ନାରୀମାନେ ଆଉ ଦୁର୍ବଳା ହୋଇ ନାହାନ୍ତି: ଶର୍ମିଲା ଟାଗୋର୍‌

ଷାଠିଏ ଓ ସତୁରି ଦଶକରେ ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀ ପଦ୍ମଭୂଷଣ ଶର୍ମିଲା ଟାଗୋର। କେବଳ ଏତିକିରେ ତାଙ୍କ ପରିଚୟ ସୀମିତ ନୁହେଁ। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମନସୁର ଅଲ୍ଲି ଖାଁ ପଟ୍ଟାଉଦିଙ୍କ ସହଧର୍ମିଣୀ ଏବଂ ବଲିଉଡ୍‌ ତାରକା ସୈଫ୍‌ ଅଲ୍ଲି ଖାଁଙ୍କର ମା’। ବୟସ ୭୪ ଛୁଇଁଲାଣି। ହେଲେ ଚେହେରାରେ ବୟସର ଛାପ ପଡ଼ିନାହିଁ। ଏବେବି ସେ ଯେମିତି ସୁନ୍ଦର ସେମିତି ସକ୍ରିୟ। ଜୀବନରେ କେବେବି ସେ ନିଜକୁ ଦୁର୍ବଳା ଭାବି ନାହାଁନ୍ତି। ପିଲାଟି ଦିନକୁ ନିଜେ ନିଜକୁ ସୁରକ୍ଷା କରିବା କୌଶଳ ପରିବାରରୁ ଶିକ୍ଷା କରିଛନ୍ତି। ଆଜି ସମାଜରେ ଜଣେ ସଫଳ ନାରୀ ଭାବେ ଅନ୍ୟ ନାରୀମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ବିଶ୍ୱ ମହିଳା ଦିବସରେ ‘କିଟ୍‌’ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ତାଙ୍କୁ ଭେଟିଥିଲେ ଆମ ପ୍ରତିନିଧି ବିଦ୍ୟାଧର ବାରିକ।

ଆଜିର ସମାଜରେ ନାରୀ କେତେ ସୁରକ୍ଷିତ?
ନାରୀ ଆଜି ନିଜକୁ ବେଶ୍‌ ସୁରକ୍ଷିତ ମନେ କରିପାରୁଛି। ଏହା ପାଇଁ କେବଳ ପୁରୁଷମାନଙ୍କ ସକାରାତ୍ମକ ଚିନ୍ତାଧାରା ଦାୟୀ। ଅପରପକ୍ଷରେ କିଛି ମାତ୍ରାରେ ନାରୀ ଅସୁରକ୍ଷିତ ବୋଲି ଯାହା ମନେ କରୁଛି, ସେଥିପାଇଁ ନାରୀ ନିଜେ ଦାୟୀ। କାରଣ ପୋଷାକ, ଚାଲି ଚଳଣି, ଆଚାର ବ୍ୟବହାର ଓ ମେଳାପି ହେବାର ଗୁଣକୁ ମାର୍ଜିତ ନକଲେ ଜଣେ ନାରୀ ପୁରୁଷଙ୍କ ଲୋଲୁପ ଦୃଷ୍ଟିର ଶିକାର ହୋଇଥାଏ। ତେଣୁ ସବୁଠାରୁ ବଡ଼ କଥା ହେଲା ନିଜର ନିତିଦିନିଆ କାର୍ଯ୍ୟକଳାପରେ ସଂସ୍କାର ଆଣିଲେ ଜଣେ ନାରୀ ନିଜକୁ କେବେବି ଅସୁରକ୍ଷିତ ମନେକରିବ ନାହିଁ। ଆଗାମୀ ଦିନରେ ନାରୀମାନଙ୍କୁ ଶିକ୍ଷା ହଁ ସମାଜରେ ସୁରକ୍ଷା ପ୍ରଦାନ କରିବ।

କୁହାଯାଏ ନାରୀ ହିଁ ନାରୀର ଶତ୍ରୁ। ଏ ନେଇ ଆପଣଙ୍କ ମତ କ’ଣ?
ଏହା କେବଳ ଚଳଚ୍ଚିତ୍ର ଓ ଟେଲିଭିଜନ ଧରାବାହିକରେ ଦେଖିବାକୁ ମିଳିଥାଏ। ଯାହାକୁ ଦେଖି ସାଧାରଣ ନାରୀ ମଧ୍ୟ ନିଜ ପରିବାରର ଝିଅ, ବୋହୂ ଓ ଅନ୍ୟ ମହିଳାମାନଙ୍କୁ ଖରାପ ଦୃଷ୍ଟିରେ ଦେଖିଥାଏ। ଏପରି ତଥାକଥିତ ଦୃଶ୍ୟକୁ ପ୍ରଥମେ ଟେଲିଭିଜନରୁ ବାଦ୍‌ ଦେବା ଦରକାର। ଗଣମାଧ୍ୟମ ଶିକ୍ଷାଭିତ୍ତିକ କଥାକୁ ଭଲଭାବରେ ଦେଖାଇଲେ ସାଧାରଣ ଲୋକ ଭଲ କଥା ଶିକ୍ଷା କରିବେ। କଥାକଥିତ କଥା ସବୁ ଭୁଲ ପ୍ରମାଣିତ ହେବ। ମୋ’ମତରେ ନାରୀ ନାରୀର ଶତ୍ରୁ ନୁହେଁ ବରଂ ଶିକ୍ଷିତ ନାରୀ ସମସ୍ତଙ୍କ ମିତ୍ର।

