ପୁରୁଣା ଭୁବନେଶ୍ବର: ଇଟିପୁର ପଞ୍ଚାୟତ ସମିତି ସଭ୍ୟା ନିରୁପମା ସାହୁ ଭୁବନେଶ୍ବର ବ୍ଲକ୍‌ ଅଧ୍ୟକ୍ଷା ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ପ୍ରଥମ କରି ରାଜନୀତିରେ ପାଦ ଦେଇଥିବା ନିରୁପମା ଏହି ବ୍ଲକ୍‌ର ସାଧାରଣ ବର୍ଗ ମହିଳା ଭାବେ ପ୍ରଥମ ଅଧ୍ୟକ୍ଷା ହୋଇଛନ୍ତି। ଓଡ଼ିଶା ଖଦି ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କ ସମର୍ଥନରେ ସେ ଏହି ପଦବି ହାସଲ କରିଥିବାରୁ ଭୁବନେଶ୍ବର ବ୍ଲକ୍ ବିଜେଡି ହାତକୁ ଯାଇଥିବା ଚର୍ଚ୍ଚା ହେଉଛି। ବିଜେପି ଓ କଂଗ୍ରେସର ସମିତି ସଭ୍ୟମାନେ ନିରୁପମାଙ୍କୁ ସମର୍ଥନ ଦେଇ ଏହି ପଦବି ପାଇଁ ବିଜେଡିର ଅନ୍ୟତମ ଦାବିଦାରଙ୍କୁ ପଛରେ ପକାଇ ଦେଇଥିବା ଆଲୋଚନା ହେଉଛି।

Advertisment

ସୂଚନାଯୋଗ୍ୟ, ଏହି ବ୍ଲକ୍‌ରେ ପଞ୍ଚାୟତ ସଂଖ୍ୟା ୨୦। ତେଣୁ ଅଧ୍ୟକ୍ଷା ପଦ ପାଇଁ ୧୧ ଜଣ ସମିତି ସଭ୍ୟଙ୍କ ସମର୍ଥନ ଆବଶ୍ୟକ। ପୂର୍ବରୁ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ଶିବିରରୁ ନଁପୁଟ ଓ ତମାଣ୍ଡୋ ପଞ୍ଚାୟତ ସମିତି ସଭ୍ୟାଙ୍କ ନାମକୁ ନେଇ ଜୋର୍‌ଦାର୍‌ ଚର୍ଚ୍ଚା ହୋଇଥିଲା। ପରେ ଏହି ରେସ୍‌ରେ ତମାଣ୍ଡୋ ସମିତି ସଭ୍ୟା ଓ ଇଟିପୁର ସମିତି ସଭ୍ୟା ନିରୁପମା ରହିଥିଲେ। ମାତ୍ର ଏଥିପାଇଁ ବିଜେଡି ଶିବିରରେ ଭିଡ଼ାଓଟରା ଲାଗି ରହିଲା।

ବିଜେଡିର ଏହି ବିବାଦକୁ ବିଜେପି ଓ କଂଗ୍ରେସର ସମିତି ସଭ୍ୟମାନେ ମଉକା ଭାବେ ନେଇ ନିରୁପମାଙ୍କୁ ସମର୍ଥନ କଲେ। ଫଳରେ ନିରୁପମାଙ୍କୁ ଆବଶ୍ୟକ ସମିତି ସଭ୍ୟଙ୍କ ସମର୍ଥନ ମିଳିଗଲା। ଏହା ସ୍ପଷ୍ଟ ହେବା ପରେ ବିଜେଡି ତା’ର ରଣନୀତି ବଦଳାଇ ଦେଇଥିଲା। କର୍ଣ୍ଣ ମଲେ ପାଞ୍ଚ ଅର୍ଜୁନ ମଲେ ପାଞ୍ଚ ନ୍ୟାୟରେ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ଶିବିର ଶେଷ ପର୍ଯ୍ୟନ୍ତ ନିର୍ବାଚନ ରେସ୍‌‌ରେ ରହିବା ପ୍ରଚାର କଲା ଓ ଆଜି ‌ଶେଷ ମୁହୂର୍ତ୍ତରେ ନିର୍ବାଚନରୁ ଓହରିଗଲା। ଶେଷରେ କେବଳ ନିରୁପମା ହିଁ ପ୍ରାର୍ଥିପତ୍ର ଦାଖଲ କରି ବିଜୟୀ ହେଲେ। ନିର୍ବାଚନ ଅଧିକାରୀ ତାଙ୍କୁ ବିଜୟୀ ଘୋଷଣା କରିବା ପରେ ଖଦି ବୋର୍ଡ ଅଧ୍ୟକ୍ଷ ଶ୍ରୀ ପାଇକରାୟ ବ୍ଲକ୍‌ କାର୍ଯ୍ୟାଳୟ‌ରେ ପହଞ୍ଚି ନିରୁପମାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ବାଲିପାଟଣାରେ ଜିତିଲେ ହରପ୍ରିୟା

