ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ

ଶୈଳଶ୍ରୀବିହାରରେ ମହିଳା ଦିବସ:
ଶୈଳଶ୍ରୀବିହାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମହାସଂଘ ଓ ଏଲ୍‌ପି ଟିମ୍‌ର ମିଳିତ ସହଯୋଗରେ ମହିଳା ଦିବସ ପାଳିତ ହୋଇଛି। ଏଥିରେ ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା‌ ରାଉତରାୟ ମୁଖ୍ୟଅତିଥି, ପୂର୍ବତନ କର୍ପୋରେଟର ସ୍ବର୍ଣ୍ଣପ୍ରଭା ରାୟ, ଏଲ୍‌ପି ଟିମ୍‌ର ସଭାପତି ପ୍ରସନ୍ନ ପାଣି, ସମ୍ପାଦକ ଅନିରୁଦ୍ଧ ଲେଙ୍କା, ଉପସଭାପତି ରମାକାନ୍ତ ସ୍ବାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମହିଳାମାନଙ୍କ ମଧ୍ୟରେ ଝୋଟି, ଶଙ୍ଖ ବଜାଇବା, ହୁଳହୁଳି, ମ୍ୟୁଜିକ୍‌ ଚେୟାର, ଗୀତ ଓ କବୀତା ପାଠ ପ୍ରତିଯୋଗିତା କରାଯାଇଥିଲା।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ:
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପଦ୍ମଜା ମିଶ୍ରଙ୍କ ଅଧ୍ୟକ୍ଷତାରେ ମହିଳା ଦିବସ ପାଳିତ ହୋଇଛି। ଶିକ୍ଷାବିତ୍‌ ଶକୁନ୍ତଳା ବଳିୟାର ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ନାରୀ ଓ ପୁରୁଷର ସମାନତା ପାଇଁ ପ୍ରଥମେ ଭ୍ରୁଣ ହତ୍ୟା ସମ୍ପୂର୍ଣ୍ଣ ରୂପେ ବନ୍ଦ ହେବା ଆବଶ୍ୟକ ବୋଲି କହିଥିଲେ। ଆଇଏଏସ୍‌ ଯାମିନୀ ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କର୍ମଜୀବୀ ମହିଳାମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ଦୁର୍ଗାଶଙ୍କର ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଛାତ୍ରୀମଙ୍ଗଳ ଅଧିକାରୀ ସରିତା ସୂପକାର ଅତିଥି ପରିଚୟ ପ୍ରଦାନ କରିଥିଲେ। ସ୍ନେହ ଦାସ ଧନ୍ୟବାଦ ଦେଇଥିଲେ।
ବ୍ରିଜ୍‌ ଅଫ୍‌ ହୋପ୍‌:
ବ୍ରିଜ୍‌ ଅଫ୍‌ ହୋପ୍‌ର ଶିଶୁ ବିକାଶ ଅନୁଷ୍ଠାନ ପକ୍ଷରୁ ମହିଳା ଦିବସ ପାଳିତ ହୋଇଛି। ଉଜ୍ବଳ କେଶରୀ ଦିଗଲଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରିଜ୍‌ ଅଫ୍‌ ହୋପ୍‌ର ପ୍ରତିଷ୍ଠାତା ଡ. କେ ପି ୟୋହନାନ (ମେଟ୍ରୋପଲିଟାନ)ଙ୍କ ଜନ୍ମଦିନ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ସତ୍ୟନାରାୟଣ ସେଠ୍‌ ମୁଖ୍ୟଅତିଥି, ଡିକନ୍‌ ମାୟାଦାନ ‌ଖୋରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ପିଲାଙ୍କୁ ଉଦ୍‌ବୋଧନ ‌ଦେଇଥିଲେ। ପୀତବାସ ଦିଗାଲ ଧନ୍ୟବାଦ ଦେଇଥିଲେ।
ହେଲ୍‌ପମେଟ୍‌:
