ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ, ହତ୍ୟା ସନ୍ଦେହ

ଭୁବନେଶ୍ୱର: ସହିଦନଗର ଥାନା ଅଧୀନ ୟୁନିଟ୍‌-୯ ଅଞ୍ଚଳରୁ ଆଜି ଜଣେ ମହିଳାଙ୍କ ଅର୍ଧଦଗ୍ଧ ମୃତଦେହକୁ ପୁଲିସ ଜବତ କରିଛି। ମୃତ ମହିଳାଜଣଙ୍କ ହେଲେ, ରେଖା ପାତ୍ର(୪୮)। ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ଏକ ମାମଲା ରୁଜୁ କରିଛି। ତେବେ ମହିଳାଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି, ପୁଲିସ ସ୍ପଷ୍ଟ କରିନାହିଁ। ଅପରପକ୍ଷେ ରେଖାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଛି ବୋଲି ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। ପୁଲିସ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମହିଳାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରିବ ବୋଲି ପୁଲିସ କହିଛି। ପୁଲିସ ସୂଚନା ମୁତାବକ, ଆଜି ସକାଳ ପ୍ରାୟ ସାଢ଼େ ୫ଟା ବେଳେ ଘର ସମ୍ମୁଖରେ ରେଖା ଜଳୁଥିବା ଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ସହିଦନଗର ଥାନା ପୁଲିସ ସେଠାରେ ପହଞ୍ଚିଲା ବେଳକୁ ରେଖା ସଂଜ୍ଞାହୀନ ଅବସ୍ଥାରେ ତଳେ ପଡ଼ିଥିଲେ। ସେଠାରେ ଏକ କିରାସିନି ଜାର୍‌ ପଡ଼ିଥିଲା। ପୁଲିସ ତାଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ରେଖା ନିଜେ ଦେହରେ ନିଆଁ ଲଗାଇଛନ୍ତି ନା ତାଙ୍କୁ କେହି ପୋଡ଼ି ମାରି ଦେଇଛି, ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

ଅନ୍ୟପଟେ ରେଖାଙ୍କ ସ୍ୱାମୀ ନିରଂଜନ ଅଭିଯୋଗ କରିଛନ୍ତି ଯେ ସକାଳ ପ୍ରାୟ ସାଢ଼େ ୪ଟାରେ ସେ ମର୍ଣ୍ଣିଂଓ୍ଵାର୍କରେ ଯାଇଥିଲେ। ଆପୋଲୋ ହସ୍ପିଟାଲ ନିକଟରେ ଚାଲୁଥିବା ସମୟରେ ପୁଅର ସାଙ୍ଗ ତାଙ୍କୁ କଲ୍‌ କରି ରେଖା ଜଳୁଥିବା ସଂପର୍କରେ କହିଥିଲା। ଘରକୁ ଆସିବା ବେଳକୁ ପୁଲିସ ରେଖାଙ୍କୁ ହସ୍ପିଟାଲ ନେଇ ଯାଇଥିଲା। ତେବେ ରେଖାଙ୍କ ଡାହାଣପଟ କପାଳ ଫାଟିଥିବା ଓ ପଛ ମୁଣ୍ଡରେ ମାଡ଼ ଚିହ୍ନ ଥିବାରୁ ତାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ନିରଂଜନ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ, ବହୁ ବର୍ଷ ହେବ ରେଖାଙ୍କ ପରିବାର ୟୁନିଟ୍‌-୯ ଅଞ୍ଚଳରେ ଭଡ଼ାରେ ରହୁଥିଲେ। ୫ବର୍ଷ ତଳେ ଘର ମାଲିକଙ୍କୁ କହି ଘର ସମ୍ମୁଖରେ ଥିବା ଜାଗାରେ ଘର କରି ରହିଥିଲେ। କିନ୍ତୁ ଭଡ଼ା ଦେଉ ନ ଥିଲେ। ତେବେ କିଛି ମାସ ତଳେ ଭଡ଼ା ମାଗିବାରୁ ଘର ମାଲିକ ଓ ରେଖାଙ୍କ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିବା ନିରଂଜନ ପୁଲିସକୁ କହିଛନ୍ତି।

ସମ୍ବନ୍ଧିତ ଖବର