publive-image

ଭୁବନେଶ୍ବର: ବାଲିପାଟଣା ବ୍ଲକ ଅଧ୍ୟକ୍ଷା ଭାବେ କୁରୁଞ୍ଜିପୁର ପଞ୍ଚାୟତର ସମିତି ସଭ୍ୟା ହରପ୍ରିୟା ଦାଶ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ବରିଷ୍ଠ ବିଜେଡି ନେତା ଚନ୍ଦନ ପାତ୍ରଙ୍କ ସମର୍ଥିତ ହରପ୍ରିୟା ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ହରପ୍ରିୟାଙ୍କ ସପକ୍ଷରେ ୧୨ଜଣ ସମିତି ସଭ୍ୟ/ସଭ୍ୟା ସମର୍ଥନ ଜଣାଇଥିଲେ। ହେଲେ ତାଙ୍କ ବିରୋଧରେ ଅନ୍ୟ କୌଣସି ପ୍ରାର୍ଥୀ ଆଉ ନାମାଙ୍କନପତ୍ର ଦାଖଲ କରିନଥିବାରୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ଘୋଷିତ ହୋଇଥିଲେ।

ରେଜ୍ୟୁଲେସନ ରେକର୍ଡରେ ସମସ୍ତ ସଭ୍ୟ ଦସ୍ତଖତ କରି ସମ୍ମତି ଜଣାଇଥିଲେ। ଗ୍ରାମ ପଞ୍ଚାୟତ ଅଧିକାରିଣୀଙ୍କ ସୂଚନା ଅନୁସାରେ ପୂର୍ବାହ୍ନ ସାଢ଼େ ୧୦ଟା ସୁଦ୍ଧା ୧୨ଟି ପଞ୍ଚାୟତର ସମିତି ସଭ୍ୟମାନେ ବ୍ଲକ ନିର୍ବାଚନ କକ୍ଷକୁ ଯାଇଥିଲେ। ହେଲେ ନିର୍ଦ୍ଧାରିତ ସମୟ ସୁଦ୍ଧା ବାକି ୫ ଜଣ ସମିତି ସଭ୍ୟ ନପହଞ୍ଚିବାରୁ ହରପ୍ରିୟାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ବାଲିପାଟଣା ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିଲେ। ଭୁବନେଶ୍ବର ବିଡିଓ ରମେଶ ଚନ୍ଦ୍ର ସେଠୀ ଅତିରିକ୍ତ ନିର୍ବାଚନ ଅଧିକାରୀ ଭାବେ ସହଯୋଗ କରିଥିଲେ। ୫ ଜଣ ସମିତି ସଭ୍ୟ ସଂପୃକ୍ତ ଗୋଷ୍ଠୀଙ୍କୁ ନିଜର ସମର୍ଥନ ନଜଣାଇବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ବାଲିଅନ୍ତାରେ ବାଜି ମାରିଲେ ବାସନ୍ତୀ

