ଭୁବନେଶ୍ବର: ରାଜ୍ୟରେ ନାରୀ ନିର୍ଯାତନା ଚରମ ସୀମାରେ। ରାଜ୍ୟବାସୀଙ୍କ ମଥା ଲଜ୍ଜାରେ ନଇଁ ଗଲାଣି, ମାତ୍ର ସରକାର ଜାଗ୍ରତ ନ ହେବା ଆଶ୍ଚର୍ଯ୍ୟ କରୁଛି। ନାରୀ ନିର୍ଯାତନା ସଂପର୍କିତ ଅନେକ ଘଟଣା ଲୋକଲୋଚନକୁ ଆସୁନାହିଁ। ଯେଉଁ ଅଭିଯୋଗ ଆସୁଛି ଏଥିରେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହେଉଛି ବୋଲି କହିଛନ୍ତି ନାରୀ ନ୍ୟାୟ ବାହିନୀର ଆବାହିକା ପ୍ରଫେସର ଗାୟତ୍ରୀ ବିଶ୍ବାଳ।

Advertisment

ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପ୍ରସଙ୍ଗରେ ବୁଦ୍ଧ ମନ୍ଦିରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀମତୀ ବିଶ୍ବାଳ କହିଲେ, ରାଜ୍ୟର ୪୪ ହଜାର ନିଖୋଜ ମହିଳା ଓ ଝିଅଙ୍କ ପତ୍ତା ମିଳୁନି। ବାଲେଶ୍ୱର ଘଟଣାର ୨୬ ଦିନ ବିତି ଯାଇଥିଲେ ସୁଦ୍ଧା ପ୍ରକୃତ ଅପରାଧୀ କିଏ ଏପର୍ଯ୍ୟନ୍ତ ରହସ୍ୟ ଘେରରେ। ବଳଙ୍ଗା ପୀଡ଼ିତା ୪ଥର ବୟାନ ଦେଇଥିଲେ। ପୀଡ଼ିତାଙ୍କ ଦେହାନ୍ତ ପରେ ପୁଲିସ ଉକ୍ତ ଘଟଣାରେ କେହି ସମ୍ପୃକ୍ତ ନ ଥିବା କହିବା ଆଦୌ ଗ୍ରହଣୀୟ ନୁହେଁ। ନିମାପଡ଼ା ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ସ୍ଥାନୀୟ ବିଧାୟିକା ହେଉଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଲଜ୍ୟାର ବିଷୟ ଯେ ତଥାପି ବଳଙ୍ଗା ଅପରାଧୀ ମୁକ୍ତ ଆକାଶ ତଳେ ବୁଲୁଛନ୍ତି। ଆଜି କେନ୍ଦ୍ରାପଡ଼ାରେ ଜଣେ  ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ଆତ୍ମାହୁତି ଦେଇଛନ୍ତି। ଯାହାକି ଓଡ଼ିଶା ପାଇଁ ପୁଣି ଲଜ୍ଜା। ପୁଲିସର ନିଷ୍କ୍ରିୟତା ପାଇଁ ଏଭଳି ଘଟଣା ଘଟୁଛି। 

ସେ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ କର୍ମଜୀବୀ ମହିଳାଙ୍କ ରାତ୍ରକାଳୀନ କାର୍ଯ୍ୟ କରିବାକୁ ନେଇ ଏକ ନିର୍ଦ୍ଦେଶାବଳୀ ଜାରି ହୋଇଛି। ମାତ୍ର ଏହାର ଗ୍ରହଣୀୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାର ଦିନରେ ନାରୀଙ୍କୁ ସୁରକ୍ଷା ଦେବାରେ ଅକ୍ଷମ। ତେଣୁ ରାତିରେ ମହିଳାଙ୍କୁ କିଏ ସୁରକ୍ଷା ଦେବ? ନାରୀ ନ୍ୟାୟ ବାହିନୀ ଗାଁକୁ ଗାଁ ଯାଇ ମହିଳାଙ୍କୁ ସଚେତନ କରିବା ସହ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ସହାୟତା ପ୍ରଦାନ କରିବ। ଅତ୍ୟାଚାରର ଶିକାର ହେଉଥିବା ମହିଳାଙ୍କୁ ନ୍ୟାୟ ପାଇଁ ଲଢ଼େଇ କରିବା ହେଉଛି ନାରୀ ନ୍ୟାୟ ବାହିନୀର ଲକ୍ଷ୍ୟ ବୋଲି ଶ୍ରୀମତୀ ବିଶ୍ୱାଳ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ନାରୀ ନ୍ୟାୟ ବାହିନୀ କୋର୍‌ କମିଟି ସଦସ୍ୟା ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ସୃଷ୍ଟି ସୋମେନ, ଶେଫାଳି ଶର୍ମା, ରଞ୍ଜୁକ୍ତା ବେହେରା, ସସ୍ମିତା ଘୋଷାଲ, ଜ୍ୟୋତ୍ସ୍ନା ବେହେରା ଓ ମଧୁମିତା ଦାସ ଉପସ୍ଥିତ ଥିଲେ।