ହାଇଦ୍ରାବାଦ ଓ ପୁରୀ ପରେ ରାଜଧାନୀରେ ନାରୀ ସୁରକ୍ଷା ଏମିତି : ରାସ୍ତାରେ ଦେଖିବାକୁ ମିଳୁନି ପିଙ୍କ୍ ଅଟୋ, ପ୍ରିପେଡ୍ ଅଟୋ ସେବା ମଧ୍ୟ ଠପ୍ ହୋଇ ଗଲାଣି
ଭୁବନେଶ୍ବର : ନାରୀ ସୁରକ୍ଷାକୁ ନେଇ କମିସନରେଟ୍ ପୁଲିସ ପକ୍ଷରୁ ୫ ବର୍ଷ ତଳେ ଆରମ୍ଭ ହୋଇଥିବା ଗୋଟିଏ ପରେ ଗୋଟିଏ ଯୋଜନା ଏବେ ବନ୍ଦ ହୋଇଗଲାଣି। ରାସ୍ତାରେ ଆଉ ଦେଖିବାକୁ ମିଳୁନାହିଁ ପିଙ୍କ ଅଟୋ, ସେଲଫ୍ ଡିଫେନ୍ସ ଟ୍ରେନିଂ ମଧ୍ୟ ଠପ୍, ପ୍ରିପେଡ୍ ଅଟୋ ସେବା କେଉଁଠି ମିଳୁଛି, କେହି ଜାଣି ନାହାନ୍ତି, ‘ମୋ ସାଥୀ ଆପ’ ଯେ ‘ସହୟତା’ ସହ ମିଶିଗଲାଣି, ଅନେକେ ଜାଣିନାହାନ୍ତି, ଆଇ କ୍ଲିକ୍ କ’ଣ ବୋଲି ଅନେକ ଏବେ ପଚାରୁଛନ୍ତି। ନାରୀ ସୁରକ୍ଷାକୁ ଏଭଳି ଗୁରୁତ୍ବର ସହ ନେଇଛି କମିସନରେଟ ପୁଲିସ !
Sambad is now on WhatsApp
Join and get latest news updates delivered to you via WhatsApp
ଦେଶରେ ପ୍ରତି ୨୦ ମିନିଟ୍ରେ ଜଣେ ମହିଳା କିମ୍ବା ଯୁବତୀ ଅସଦାଚରଣର ଶିକାର ହେଉଛନ୍ତି। ହାଇଦ୍ରାବାଦରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ପରେ ପୋଡ଼ି ହତ୍ୟା, ପୁରୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା; ଏବେ ସାରା ଦେଶ ଓ ରାଜ୍ୟରେ ଚର୍ଚା। ଏଭଳି ସମୟରେ କମିସନରେଟ୍ ପୁଲିସ ପକ୍ଷରୁ ନାରୀ ସୁରକ୍ଷା ନେଇ ଆରମ୍ଭ ହୋଇଥିବା ଯୋଜନା ବନ୍ଦ ହୋଇଯିବା ଘଟଣାକୁ ଅନେକ ନାପସନ୍ଦ କରିଛନ୍ତି।
ମୋ ସାଥୀ ଆପ୍। ନାରୀ ସୁରକ୍ଷା ନେଇ ୨୦୧୫ ମସିହାରେ ଏଭଳି ଏକ ଆପ୍ ଦିଲ୍ଲୀ ଢାଞ୍ଚାରେ କମିସନରେଟ୍ ପୁଲିସ ଆରମ୍ଭ କରିଥିଲା। ଯେଉଁମାନେ ଆଣ୍ଡ୍ରଏଡ୍ ଫୋନ୍ ଧରିଥିବେ, ସେମାନେ ଏହି ଆପକୁ ଡାଉନଲୋଡ୍ କରି ପାରିବେ। ଏଥିରେ ସେମାନେ ନିଜ ଠିକଣା, ୩ଜଣ ସମ୍ପର୍କୀୟଙ୍କ ମୋବାଇଲ ନମ୍ବର, ଇ-ମେଲ ଆଇଡି, ଜନ୍ମ ତାରିଖ, ରକ୍ତ ଗ୍ରୁପ ଆଦି ସମ୍ପର୍କରେ ସଂପୂର୍ଣ୍ଣ ତଥ୍ୟ ଦେଇ ପଞ୍ଜୀକୃତ କରାଇ ପାରୁଥିଲେ। ଯଦି କୌଣସି ସ୍ଥାନରେ କେହି ଯୁବତୀ କିମ୍ବା ମହିଳାଙ୍କୁ ଅସଦାଚରଣ ଓ ଇଭ୍ ଟିଜିଂ କରେ, ଏହି ସମୟରେ ସେମାନେ ମୋବାଇଲ ଫୋନ୍ ବଟନକୁ ୫ଥର ଦବାଇବେ। ମୋବାଇଲରୁ ଅଟୋମେଟିକ୍ ୩୦ ସେକେଣ୍ଡର ଭିଡିଓ ଏବଂ ଅଡିଓ ରେକର୍ଡିଂ ହୋଇଯିବ। ଏହାସହ ଏହି ଭିଡିଓ ଓ ଅଡିଓ ପୁଲିସ୍ କଣ୍ଟ୍ରୋଲ ରୁମ୍ ଓ ଯୁବତୀଙ୍କ ସମ୍ପର୍କୀୟଙ୍କ ପାଖକୁ ଚାଲିଯିବ। ଜିପିଆରଏସ୍ ମାଧ୍ୟମରେ ଯୁବତୀ ଓ ମହିଳା ଯେଉଁଠି ଥିବେ, ତାହା ପୁଲିସ ଜାଣି ପାରିବ। ଏହା ପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତମାନଙ୍କୁ କାବୁ କରିବ। କେବଳ ମହିଳା ଓ ଯୁବତୀମାନେ ଏହି ଆପ୍ ଡାଉନଲୋଡ୍ କରିପାରିବେ। ପାଖାପାଖି ୭ ହଜାରରୁ ଅଧିକ ଯୁବତୀ ଓ ମହିଳା ଏହି ଆପ୍ ନିଜ ମୋବାଇଲ ଫୋନରେ ଡାଉନଲୋଡ୍ କରିଥିଲେ। ବଡ଼ କଥା ହେଉଛି, କମିସନରେଟ୍ ପୁଲିସ ପକ୍ଷରୁ ଏହି ଆପ ଲାଗୁ କରାଯିବା ପରେ ଯୁବକମାନେ ମଧ୍ୟ ଏଥିପାଇଁ ଆବେଦନ କରିଥିଲେ। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଆପ୍କୁ ‘ସହାୟତା’ ଆପ୍ ସହ ମିଶାଇ ଦିଆଯାଇଥିଲେ ମଧ୍ୟ ଏ ବାବଦରେ ଅନେକ ସଚେତନ ନାହାନ୍ତି।
ମହିଳାମାନଙ୍କ ପାଇଁ ପିଙ୍କ୍ ଅଟୋ ସେବା ମୁଖ୍ୟମନ୍ତ୍ରୀ ନିଜେ କମିସନରେଟ୍ ପୁଲିସ ବିଲଡିଂରେ ଉଦ୍ଘାଟନ କରିଥିଲେ। ପାଖାପାଖି ୩ଶହ ପିଙ୍କ-ଅଟୋ ଚାଳକ ପିଙ୍କ ଅଟୋ ସେବାରେ ପଞ୍ଜୀକୃତ ହୋଇଥିଲେ। ଏହି ଅଟୋରେ ମହିଳା ଓ ଯୁବତୀମାନଙ୍କୁ ସୁରକ୍ଷିତ ଭାବେ ଗନ୍ତବ୍ୟସ୍ଥଳରେ ଛାଡ଼ିବା ମୂଳ ଲକ୍ଷ୍ୟ ଥିଲା। ଏଥିପାଇଁ ଅଟୋ ଚାଳକମାନଙ୍କୁ ତାଲିମ ପ୍ରଦାନ କରାଯିବା ସହିତ ସେମାନଙ୍କ ଚରିତ୍ର ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉଥିଲା। ସେମାନଙ୍କ ଠିକଣା, ମୋବାଇଲ ନମ୍ବର, କେଉଁ ଷ୍ଟାଣ୍ଡର ଅଟୋ ଚାଳକ ଆଦି ସମ୍ପର୍କରେ ସଂପୂର୍ଣ୍ଣ ତଥ୍ୟ ପୁଲିସ ନିକଟରେ ରହୁଥିଲା। ବଡ଼ କଥା ହେଉଛି, ଏହି ଅଟୋରେ ପୁଲିସ କଣ୍ଟ୍ରୋଲ ରୁମର ଡାଏଲ-୧୦୦ ନମ୍ବର ଓ କ୍ୟୁଏଟିର ମୋବାଇଲ ନମ୍ବର ଥିଲା। କୌଣସି ଯୁବତୀ ବା ମହିଳା ସମସ୍ୟାରେ ପଡ଼ିଲେ, ଏହି ନମ୍ବର ଯୋଗାଯୋଗ କରିପାରୁଥିଲେ। କିନ୍ତୁ ଏବେ ଆଉ ରାଜଧାନୀରେ ପିଙ୍କ୍ ଅଟୋ ଆଉ ଦେଖିବାକୁ ମିଳୁନାହିଁ। ସେହିପରି ପ୍ରି-ପେଡ୍ ଅଟୋ ବ୍ୟବସ୍ଥା କଥା ନ କହିଲେ ଭଲ। ମାଷ୍ଟରକ୍ୟାଣ୍ଟିନ, ବାଣୀବିହାର, ଜୟଦେବ ବିହାର, ବରମୁଣ୍ଡା ଓ କିଟ୍ ଛକରେ ଆରମ୍ଭ ହୋଇଥିବା ଏକ ପ୍ରି-ପେଡ୍ ଅଟୋସେବା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଯାତ୍ରୀମାନେ ବିଶେଷକରି ମହିଳା ଯାତ୍ରୀମାନେ ଷ୍ଟେସନ୍ ଓ ବସଷ୍ଟାଣ୍ଡରୁ ଏହି ପ୍ରି-ପେଡ୍ ଅଟୋ ବୁକ୍ କରି ଗନ୍ତବ୍ୟସ୍ଥଳକୁ ଯାଇ ପାରୁଥିଲେ। ଅଟୋ ଚାଳକମାନଙ୍କୁ ବି କମିସନରେଟ ପୁଲିସରେ ପଞ୍ଜୀକୃତ କରାଯାଉଥିଲା। ପିଙ୍କ ଅଟୋ ଚାଳକମାନଙ୍କ ଭଳି ଏମାନଙ୍କ ସମସ୍ତ ତଥ୍ୟ ମଧ୍ୟ ପୁଲିସ ନିକଟରେ ରହୁଥିଲା। ସେହିପରି ସ୍କୁଲ, କଲେଜ ଛାତ୍ରୀମାନଙ୍କୁ ସେଲଫ୍ ଡିଫେନ୍ସ ତାଲିମ୍ ଦିଆଯାଉଥିଲା। ସେମାନେ ଅସଦାଚରଣ ବା ଇଭ୍-ଟିଜିଂ ସମୟରେ ନିଜକୁ ଆତ୍ମରକ୍ଷା କରି ଖସି ଆସି ପାରୁଥିଲେ। ଏଭଳି ଘଟଣା ମଧ୍ୟ ସେତେବେଳେ ଲକ୍ଷ୍ୟ କରାଯାଇଥିଲା।
ହାଇଦ୍ରାବାଦ ଘଟଣା ପରେ ମହିଳାମାନଙ୍କ ସୁରକ୍ଷା ପାଇଁ କମିସନରେଟ୍ ପୁଲିସ୍ ପକ୍ଷରୁ ଏଭଳି ହିତକାରୀ ଯୋଜନା ସବୁକୁ ବନ୍ଦ କରିବା ଘଟଣାକୁ ନେଇ ବଦ୍ରିନାଥ ବିଶ୍ବାଳ ନାମକ ବ୍ୟକ୍ତି ଗତକାଲି ଟୁଇଟରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପ୍ରଶ୍ନ କରିଥିଲେ। ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ ତାଙ୍କ ଉତ୍ତରରେ କହିଥିଲେ, କୌଣସି ମହିଳା କିମ୍ବା ଯୁବତୀ ସମସ୍ୟାରେ ପଡ଼ିଲେ ପୁଲିସ କେଣ୍ଟ୍ରୋଲ ରୁମର ଡାଏଲ-୧୦୦କୁ ଫୋନ୍ କଲ କରି ପାରିବେ। ସେହିପରି ଯିଏ ପାରିବ ନିଜ ସ୍ମାର୍ଟଫୋନରେ ‘ସହାୟତା’ ମୋବାଇଲ୍ ଆପ୍ ଡାଉନଲୋଡ୍ କରିପାରିବେ।