publive-image

ବାଲିଅନ୍ତା: ବାଲିଅନ୍ତା ବ୍ଲକ୍‌ ଅଧ୍ୟକ୍ଷା ପଦକୁ ନେଇ ବିଜେଡି-ବିଜେଡି ମଧ୍ୟରେ ଲାଗିଥିବା ଛକାପଞ୍ଝାରେ ଚନ୍ଦନ ପାତ୍ରଙ୍କ ଗୋଷ୍ଠୀର ବାସନ୍ତୀ ଖଟୁଆ ବାଜି ମାରିନେଇଛନ୍ତି। ବିଜେଡି ବିଧାୟକ ଅରବିନ୍ଦ ଡାଲିଙ୍କ ସମର୍ଥକ ଓ ବିଜେଡି ନେତା ଚନ୍ଦନ ପାତ୍ରଙ୍କ ସମର୍ଥକଙ୍କ ମଧ୍ୟରେ ଚାଲିଥିବା ବଳ କଷାକଷିରେ ଚନ୍ଦନଙ୍କ ଜିତାପଟ୍‌ ହୋଇଛି। ଜଗନ୍ନାଥପୁର ପଞ୍ଚାୟତ ସମିତି ସଭ୍ୟା ବାସନ୍ତୀ ଖଟୁଆ ବ୍ଲକ୍‌ ଅଧ୍ୟକ୍ଷା ହୋଇଛନ୍ତି। ମୋଟ ୧୬ ସମିତି ସଭ୍ୟଙ୍କ ମଧ୍ୟରୁ ବାସନ୍ତୀ ୧୦ ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି।

ସୂଚନାଯୋଗ୍ୟ, ବିଧାୟକଙ୍କ ଗୋଷ୍ଠୀ ପକ୍ଷରୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦ୍ବାରିକାନାଥ ଦାଶ, ବିଧାୟକଙ୍କ ପ୍ରତିନିଧି ଅଚ୍ୟୁତାନନ୍ଦ ପାତ୍ର, ବିରଞ୍ଚି ନାରାୟଣ କର, ଦୁର୍ଗାନନ୍ଦନ ମିଶ୍ର, ତ୍ରୈଲୋକ୍ୟ ମଙ୍ଗରାଜ, ବିଜୟ କୁମାର ନାୟକ, ପୂର୍ବତନ ବ୍ଲକ୍‌ ଉପାଧ୍ୟକ୍ଷ ଦୀପକ ସ୍ବାଇଁ ଓ ବିରଞ୍ଚି ନାରାୟଣ କର ପ୍ରମୁଖ ନିର୍ବାଚନ ମଙ୍ଗ ଧରିଥିଲେ। ସେମାନଙ୍କ ବିପକ୍ଷରେ ଥିଲେ ଚନ୍ଦନ ପାତ୍ରଙ୍କ ଗୋଷ୍ଠୀ। ପଞ୍ଚାୟତ ନିର୍ବାଚନ ପରେ ପରେ ବ୍ଲକ୍‌ର ୧୬ ସମିତି ସଭ୍ୟରୁ ଉଭୟ ଶିବିରରେ ସମାନ ଆଠ ଆଠ ସମିତି ସଭ୍ୟ ରହିଥିଲେ। ଆଉ ଜଣେ ସମିତି ସଭ୍ୟଙ୍କୁ ନିଜ ପକ୍ଷକୁ ନେଇ ଅଧ୍ୟକ୍ଷା ଆସନ ଦଖଲ କରିବାକୁ ଉଭୟ ପକ୍ଷ ଜୋର୍‌ ଲଗାଇ ଦେଇଥିଲେ।

ଦୁଇ ପକ୍ଷ ନିଜ ନିଜ ଶିବିରରେ ଥିବା ସମିତି ସଭ୍ୟମାନଙ୍କୁ ଲଚାଇ ରଖି ଗୋଟିଚାଳନା ଚଳାଇଥିଲେ। ଶେଷ ପର୍ଯ୍ୟନ୍ତ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବା ସ୍ପଷ୍ଟ ହୋଇନଥିଲା। ଏମିତିକି ଆଜି ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ବି କେହି କିଛି ବୁଝିବା ସ୍ଥିତି ନଥିଲା। କଡ଼ା ସୁରକ୍ଷା ବଳୟରେ ଦୁଇ ପକ୍ଷର ସମିତି ସଭ୍ୟମାନେ ବ୍ଲକ୍‌ କାର୍ଯ୍ୟାଳୟକୁ ପ୍ରବେଶ କରିଥିଲେ। ଚନ୍ଦନଙ୍କ ଗୋଷ୍ଠୀରୁ ବାସନ୍ତୀ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ତାଙ୍କ ବିପକ୍ଷରେ ପୂରଣପ୍ରଧାନ ପଞ୍ଚାୟତର ସମିତି ସଭ୍ୟା‌ ମମତା ମାହାରି ନାମାଙ୍କନ ପତ୍ର ଦାଖଲ କରିଥିଲେ।

ବାସନ୍ତୀଙ୍କୁ ୧୦ ଭୋଟ୍‌ ମିଳିଥିବା ବେଳେ ମମତାଙ୍କୁ ୫ ଭୋଟ୍‌ ମିଳିଥିଲା ଓ ଗୋଟିଏ ଭୋଟ୍‌ ନାକଚ ହୋଇଯାଇଥିଲା। ତେଣୁ ଚନ୍ଦନଙ୍କ ବିପକ୍ଷ ଗୋଷ୍ଠୀରୁ ୩ ସମିତି ସଭ୍ୟ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ବାସନ୍ତୀଙ୍କୁ ସମର୍ଥନ କରିଯାଇଥିଲେ। ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ ବେଳେ ଚନ୍ଦନଙ୍କ ଗୋଷ୍ଠୀ ବିଧାୟକଙ୍କ ବିନା ସମର୍ଥନରେ ୩ ଜିଲ୍ଲା ପରିଷଦ ଜୋନ୍‌ ଟିକେଟ୍‌ ହାତେଇଥିଲେ ଓ ଏହି ଟିକେଟ୍‌ ବଣ୍ଟନକୁ ନେଇ ବିଜେଡି ଦୁଇ ଭାଗ ହୋଇଯାଇଥିଲା।

ଚନ୍ଦନଙ୍କ ଗୋଷ୍ଠୀ ବିରୋଧରେ ଅସନ୍ତୁଷ୍ଟ ବିଜେଡି ଗୋଷ୍ଠୀ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପଦବି ପାଇଁ ପ୍ରାର୍ଥୀ ଦେଇଥିଲେ। ତେବେ ଚନ୍ଦନଙ୍କ ଗୋଷ୍ଠୀ ୩ଟିଯାକ ଜିଲ୍ଲା ପରିଷଦ ‌ସଭ୍ୟ ହାତେଇବାରେ ସକ୍ଷମ ହୋଇଥିଲା। ତେଣୁ ବ୍ଲକ୍ ଅଧ୍ୟକ୍ଷା ନିର୍ବାଚନରେ ତାଙ୍କୁ ମାତ୍ ଦେବାକୁ ବିପକ୍ଷ ଗୋଷ୍ଠୀ ଗୋଟିଚାଳନା କରିଥିଲେ। ମାତ୍ର ସେଥିରେ ବି ସେମାନେ ବିଫଳ ହୋଇଛନ୍ତି।

