ଫ୍ୟାନ୍‌ରେ ଝୁଲି ମହିଳାଙ୍କ ଆତ୍ମହତ୍ୟା

ଖଣ୍ଡଗିରି: ଶୁକ୍ରବାର ସନ୍ଧ୍ୟାରେ ଖଣ୍ଡଗିରି ଥାନା ପୁଲିସ ଡୁମୁଡୁମା ହାଉସିଂ ବୋର୍ଡ କଲୋନିର ଏକ ଘର ଭିତରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ମୃତା ମହିଳା ହେଲେ ସାଗରିକା କର(୨୫)। ତାଙ୍କ ସ୍ୱାମୀ ନିରଂଜନ ପଣ୍ଡା ଖୋର୍ଧାସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜରେ ଅଧ୍ୟାପକଭାବେ କାମ କରନ୍ତି। ପାରିବାରିକ କଳହକୁ ନେଇ ସାଗରିକା ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିଥିବା ସୂଚନା ଦେଇଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ଭୁବନେଶ୍ୱର ଏମ୍‌ସର ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ପୁଲିସ ସୂଚନାନୁସାରେ ନିରଂଜନ ଓ ସାଗରିକା ଡୁମୁଡୁମା ଫେଜ୍‌-୨ ପ୍ଲଟ ନମ୍ବର ୧୫୯୭ରେ ରହୁଥିଲେ। ଆଜି ନିରଂଜନ କଲେଜ ଯିବା ପରେ ସାଗରିକା ତାଙ୍କ ୪ ବର୍ଷର ଝିଅକୁ ଧରି ଘରେ ଏକାକୀ ରହିଥିଲେ। ଅପରାହ୍ଣ ପ୍ରାୟ ୧ଟାବେଳେ ସେ ପଡ଼ୋଶୀଙ୍କ ଘରେ ଝିଅକୁ ଛାଡ଼ିଥିଲେ। ଏହା ପରେ ସେ ନିଜ ଶୋଇବା ଘରକୁ ଯାଇ ବେକରେ ଓଢ଼ଣୀ ବାନ୍ଧି ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ। ଅପରାହ୍ଣ ପ୍ରାୟ ୪ଟାବେଳକୁ ନିରଂଜନ ଘରକୁ ଫେରିବା ପରେ କଥା ଜଣାପଡ଼ିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା କହିଛି।

ସମ୍ବନ୍ଧିତ ଖବର