ଭୁବନେଶ୍ୱର: ନାରୀ ହେଉଛି ସୃଜନଶୀଳତାର ଆରାଧ୍ୟା। ପ୍ରତିବନ୍ଧକର ଡୋର ଛିଡ଼ାଇ ନାରୀ ଆଗକୁ ବଢ଼ିଲେ, ସମାଜରେ ପରିବର୍ତ୍ତନ ହୁଏ। ଗୀତଗୋବିନ୍ଦ ସଦନରେ ଆୟୋଜିତ ମହିଳା ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ଉପନ୍ୟାସ ‘ମିସେସ୍ହାପିଲି ସିଙ୍ଗଲ’ର ଆଲୋଚନା ଉତ୍ସବରେ ଯୋଗଦେଇ ଅତିଥିମାନେ ଏଭଳି କହିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗାଳ୍ପିକ ତରୁଣକାନ୍ତି ମିଶ୍ର ଯୋଗଦେଇ ଶ୍ରୀମତୀ ଶର୍ମାଙ୍କ ଏହି ଉପନ୍ୟାସରେ ମାର୍ମିକ ଶୈଳୀରେ ଗୋଟିଏ ନାରୀର ଜୀବନଗାଥା ରୂପାୟିତ ହୋଇଛି ବୋଲି କହିଥିଲେ। ଉପନ୍ୟାସର ସ୍ୱଚ୍ଛନ୍ଦ, ଭାବମୟ ଭାଷା, ନାରୀତ୍ୱର ସ୍ୱୀକୃତି ଓ ସମ୍ମାନକୁ ଏହା ବର୍ଣ୍ଣନା କରୁଛି ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଭାବେ ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ଶତପଥୀ ଯୋଗଦେଇ କହିଥିଲେ ଯେ ନାରୀମାନଙ୍କ ଉପରେ ସର୍ବଦା ସାମାଜିକ ଚାପ ରହିଥାଏ। ଅନ୍ୟର ଖୁସି ଓ ଗ୍ରହଣୀୟତା ପାଇଁ ଅଧିକାଂଶ ସମୟରେ ସେମାନେ ନିଜକୁ ଛୋଟ କରିଦେଇଥାନ୍ତି। ଏହି ଉପନ୍ୟାସ ବର୍ଣ୍ଣିତ ଚରିତ୍ରଗୁଡ଼ିକ ସମାଜର ଏହି କଟକଣାକୁ ଭାଙ୍ଗି ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ପାଇଁ ନାରୀମାନଙ୍କୁ ପ୍ରେରଣା ଦେବ। ଅନ୍ୟତମ ଅତିଥି ଭାବେ କଥାକାର ସତ୍ୟ ମିଶ୍ର ଯୋଗଦେଇ ଏକ ମଧ୍ୟବିତ୍ତ ପରିବାରର ଝିଅଟିଏ କିଭଳି ପାରିବାରିକ ବନ୍ଧନ ଓ କଟକଣାରୁ ଊର୍ଦ୍ଧ୍ୱକୁ ଯାଇ ନିଜକୁ ସଶକ୍ତ କରିପାରିଛି, ତାହା ଏଥିରେ ଚମତ୍କାର ଭାବେ ବର୍ଣ୍ଣିତ ହୋଇଛି ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମିର ସଚିବ ଚନ୍ଦ୍ରଶେଖର ହୋତା ଯୋଗଦେଇ ଶ୍ରୀମତୀ ଶର୍ମାଙ୍କ ଲେଖାରେ ସବୁବେଳେ ରୋମାଞ୍ଚ ଥାଏ ବୋଲି କହିଥିଲେ। ପରିବାରରେ ସମ୍ପର୍କ କିଭଳି ଭାଙ୍ଗେ ଏବଂ ନାରୀଟିଏ ନିଜର ପରିଚୟ ସୃଷ୍ଟି କରିବା ପାଇଁ କିଭଳି ସଂଘର୍ଷ କରେ, ତାହାର ନିଚ୍ଛକ ପ୍ରତିଫଳନ ‘ମିସେସ୍ହାପିଲି ସିଙ୍ଗଲ’ ବୋଲି କହିଥିଲେ। ଲେଖିକା ତଥା ପ୍ରଶାସନିକ ଅଧିକାରୀ ଶୁଭା ଶର୍ମା ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରି ଏହି ପୁସ୍ତକ ରଚନା କରିବାକୁ ତାଙ୍କୁ ପାଖାପାଖି ୪ ବର୍ଷ ସମୟ ଲାଗିଛି ବୋଲି କହିବା ସହିତ ଏହାର କିଛି ଅଂଶ ପଢ଼ି ଶୁଣାଇଥିଲେ। କାର୍ଯ୍ୟକ୍ରମରେ ସୋନାଲି ସିହ୍ନା ମଞ୍ଚ ପରିଚାଳନା କରିଥିଲା ବେଳେ ଆରୁଷ ଶର୍ମା ଧନ୍ୟବାଦ ଦେଇଥିଲେ।
‘ନାରୀ ଚାହେ ଯଥାର୍ଥ ସ୍ବୀକୃତି ଓ ସମ୍ମାନ’
ନାରୀ ହେଉଛି ସୃଜନଶୀଳତାର ଆରାଧ୍ୟା। ପ୍ରତିବନ୍ଧକର ଡୋର ଛିଡ଼ାଇ ନାରୀ ଆଗକୁ ବଢ଼ିଲେ, ସମାଜରେ ପରିବର୍ତ୍ତନ ହୁଏ। ଗୀତଗୋବିନ୍ଦ ସଦନରେ ଆୟୋଜିତ ମହିଳା ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ....
/sambad/media/media_files/2025/10/19/untitled-14-2025-10-19-06-41-04.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)