ବାରଙ୍ଗ: ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ ଧମକଚମକ ଦେଇଛନ୍ତି ବୋଲି ଅଭିଯୋଗ ହେବା ସତ୍ତ୍ବେ ରଘୁନାଥପୁର ସରପଞ୍ଚ ଓ ତାଙ୍କ ସହଯୋଗୀଙ୍କୁ ପୁଲିସ ଗିରଫ କରୁନାହିଁ। ତେଣୁ ଆଜି ଶତାଧିକ ମହିଳା ନନ୍ଦନକାନନ ଥାନା ଘେରାଉ କରିଥିଲେ। ତୁରନ୍ତ ସରପଞ୍ଚଙ୍କୁ ଗିରଫ କରିବା ଦାବି କରି ଥାନାରେ ଧାରଣା ଦେଇଥିଲେ। ସେହିଭଳି ଥାନା ଅଧିକାରୀ ସରପଞ୍ଚଙ୍କୁ ସମର୍ଥନ କରୁଥିବା ଅଭିଯୋଗ କରି ମହିଳାମାନେ ତାଙ୍କୁ ଚାକିରିରୁ ବହିଷ୍କାର କରିବାକୁ ମଧ୍ୟ ଦାବି କରିଥିଲେ। ପ୍ରାୟ ଏକ ଘଣ୍ଟା କାଳ ସେମାନେ ଥାନା ସମ୍ମୁଖରେ ଧାରଣା ଦେବା ପରେ ପୁଲିସ ସେମାନଙ୍କୁ ସରପଞ୍ଚଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଏଫ୍ଆଇଆର୍ କପି ଦେଇଥିଲା ଓ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ରଘୁନାଥପୁରର ପୂର୍ବତନ ସରପଞ୍ଚ ସ୍ବର୍ଗତ ଚରଣ ରାଉତଙ୍କ ଏକ ଭୂସମ୍ପତ୍ତି ବିକ୍ରିକୁ ନେଇ ବିବାଦ ସୃଷ୍ଟି ହୋଇଛି। ସ୍ବର୍ଗତ ରାଉତଙ୍କ ଦୁଇ ପୁଅ ଉକ୍ତ ଜମି ବିକ୍ରି କରିସାରିଛନ୍ତି। ମାତ୍ର ତାଙ୍କ ଦୁଇ ଝିଅ ସସ୍ମିତା ଦାସ ଓ ମିଲି ରାଉତଙ୍କଠାରୁ ଝିଆଣିଆ ସତ୍ତ୍ବର ସ୍ବୀକୃତି ନିଆଯାଇନାହିଁ। ତେଣୁ ସେମାନେ ଉକ୍ତ ପ୍ଲଟରୁ ୪ ଡେସିମିଲ ପରିମିତ ଜମି ଜଣେ ସମ୍ପର୍କୀୟ ଭାଇକୁ ବିକ୍ରି କରିଦେଇଛନ୍ତି। ଫଳରେ ଭାଇମାନଙ୍କଠାରୁ କିଣିଥିବା କ୍ରେତା ଓ ଭଉଣୀମାନଙ୍କଠାରୁ କିଣିଥିବା କ୍ରେତାଙ୍କ ମଧ୍ୟରେ ଜମି ଦଖଲକୁ ନେଇ ବିବାଦ ଲାଗି ରହିଛି। ଏମିତିକି ମାମଲା କୋର୍ଟକୁ ଯିବା ପରେ ମଧ୍ୟ ଦୁଇ ପକ୍ଷ ଗଣ୍ଡଗୋଳ କରିଛନ୍ତି। ସରପଞ୍ଚ ପବିତ୍ର ପାତ୍ର ଏହି ମାମଲାରେ ମୁଣ୍ଡ ଖେଳାଇଥିଲେ ମଧ୍ୟ ସମାଧାନ ହୋଇପାରିନାହିଁ। ଏଣେ ପୁଲିସ ଏହି ମାମଲାରେ ଉମେଶ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ମାତ୍ର ମିଲି ସରପଞ୍ଚଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ପୁଲିସ ଗ୍ରହଣ କରିନଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ମିଲିଙ୍କ ଅଭିଯୋଗ ଅନୁସାରେ ଉକ୍ତ ଜମି ବିବାଦକୁ ନେଇ ସରପଞ୍ଚ ପବିତ୍ର ଓ ତାଙ୍କ ସହଯୋଗୀମାନେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେବା ସହ ଟଣାଓଟରା କରି ତାଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/h4s9f8h7fsh987hf98798fhhhhhffhssfh.jpg)