ସାବିତ୍ରୀ ବାରଙ୍ଗ ବ୍ଲକ୍ ଅଧ୍ୟକ୍ଷା

publive-image

ବାରଙ୍ଗ/ ତ୍ରିଶୁଳିଆ: ନରାଜ-ମାର୍ଥାପୁର ପଞ୍ଚାୟତର ସମିତି ସଭ୍ୟା ସାବିତ୍ରୀ ଦଳେଇ ବାରଙ୍ଗ ବ୍ଲକ୍‌ର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ବ୍ଲକ୍‌ର ୧୬ ପଞ୍ଚାୟତରୁ ଆଜି ନିର୍ବାଚନ ପାଇଁ ୧୩ ଜଣ ସମିତି ସଭ୍ୟ ଉପସ୍ଥିତ ଥିବା ବେଳେ ଅନ୍ୟ କେହି ପ୍ରାର୍ଥିପତ୍ର ଦାଖଲ କରିନଥିଲେ। ସାବିତ୍ରୀଙ୍କୁ ସମସ୍ତେ ସମର୍ଥନ କରିଥିଲେ। ତେଣୁ ସାବିତ୍ରୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ତେବେ ଆଜି ନିର୍ବାଚନରେ ମଧୁପୁର ସମିତି ସଭ୍ୟ କିଷନ୍‌ କୁମାର ଜେନା ଓ ଦାଢ଼ାପାଟଣା ସମିତି ସଭ୍ୟା ବନାନୀ ସ୍ୱାଇଁ, ଶ୍ରୀବନ୍ତପୁର ସମିତି ସଭ୍ୟା ମୋନାଲିସା ପ୍ରଧାନ ଅନୁପସ୍ଥିତ ଥିଲେ।

ନିର୍ବାଚିତ ହେବା ପରେ ପ୍ରତିକ୍ରିୟାରେ ସାବିତ୍ରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ସେ ବ୍ଲକ୍‌କୁ ସାମିଲ୍ କରିବେ। ସମସ୍ତ ୧୬ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ଓ ସମସ୍ତ ସରକାରୀ ଯୋଜନାକୁ ସଫଳତାର ସହିତ ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ସେ କାର୍ଯ୍ୟ କରିବେ। ସାବିତ୍ରୀଙ୍କ ବିଜୟ ପରେ ବାରଙ୍ଗ ବିଜେଡି ମହଲରେ ଖୁସିର ବାତାବରଣ ସୃଷ୍ଟି ହୋଇଛି।

ଜଟଣୀରେ ଜୟନ୍ତୀ

publive-image

ଜଟଣୀ: ଶନିବାର ସମିତି ଅଧ୍ୟକ୍ଷ ନିର୍ବାଚନଲାଗି ବ୍ଲକ କାର୍ଯ୍ୟାଳୟ ପରିସରରେ ସମସ୍ତ ଆୟୋଜନ ସରିଥିବା ବେଳେ ସାଢେ ୧୦ଟାରୁ ସାଢେ ୧୧ଟା ସମୟ ମଧ୍ୟରେ ଆଶାୟୀ ପ୍ରାର୍ଥୀଙ୍କ ନାମାଙ୍କନକୁ ଅପେକ୍ଷା କରାଯାଇଥିଲା। ୧୧.୩୦ରୁ ୧୨.୩୦ ମଧ୍ୟରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ୧୨.୩୦ରୁ ମଧ୍ୟାହ୍ନ ୧ଟା ପ୍ରାର୍ଥିପତ୍ର ପ୍ରତ୍ୟାହାର ଲାଗି ସମୟ ରହିଥିଲା।

ଏହି ସମୟ ମଧ୍ୟରେ କେବଳ ସମିତିସଭ୍ୟ ଜୟନ୍ତୀ ଛୋଟରାୟ ନାମାଙ୍କନ ଦାଖଲ କରିଥିଲେ। ଜୟନ୍ତୀଙ୍କ ପ୍ରତିଦ୍ବନ୍ଦ୍ବୀ ଭାବେ କେହି ନାମାଙ୍କନପତ୍ର ଦାଖଲ କରି ନଥିଲେ। ଫଳରେ ନୂତନ ବ୍ଲକ୍ ଅଧ୍ୟକ୍ଷା ଭାବେ ଜୟନ୍ତୀ ଛୋଟରାୟଙ୍କୁ ନିର୍ବାଚିତ କରାଯାଇଥିଲା।