୍ଧିତ ହୋଇଥିବା ପ୍ରଶିକ୍ଷାର୍ଥୀମାନେ ବ୍ୟକ୍ତିଗତ ସ୍ବାର୍ଥରୁ ଊର୍ଦ୍ଧ୍ବରେ ରହି ଶୃଙ୍ଖଳିତ ଭାବରେ ଜନସାଧାରଣଙ୍କର ସେବା କରିବେ ବୋଲି ଶପଥ ନେଇଥିଲେ।

ସମ୍ବନ୍ଧିତ ଖବର