୪ ମହଲାରୁ ଡେଇଁ ମହିଳା ମୃତ

ଭୁବନେଶ୍ୱର: ଝିଅ ଓ ଜ୍ବାଇଁଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ଜଣେ ମହିଳା ମାନସିକ ଭାରସାମ୍ୟ ହରାଇ ଆପାର୍ଟମେଣ୍ଟ୍‌ର ୪ମହଲାରୁ ‌େଡଇଁ ଆତ୍ମହତ୍ୟା କରିଛନ୍ତି। ସାଇନ୍ସ ପାର୍କ ପଛ‌ପଟେ ଥିବା ମଧୁସୂଦନନଗରର ଉତ୍କଳଭିଲ୍ଲା ଆପାର୍ଟମେଣ୍ଟରେ ଏଭଳି ଘଟଣା ଘଟିଛି। ମୃତ ମହିଳାଙ୍କ ନାମ ଦେବକୀ ପୃଷ୍ଟି(୭୦)। ଘର କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଅଞ୍ଚଳ। ଦୀର୍ଘଦିନ ହେବ ଏଠାରେ ଝିଅ ନଳିନୀ ପୃ୍ଷ୍ଟିଙ୍କ ପାଖରେ ରହୁଥିଲେ। ଖବରପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି।‌ ପୁଲିସ ମହିଳାଙ୍କ ଘରୁ ଏକ ସୁଇସାଡାଲ୍‌ ନୋଟ୍ ଜବତ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ଅଗଷ୍ଟ ୨୮ ତାରିଖରେ ଦେବକୀଙ୍କ ଝିଅ ତଥା ଓପେପାର ପୂର୍ବତନ ବିତ୍ତୀୟ ଉପଦେଷ୍ଟା ନଳିନୀ ପୃଷ୍ଟି ଓ ଗଞ୍ଜାମ ଜିଲ୍ଲା ଛତ୍ରପୁର ତହସିଲ୍‌ଦାର ବିଜୟ କେତନ ସାହୁଙ୍କୁ ଭିଜିଲାନ୍‌ସ ଗିରଫ କରିଥିଲା। ଯାହାକୁ ନେଇ ‌ନଳିନୀଙ୍କ ମା’ ଦେବକୀ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଝିଅ ଓ ଜ୍ବାଇଁଙ୍କୁ ଜାମିନ୍ ନ ମିଳିବାରୁ ସେ ଏପରି କରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର