ଭୁବନେଶ୍ବର: ରାତିରେ କୂଆଖାଇ ନଦୀପଠାରେ ମଦ ପିଇ ଉତ୍ପାତ କରୁଥିବା ଯୁବକଙ୍କ ଉପରେ ଚଢ଼ଉ କରିବା ବଡ଼ଗଡ଼ ଥାନା ପୁଲିସ ଟିମ୍ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ମଦ ନିଶାରେ ଚୁର୍ ଥିବା ଯୁବକମାନେ ପୁଲିସ ଟିମ୍ର ନେତୃତ୍ବ ନେଇଥିବା ମହିଳା ଏସ୍ଆଇଙ୍କୁ ଠେଲାପେଲା, ଟଣାଓଟରା କରିବା ସହ ଅସଦାଚରଣ କରିଥିବା ଜଣାପଡ଼ିଛି। ଏହି ମାମଲାରେ ବଡ଼ଗଡ଼ ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ପ୍ରାୟ ୫ଜଣ ଫେରାର୍ ହୋଇଯାଇଛନ୍ତି। ଆଜି କୋର୍ଟ ଚାଲାଣ ହୋଇଥିବା ଦୁଇ ଅଭିଯୁକ୍ତ ତଥା ଦୁଇ ଭାଇ ହେଲେ ବାଲିଅନ୍ତା ରଙ୍ଗବଜାର ଅଞ୍ଚଳର ଦୁର୍ଗାପ୍ରସାଦ ପାତ୍ର(୨୯) ଓ ତାଙ୍କ ସାନ ଭାଇ ସଂଗ୍ରାମ କେଶରୀ ପାତ୍ର(୨୩)। ପୁଲିସ କେସ ନଂ-୨୮୫ରେ ଆଇପିସି ଦଫା ୩୫୩, ୩୩୨, ୩୫୪, ୨୯୪, ୫୦୬ ଏବଂ ୩୪ରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।
ସୂଚନା ମୁତାବକ ସୋମବାର ରାତି ପାଖାପାଖି ସାଢ଼େ ୧୦ଟା ବେଳେ କୂଆଖାଇ ନଦୀପଠାରେ କିଛି ଯୁବକ ମଦ ପିଇ ଉତ୍ପାତ କରୁଥିବା ନେଇ ବଡ଼ଗଡ଼ ଥାନାକୁ ଖବର ଆସିଥିଲା। ଏହି ସମୟରେ ଜଣେ ମହିଳା ଏସ୍ଆଇ ତାଙ୍କ ଟିମ୍ ଧରି ପାଟ୍ରୋଲିଂରେ ବାହାରିଥିଲେ। ତେଣୁ ସେ ପାଟ୍ରୋଲିଂ ଟିମ୍ ସହ ନଦୀପଠାରେ ପହଞ୍ଚିଥିଲେ। ପୁଲିସ ଟିମ୍କୁ ଦେଖି ନିଶାରେ ଥିବା ଯୁବକମାନେ ଭୟରେ ଛତ୍ରଭଙ୍ଗ ଦେବେ କ’ଣ, ପାଲଟା ଆକ୍ରମଣ କରିଥିଲେ। ପୁଲିସ ଟିମ୍କୁ ଗାଳିମନ୍ଦ କରି ଚାରିପଟୁ ଘେରିଯାଇଥିଲେ। ମହିଳା ଏସ୍ଆଇଙ୍କୁ ଠେଲାପେଲା, ଟଣାଓଟରା କରିଥିଲେ। ଏମିତିକି ତାଙ୍କୁ ଅସଦାଚରଣ କରିବାକୁ ବି ପଛାଇ ନଥିଲେ। ସ୍ଥିତି ଅଣାୟତ୍ତ ହେବା ଦେଖି ଅନ୍ୟ ପୁଲିସ କର୍ମଚାରୀମାନେ ଏସ୍ଆଇଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରିବା ସହ ତୁରନ୍ତ ଥାନାକୁ ଫୋନ୍ କରି ଜଣାଇଥିଲେ। ଖବର ପାଇ ଆଉ ଦୁଇଟି ପିସିଆର୍ ସେଠାରେ ପହଞ୍ଚିଥିଲା। ପୁଲିସ କର୍ମଚାରୀଙ୍କ ସଂଖ୍ୟା ଅଧିକ ଦେଖି ଦୁର୍ବୃତ୍ତମାନେ ଅନ୍ଧାରରେ ନଦୀପଠାରେ ଦୌଡ଼ି ପଳାଇଥିଲେ। କିନ୍ତୁ ପୁଲିସ ଗୋଡ଼ାଇ ଗୋଡ଼ାଇ ଦୁଇ ଭାଇ ଦୁର୍ଗାପ୍ରସାଦ ଓ ସଂଗ୍ରାମକୁ କାବୁ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/50-16.jpg)