ଭୁବନେଶ୍ବର: ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ସମୟରେ ରସୁଲଗଡ଼ ଛକରେ ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍କୁ ଅଟକାଇ ଜଣେ ମହିଳା ହଙ୍ଗାମା କରି ବିଚିତ୍ର ସ୍ଥିତି ସୃଷ୍ଟି କରିଥିଲେ। ଫଳରେ ମୁଖ୍ୟମନ୍ତ୍ରୀ ରାସ୍ତାରେ କିଛି ସମୟ ଅଟକି ରହିଥିଲେ। ପରେ ପୁଲିସ ମହିଳାଙ୍କୁ ରାସ୍ତାରୁ ହଟାଇବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ଆଗକୁ ବଢ଼ିଥିଲା। ପରେ ପୁଲିସ ମହିଳାଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି।
ସୂଚନାନୁସାରେ, ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭିଏସ୍ଏସ ନଗରରୁ ଏକ କାର୍ଯ୍ୟକ୍ରମ ସାରି ରସୁଲଗଡ଼ ଦେଇ ଫେରୁଥିବା ସମୟରେ ସୁରକ୍ଷା ଦୃଷ୍ଟିରୁ ରସୁଲଗଡ଼ ଛକରେ ଲୋକଙ୍କୁ ଅଟକା ଯାଇଥିଲା। ଏଥିରେ ଉକ୍ତ ମହିଳା ଜଣକ ରାଗି ଯାଇଥିଲେ। କାହିଁକି ତାଙ୍କ ଗାଡ଼ି ଅଟକାଯାଉଛି ବୋଲି ପ୍ରଶ୍ନ କରିବା ସହ ଏହାକୁ ନେଇ ସେଠାରେ କାର୍ଯ୍ୟରତ ଟ୍ରାଫିକ ପୁଲିସ ଓ ପୁଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଟ୍ରାଫିକ ଅଟକାଯାଇଛି ବୋଲି ଅଧିକାରୀମାନେ ତାଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ ବୁଝି ନଥିଲେ। ଅଟକିବାର ମାତ୍ର ୧୦ ମିନିଟ ମଧ୍ୟରେ ମହିଳା ହଙ୍ଗାମା ଆରମ୍ଭ କରିଦେଇଥିଲେ। ତାଙ୍କ କାର୍ରେ ଥିବା ଜଣେ ପୁରୁଷ ସହଯାତ୍ରୀ ତାଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ ବୁଝି ନଥିଲେ। ସେ ରାସ୍ତା ଉପରକୁ ଆସି ହୋହଲ୍ଲା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ର ୱାର୍ଣ୍ଣିଂ କାର୍ ଓ ପାଇଲଟ୍ କାର୍କୁ ଅଟକାଇ ଦେଇଥିଲେ। ଫଳର ମୁଖ୍ୟମନ୍ତ୍ରୀଙ୍କ କାର୍ ମଧ୍ୟ କିଛି ସମୟ ପାଇଁ ଅଟକି ରହିଥିଲା। ସୁରକ୍ଷାରେ ମହିଳା ପୁଲିସ ନଥିବାରୁ ତାଙ୍କୁ ଅଟକାଇବା ପୁଲିସଙ୍କ ପକ୍ଷରେ କାଠିକର ପାଠ ହୋଇଯାଇଥିଲା। ତେବେ ଖବର ପାଇ ସଙ୍ଗେ ସଙ୍ଗେ ମହିଳା ପୁଲିସ କର୍ମଚାରୀ ପହଞ୍ଚି ମହିଳାଙ୍କୁ ରାସ୍ତାରୁ ହଟାଇଥିଲେ।