ଭୁବନେଶ୍ୱର : ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ରିପୋର୍ଟ ଅନୁଯାୟୀ ଦେଶରେ ସାଧାରଣ ଅପରାଧଠାରୁ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ୨୦୧୬ ମସିହାରେ ୨୬% ବୃଦ୍ଧି ପାଇଛି। ୨୦୧୬ରେ ସାଧାରଣ ଅପରାଧ ୨.୬ ପ୍ରତିଶତ ହୋଇଥିବା ବେଳେ ମହିଳାମାନଙ୍କ ଉପରେ ଅପରାଧ ଥିଲା ୨.୯ ପ୍ରତିଶତ। ପୁଣି ଦୁଷ୍କର୍ମ ୧୩.୯% ବୃଦ୍ଧି ପାଇଛି। ଏଭଳି ସାଂଘାତିକ ପରିସ୍ଥିତିରେ ମହିଳା ଅଧିକ ସଚେତନ ହେବା ସହ ଆଇନ୍ କାନୁନ୍ କଡାକଡ଼ି ହେବା ଉଚିତ୍ ବୋଲି କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ଏହାସହ ମହିଳାମାନେ ଏହିସବୁ ଅପରାଧ ବିରୋଧରେ ଅଭିଯୋଗ ନୁହେଁ ପ୍ରତିବାଦ କରିବା ଉଚିତ୍। ଆଜି ‘ଷ୍ଟେଟ୍ ପ୍ରୋଗ୍ରେସିଭ୍ ଓ୍ଵିମେନ୍ସ୍୍ ଫୋରମ୍’ ପକ୍ଷରୁ ‘ମହିଳା ଓ ଶିଶୁ ଅଧିକାର ମହାସମ୍ମେଳନ-୨୦୧୭’ରେ ମୁଖ୍ୟ ଅତିଥି ଶ୍ରୀ ସାମଲ ଏହା କହିଛନ୍ତି। ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାଂସଦ ପ୍ରତାପ ଦେବ କହିଲେ, ଶିକ୍ଷା, ସଚେତନତା ଓ ସ୍ୱାସ୍ଥ୍ୟ ମହିଳା ଓ ଶିଶୁ ବିକାଶର ମୁଖ୍ୟ କାରଣ ହୋଇପାରିବ। କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଥିଲେ ଇଣ୍ଡୋନେସିଆର ଆଶ୍ରମ ଗାନ୍ଧୀପୁରୀର ଅଧ୍ୟକ୍ଷ ଅଗସ୍ ଇନ୍ଦ୍ରା ଉଡାୟାନ୍, ପୂର୍ବତନ ବିଚାରପତି ଏ.ଏସ୍ ନାଇଡୁ, ଜଗତ୍ସିଂହପୁର ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ, ରାଜ୍ୟ ସମାଜମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଲତିକା ପ୍ରଧାନ ଓ ସାମାଜିକ ଉଦ୍ୟୋଗୀ ଅଲ୍ପା ଶାହ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ପ୍ରାୟ ୧୮ଟି ରାଜ୍ୟରୁ ୫୦୦ରୁ ଊର୍ଧ୍ୱ ମହିଳା ପ୍ରତିନିଧି ଉପସ୍ଥିତ ଥିଲେ। ଏହି ଅବସରରେ ମହିଳା ଓ ଶିଶୁ ବିକାଶ ଏବଂ ଅଧିକାର ଉପରେ ୨ଟି ଅଧିବେଶନରେ ବିଭିନ୍ନ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଷ୍ଟେଟ୍ ପ୍ରୋଗ୍ରେସିଭ୍ ଓ୍ଵିମେନ୍ସ୍ ଫୋରମ୍ର ଅଧ୍ୟକ୍ଷା ମମତା ସାମନ୍ତରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂପାଦିକା ମୀନାକ୍ଷୀ ପୃଷ୍ଟି ଧନ୍ୟବାଦ ଜଣାଇଥିଲେ।