ସୂର୍ଯ୍ୟଙ୍କୁ ଅର୍ଘ୍ୟ ଟେକିଲେ ବିହାରୀ ମହିଳା

କୁଆଖାଇ ନଦୀ ପଠା ଲୋକାରଣ୍ୟ:ପରିବାରର ଶୁଭ ମନାସିଲେ ବ୍ରତଧାରୀ

ଭୁବନେଶ୍ୱର: ବିହାରୀ ସଂପ୍ରଦାୟର ବଡ଼ ପର୍ବ ଛଟ୍‌। ଘରେ ଥାଆନ୍ତୁ କି ବାହାରେ, ବିହାରୀ ସଂପ୍ରଦାୟର ପ୍ରତ୍ୟେକ ବିବାହିତ ମହିଳା ଏହି ପର୍ବଟିକୁ ପାଳନ କରିଥାନ୍ତି। ଏଥିରେ ଧର୍ମ ଦେବତା ସୂର୍ଯ୍ୟଙ୍କର ଆରାଧନା କରାଯାଇଥାଏ। ଆଜି ଅପରାହ୍ଣରେ ବହୁ ସଂଖ୍ୟାରେ ବିହାରୀ ମହିଳା ରାଜଧାନୀ ଉପକଣ୍ଠ କୁଆଖାଇ ନଦୀ କୂଳରେ ଏକାଠି ହୋଇ ସୂର୍ଯ୍ୟଙ୍କୁ ପୂଜା କରିଥିଲେ। ବିଶ୍ୱାସ ଅନୁଯାୟୀ, ଏହି ପୂଜାରେ ବିବାହିତ ମହିଳାମାନେ ସାମିଲ୍‌ ହେଲେ ସେମାନଙ୍କ ଘର, ପରିବାରର ସମୃଦ୍ଧି ବଢ଼ିବା ସହିତ ପରିବାର ଲୋକ ଆରୋଗ୍ୟ ରହିଥାନ୍ତି।

ସୂର୍ଯ୍ୟ ଷଷ୍ଠୀର ମହତ୍ଵକୁ ଉପଲବ୍ଧି କରି ଏହି ପୂଜାକୁ ଛଟ୍‌ ବା ଡାଲା ଛଟ୍‌ କୁହାଯାଏ। ୪ ଦିନ ଧରି ପାଳିତ ହେଉଥିବା ଏହି ପର୍ବ ଶୁକ୍ଳ ପକ୍ଷ ଚତୁର୍ଥୀରୁ ଆରମ୍ଭ ହୋଇ ସପ୍ତମୀ ପର୍ଯ୍ୟନ୍ତ ଚାଲେ।  ଚତୁର୍ଥୀ ଦିନକୁ ‘ନହାଖା’। ଅର୍ଥାତ ଗାଧୋଇ ସାରି ଖାଦ୍ୟ ଖାଇବ। ଏହିଦିନ ନଦୀରେ ଗାଧୋଇବା ପରେ ସଂପୂର୍ଣ ଘରକୁ ପାଣିରେ ଧୋଇବ। ତା’ପରେ ଶୁଦ୍ଧ ଭୋଜନ ଗ୍ରହଣ କରିବ। ପଞ୍ଚମୀ ଦିନକୁ ‘ଖରାନା’ କହନ୍ତି। ଏହି ଦିନ ଦିନବେଳା ପୂରା ଉପାସ ରହିବାକୁ ପଡ଼େ। ମହିଳାମାନେ ସୂର୍ଯ୍ୟାସ୍ତ ପରେ ଖାଦ୍ୟ ଗ୍ରହଣ କରନ୍ତି। ଏଥିରେ ଭାତ, ପୁରୀ ଏବଂ ଖିରି ମୁଖ୍ୟ ଖାଦ୍ୟ। ଏହା ପରେ ୩୬ ଘଣ୍ଟା ପର୍ଯ୍ୟନ୍ତ ପୂରା ଉପାସ ରହିବାକୁ ପଡ଼େ।     ଆଜି ଥିଲା ଷଷ୍ଠୀ ଅର୍ଥାତ ଛଟ୍‌ ପୂଜାର ତୃତୀୟ ଦିବସ। ଆଜି ଅପରାହ୍‌ଣରେ ମହିଳାମାନେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଥିଲେ। ସେଥିପାଇଁ ଭୁନେଶ୍ୱରରେ ବିହାରୀ ସଂପ୍ରଦାୟ ଲୋକଙ୍କୁ ନେଇ ଗଢି ଉଠିଥିବା ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ‘କୁଆଖାଇ ଛଟ୍‌ ପୂଜା ସମିତି’ ପକ୍ଷରୁ ବେଶ୍‌ ଆଡ଼ମ୍ବରରେ ଏହାକୁ ପାଳନ କରାଯାଇଥିିଲା। ଏଥିପାଇଁ କୁଆଖାଇ ନଦୀ କୂଳରେ ବ୍ୟାପକ ଆୟୋଜନ କରାଯାଇଥିଲା। ନଦୀକୂଳରେ ପ୍ରାୟ ୬ କିମି ଅଞ୍ଚଳକୁ ନେଇ ‘ଛଟ୍‌ ଘାଟ୍‌’ ପ୍ରସ୍ତୁତ ହୋଇଥିଲା। ଅପରାହ୍‌ଣ ୪.୩୦ରୁ ସଂଧ୍ୟା ୫.୩୦ଟା ମଧ୍ୟରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରି ଅର୍ଘ୍ୟ ଦିଆଯାଇଥିଲା। ବହୁ ସଂଖ୍ୟାରେ ବିହାରୀ ମହିଳା ନଦୀ ପଠାରେ ଏକାଠି ହୋଇଥିଲେ ପୂଜାର୍ଚ୍ଚନା କରିଥିଲେ। ନଦୀ ତଟରେ ପ୍ରାୟ ୫୦୦ରୁ ଊର୍ଧ୍ୱ ବ୍ରତଧାରୀ ସୂର୍ଯ୍ୟ ଦେବତାଙ୍କ ପୂଜା କରିଥିବା ବେଳେ ପ୍ରାୟ ୩,୫୦୦ ଲୋକ ଏକତ୍ରିତ ହୋଇଥିଲେ ବୋଲି ସମିତିର ସଭାପତି ନିପେନ୍ଦ୍ର କୁମାର କହିଛନ୍ତି। ଖାଲି ଭୁବନେଶ୍ୱର କାହିଁକି ଖୋର୍ଧା ଓ ଜଟଣୀ ସହ ଆଖପାଖ ଅଞ୍ଚଳର ବହୁ ବିହାରୀ ଲୋକ ଏଠାକୁ ଆସିଥିଲେ। ଏତେ ସଂଖ୍ୟାରେ ଜନସମାଗମକୁ ନିୟନ୍ତ୍ରଣ କରିବା ପାଇଁ ନଦୀତଟରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ବିଧି ମୁତାବକ ଆଜି ରାତିରେ ମହିଳାମାନେ ପୂରା ଉପବାସ ରହିବେ। ଏହାପରେ ଆସନ୍ତାକାଲି ଅର୍ଥାତ ସପ୍ତମୀ ଦିନ ସକାଳୁ ଉଦୟ ହେଉଥିବା ସୂର୍ଯ୍ୟଙ୍କୁ ପୂଜା କରି ଅର୍ଘ୍ୟ ଦେବେ। ତାହା ପରେ ସେମାନେ ଖାଦ୍ୟ ଗ୍ରହଣ କରିବେ ବୋଲି ଅଶୋକ ପାଣ୍ଡେ ସୂଚନା ଦେଇଛନ୍ତି।

