ବାଲିପାଟଣା: ବାଲିପାଟଣା ଥାନା ବାଗଲପୁରରେ ପାଗଳ ମାଙ୍କଡ଼ଙ୍କ ଉତ୍ପାତ ଜାରି ରହିଛି। ଗତ କିଛି ଦିନ ବ୍ୟବଧାନରେ ୭ରୁ ଊର୍ଦ୍ଧ୍ବ ବ୍ୟକ୍ତି ମାଙ୍କଡ଼ କାମୁଡାରେ ଲହୁଲୁହାଣ ହୋଇଛନ୍ତି। ଆହତ ବ୍ୟକ୍ତିମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି।
ଆଜି ସକାଳୁ ବାଗଲପୁର ଗ୍ରାମର ମଞ୍ଜୁଲତା ମିଶ୍ର ମନ୍ଦିର ଯାଉଥିବା ସମୟରେ ତାଙ୍କୁ ଏକ ପାଗଳ ମାଙ୍କଡ଼ ଗୋଡେଇ ଗୋଡେଇ କାମୁଡି ଲହୁ ଲୁହାଣ କରିଦେଇଛି। ମହିଳାଙ୍କ ଶରୀରରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ଚିକିତ୍ସା ପାଇଁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଓ ଅବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ ହସ୍ପିଟାଲ୍କୁ ପଠାଇ ଦିଆଯାଇଛି।
ସେହିପରି ଗତକାଲି ସ୍ଥାନୀୟ ବିଦ୍ୟାଳୟରେ ୨୦ରୁ ଅଧିକ ମାଙ୍କଡ଼ ଆତଙ୍କ ଖେଳାଇ ଥିଲେ। ପିଲାଙ୍କୁ ଆକ୍ରମଣ କରିଥିଲେ। ତେଣୁ ଦୀର୍ଘ ୩ ଘଣ୍ଟା କାଳ ସ୍କୁଲ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ବାଲିପାଟଣା ବନାଞ୍ଚଳ ଅଧିକାରୀଙ୍କ ପାଖରେ ଖବର ଥାଇ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଅନ୍ୟପକ୍ଷରେ ରେଞ୍ଜର ମାନସ ମହାନ୍ତିଙ୍କ ସୂଚନା ଅନୁସାରେ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ୍ କରାଯିବା ପାଇଁ ପ୍ରକ୍ରିୟା ଜାରି ରହିଛି।