ଭୁବନେଶ୍ୱର: ସମ୍ପ୍ରତି ମହିଳାମାନେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ପାରଦର୍ଶିତା ଦେଖାଇପାରୁଛନ୍ତି। ତଥାପି ଆଜି ସେମାନେ ବହୁ କ୍ଷେତ୍ରରେ ହକ୍ ତଥା ନ୍ୟାୟ ପାଇବାରୁ ବଞ୍ଚିତ। ଲୋକଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ମହିଳା ଆଇନଜୀବୀଙ୍କ କାର୍ଯ୍ୟ ପ୍ରଶଂସନୀୟ। ତେଣୁ ମହିଳା ଆଇନଜୀବୀମାନେ ଆଉ କିଛି ପରିମାଣରେ ଉଦ୍ୟମ କଲେ ସବୁ ମହିଳା ଉଚିତ ନ୍ୟାୟ ପାଇବେ। ଆଜି ପାନ୍ଥନିବାସରେ ଅନୁଷ୍ଠିତ ଅଲ୍ ୱିମେନ୍ସ ଆଡ୍ଭୋକେଟ୍ ଫୋରମ୍ ଓ ଅଖିଳ ଭାରତୀୟ ସଂୟୁକ୍ତ ଅଧିବକ୍ତା ମଞ୍ଚର ମିଳିତ ଆନୁକୂଲ୍ୟରେ ଅର୍ନ୍ତଜାତୀୟ ମହିଳା ଦିବସ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି।
ଫୋରମ୍ର ଅଧ୍ୟକ୍ଷା ହରପ୍ରିୟା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ମାନବାଧିକାର କମିସନର ସଦସ୍ୟ ଅସୀମ ଅମିତାଭ ଦାସ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅଖିଳ ଭାରତୀୟ ସଂଯୁକ୍ତ ଅଧିବକ୍ତା ମଞ୍ଚ ଗୌହାଟିର ନମ୍ରତା ଶର୍ମା, ସାଂସଦ ସୁଲତା ଦେଓ ଓ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ‘ମହିଳା ଆଡ୍ଭୋକେଟ୍ ଅଫ୍ ଦ ଇୟର୍’ ସମ୍ମାନରେ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର ଆଡ୍ଭୋକେଟ ଝିନୁକ୍ ବାନାର୍ଜୀ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଡ୍ଭୋକେଟ ମିତାଲି ଜେଷ୍ଠୀଙ୍କୁ ସମ୍ମାନିତ କରାଯାଇଥିଲା। ‘ଜଗତଜିତା ନାରୀ ସମ୍ମାନ’ରେ ସରୋଜିନୀ ଯୋଶୀ, ରମା ଦ୍ୱିବେଦୀ ଓ ସୁଷମା ନନ୍ଦଙ୍କୁ ସମ୍ମାନିତ କରାଯାଇଥିଲା।
ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର ଆଡ୍ଭୋକେଟ ହରପ୍ରିୟା କୁମାରୀ, ଭୁବନେଶ୍ୱର ବାର୍ ଆସୋସିଏସନ୍ର ଆଡ୍ଭୋକେଟ ପୁଷ୍ପାଞ୍ଜଳି ପଟ୍ଟନାୟକଙ୍କୁ ‘ୟୁଥ୍ ଆଚିଭର୍’ ସମ୍ମାନ ଦିଆଯାଇଥିଲା। ଓଟିଡିସି ଅଧ୍ୟକ୍ଷ ଲେନିନ୍ ମହାନ୍ତି, କ୍ୟାପିଟାଲ୍ ହସ୍ପିଟାଲ୍ର ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ, ଜିତେନ୍ଦ୍ର ରାଉତ, ଆଇନଜୀବୀ ପ୍ରଶାନ୍ତ ପଟ୍ଟନାୟକ, ଦୀପକ ନରେନ୍ଦ୍ର, ଜଗନ୍ନାଥ ଦାସ, ରବି ନାରାୟଣ ସାମନ୍ତରାୟ, ରାଜ କିଶୋର ଦାସ, ଲିଙ୍ଗରାଜ ସାହୁଙ୍କୁ ‘ଅଟଳ କର୍ମବୀର ସମ୍ମାନ’ ପ୍ରଦାନ କରାଯାଇଥିଲା। ହରପ୍ରିୟା ସାମନ୍ତରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ବନ୍ଦିତା ସାହୁ, ରଞ୍ଜିତା ପଣ୍ଡା, ବିଷ୍ଣୁପ୍ରିୟା ପୃଷ୍ଟି, ଶ୍ୱେତପଦ୍ମା ପଟ୍ଟନାୟକ, ନିବେଦିତା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜଶସ୍ୱୀ ପ୍ରିୟଦର୍ଶନୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।