ଛଟ୍‌ ପୂଜା ପାଇଁ ବିଏମ୍‌ସିର ସଫେଇ ଅଭିଯାନ

ଆଜି ଛଟ୍‌ ପୂଜା ଅବସରରେ ବିଏମ୍‌ସି ଓ ‘କୁଆଖାଇ ଛଟ୍‌ ପୂଜା ସମିତି’ ପକ୍ଷରୁ ବୁଧବାର ରାତିରେ ଜାତୀୟ ରାଜପଥ କଡ଼ରୁ କୁଆଖାଇ ନଦୀ ପର୍ଯ୍ୟନ୍ତ ସଫେଇ କରାଯାଇ ‘ଛଟ୍‌ ଘାଟ୍‌’ ପ୍ରସ୍ତୁତ କରାଯାଇଥିଲା। ଆଜି ଦିନତମାମ୍‌ ନଦୀ କୂଳର ସ୍ୱଚ୍ଛତା ଉପରେ ନଜର ରଖାଯିବା ସହ ଚାରିଆଡ଼େ ବ୍ଲିଚିଂ ପକାଯାଇଥିଲା। ପୁଣି ବିଏମ୍‌ସି ପକ୍ଷରୁ ମହିଳା ଓ ପୁରୁଷଙ୍କ ପାଇଁ ଅଲଗା ଅଲଗା ଶୌଚାଳୟ ମଧ୍ୟ ବ୍ୟବସ୍ଥା କରାଯାଇଛି।

ଛଟ୍‌ ପୂଜାର ‘ଠେକୁଆ ପିଠା’

ନଦୀ ତଟକୁ ପୂଜା କରି ଆସିଥିବା କାବ୍ୟା ସିଂହ କୁହନ୍ତି, ଛଟ୍‌ ପୂଜା ପାଇଁ ବହୁ ଆଡ଼ମ୍ବରରେ ଭୋଗ ପ୍ରସ୍ତୁତ କରାଯାଇଥାଏ। ଯଦିଓ ଭୋଗ ଥାଳିରେ ଫଳ ଏବଂ ଅନ୍ୟାନ୍ୟ ଭୋଗ ସାମଗ୍ରୀ ଅଧିକ ବଢ଼ାଯାଇଥାଏ, କିନ୍ତୁ ଠେକୁଆ ଏବଂ ଭୁସବା ବିନା ଭୋଗ ଅଧା। ଘିଅ, ଗୁଡ଼ ଓ ଅଟାରେ ଏହି ‘ଠେକୁଆ ପିଠା’ ପ୍ରସ୍ତୁତ କରାଯାଇଥାଏ। ଯାହା କେବଳ ଘରେ ପ୍ରସ୍ତୁତ କରାଯିବାର ବିଧି ଅଛି। ଏହି ସମୟରେ ଧ୍ୟାନ ରଖିବାକୁ ପଡ଼ିଥାଏ ଯେ ଭୋଗ ପାଇଁ ପ୍ରସ୍ତୁତ କୌଣସି ସାମଗ୍ରୀକୁ ପିଲା କି ଚଢ଼େଇ ଯେମିତି ଅଇଁଠା ନ କରନ୍ତି।  ଯଦି ଏହା ହୁଏ ତେବେ ସୂର୍ଯ୍ୟ ଦେବତା ରାଗି ଯାଆନ୍ତି ବୋଲି ବିଶ୍ୱାସ ଅଛି ।

ସମ୍ବନ୍ଧିତ ଖବର