ନାରୀକୁ ସ୍ୱତନ୍ତ୍ର କୋଟା ମିଳିବା ପରେ ପୁରୁଷମାନେ ନିର୍ଯାତିତ ହେଉ ନାହାଁନ୍ତି ତ?
ପୁରୁଷ ସବୁବେଳେ ନାରୀଙ୍କୁ ନିର୍ଯାତନା ଦେଇ ଆସୁଛି ବୋଲି ଆମେ ଦେଖି ଆସୁଥିଲୁ। ଏବେ ପୁରୁଷ ନାରୀଙ୍କ ଠାରୁ ନିର୍ଯାତିତ ହେଉଥିବା ଉଦାହରଣ ଦେଖିବାକୁ ମିଳୁଛି। ଯାହାର ପରିମାଣ ୧୦୦ରୁ ୧ଭାଗ ହୋଇପାରେ। ତେବେ ନିର୍ଯାତିତ ପୁରଷ ପାଇଁ ତା’ର ପରିବାର ଲୋକ ପାଖରେ ଥିଲା ବେଳେ ଜଣେ ନିର୍ଯାତିତ ନାରୀ ପାଇଁ ତା’ର ଶାଶୂ ଘରେ କେହି ଜଣେ ନିଜର ହୋଇ ବାହାରି ନ ଥାନ୍ତି। ତେଣୁ ଯେଉଁ ଦିନଠାରୁ ଶାଶୂ ତା’ର ବୋହୂକୁ ଝିଅ ଭଳି ଗ୍ରହଣ କରିବ ସେହିଦିନଠାରୁ ନାରୀ ତା’ର ଶାଶୂ ଘରକୁ ବାପଘର ବୋଲି ଭାବିବାକୁ ପଛାଇବ ନାହିଁ। ଏସବୁ ପଛରେ ସବୁଠାରୁ ବଡ଼ କର୍ତବ୍ୟ ତା’ର ସ୍ୱାମୀର। ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବୁଝାମଣାର ଅଭାବ ରହୁଥିବାରୁ କିଛି ଚାଲାକ ନାରୀ ତା’ଙ୍କ ସ୍ୱାମୀମାନଙ୍କୁ ନିର୍ଯାତନା ଦେଉଛନ୍ତି ବୋଲି କହି ହେବ।

ଲିଙ୍ଗ ସମାନତା ଦେଶରେ କେତେ ଦୂର ପାଳନ ହୋଇପାରିଛି?
ଆମ ଦେଶରେ ଏସବୁ କେବଳ ଖାତା କଲମରେ ସୀମିତ ହୋଇ ରହିନାହିଁ। ବର୍ତମାନର ସରକାର ନାରୀଙ୍କ ସମ୍ମାନ ରକ୍ଷା ନେଇ ଅନେକ ଯୋଜନା ଆରମ୍ଭ କରିଛନ୍ତି। ଯାହାଫଳରେ ଆଜି ମେଟ୍ରୋ ସିଟିରେ ରାତି ୧୨ଟାରେ ମଧ୍ୟ ନାରୀଟି ସୁରକ୍ଷିତ ଭାବେ ରାସ୍ତା ଉପରେ ଚାଲି ଯାଇପାରୁଛି। ଲିଙ୍ଗ ସମାନତା ଆଜି ନାରୀଙ୍କୁ ପୁରୁଷଙ୍କ ଭଳି କୁଶଳୀ ଓ ଦକ୍ଷ କରିଛି। ପୂର୍ବରୁ ହିରୋକୁ ନେଇ ଚଳଚ୍ଚିତ୍ର ହିଟ୍‌ ହେଉଥିବା ବେଳେ ଏବେ ନାରୀର କାହାଣୀକୁ ନେଇ ଅନେକ ଚଳଚ୍ଚିତ୍ର ବକ୍ସ ଅଫିସ୍‌ ରେକର୍ଡ ଭାଙ୍ଗିଥିବା ଉଦହରଣ ଦେଖାଯାଉଛି। ତେଣୁ କହି ହେବ ଲିଙ୍ଗ ସମାନତା ଦେଶରେ ଦ୍ରୁତ ଗତିରେ ଆଗେଇଛି।

ସମ୍ବନ୍ଧିତ ଖବର