ସ୍ବେଚ୍ଛାସେବୀ ସଂସ୍ଥା ହେଲ୍‌ପମେଟ୍‌ ପକ୍ଷରୁ ‘ନାରୀର ଉନ୍ନତି ଦେଶର ଉନ୍ନତି’ ଶୀର୍ଷକ ବାର୍ତ୍ତା ନେଇ ସୁନ୍ଦରପଦାସ୍ଥିତ ‘ପିପୁଲ୍‌ ଫର୍ ସେବା’ର ଜରାଶ୍ରମରେ ମହିଳା ଦିବସ ପାଳିତ ହୋଇଛି। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଜରାଶ୍ରମର ଅନ୍ତେବାସୀମାନଙ୍କୁ ଖାଦ୍ୟ ସାମଗ୍ରୀ ଓ ମଶାରୀ ବଣ୍ଟନ କରାଯାଇଥିଲା। ଅନୁଷ୍ଠାନର ସଭାପତି ମଞ୍ଜୁଳା ତ୍ରିପାଠୀ, ଉପସଭାପତି ନିହାରିକା ପଟ୍ଟନାୟକ ଓ ସମ୍ପାଦିକା ନିବେଦିତା ଭଞ୍ଜଙ୍କ ସମେତ ମଧୁଲତା ରାଏ, ବବିତା ମହାନ୍ତି, ପ୍ରଜ୍ଞା ମହାନ୍ତି ଓ ଜରାଶ୍ରମର ଆଦିତ୍ୟ ଦାଶ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ପୂର୍ବତଟ ରେଳପଥ:
ପୂର୍ବତଟ ରେଳପଥ ଅଧୀନରେ ଥିବା ସମ୍ବଲପୁର, ଖୋର୍ଧା ରୋଡ ଓ ୱାଲଟିୟର୍‌ ରେଳମଣ୍ଡଳ ପକ୍ଷରୁ କାର୍ଯ୍ୟରତ ସମସ୍ତ ମହିଳା ରେଳବାଇ କର୍ମଚାରୀ, ଠିକାରେ ନି‌ୟୋଜିତ କର୍ମଚାରୀ ଓ ମହିଳା ଯାତ୍ରୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଦିବସ ପାଳିତ ହୋଇଥିଲା। ଏଥିରେ ମହିଳାମାନଙ୍କ କ୍ଷମତା ତଥା ଅଧିକାର ପାଠଚକ୍ର, ଠିକା ମହିଳା କର୍ମଚାରୀଙ୍କ ଅଧିକାର ସଚେତନତା, ମହିଳାଙ୍କ ସୁରକ୍ଷା ନିମନ୍ତେ ସ୍ବତନ୍ତ୍ର ରେଳବାଇ ତଦାରଖ ବ୍ୟବସ୍ଥା, କର୍କଟ ସଚେତନତା ଓ ସ୍ବାସ୍ଥ୍ୟ ସମ୍ପର୍କିତ ଅନ୍ୟାନ୍ୟ ପରୀକ୍ଷା ବ୍ୟବସ୍ଥା, ରକ୍ତହୀନତା ପାଇଁ ଔଷଧ ବଣ୍ଟନ କରାଯାଇଥିଲା। ମହିଳା ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆଖି ଆଗରେ ରଖି ରେଳ ସୁରକ୍ଷା ବଳ ଓ ଟିଟିଇମାନଙ୍କ ଦ୍ବାରା ସ୍ବତନ୍ତ୍ର ଯାଞ୍ଚ ହୋଇଥିଲା।
ଇସକଫ୍:
ଇଣ୍ଡିଆନ୍ ସୋସାଇଟି ଫର କଲଚରାଲ କୋ-ଅପରେସନ୍ ଏଣ୍ଡ ଫ୍ରେଣ୍ଡିସିପ୍ ବା ଇସକଫ୍ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ରୋଟାରି ଭବନରେ ପାଳିତ ହୋଇଛି। ଏଥିରେ ଅଭିନେତ୍ରୀ ନାଦିରା ବାବର ଯୋଗଦେଇ କହିଲେ, ନାରୀମାନେ ଚାହିଁଲେ ଅସାଧ୍ୟ ସାଧନ ହୋଇପାରିବ। ମା’ମାନଙ୍କ ତ୍ୟାଗ ଓ ସାହସିକତା ଆମ ପାଇଁ ପ୍ରେରଣାର ଉତ୍ସ ହୋଇରହିଛି ଓ ରହିବ ମଧ୍ୟ। ଯାହାକି ଶୀର୍ଷ ସ୍ଥାନରେ ପହଞ୍ଚାଇବାରେ ସହାଯ୍ୟ କରିବ ବୋଲି ସେ କହିଥିଲେ। ପ୍ରାରମ୍ଭରେ ସଂପାଦିକା ସ୍ବାତୀ ମିଶ୍ର ପ୍ରାରମ୍ଭିକ ସୂଚନା ଓ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର୍‌ ଅମିୟ ମହାନ୍ତି ସଭାପତିତ୍ବ କରିଥିଲେ। ଏଥିରେ ବିଶିଷ୍ଟ ବକ୍ତା ଭାବେ ଅଧ୍ୟାପକ ବିଜୟ ବହିଦାର, ସାମାଜିକ କର୍ମୀ ମଧୁମିତା ରାୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ଜନ ଆନ୍ଦୋଳନରେ ସକ୍ରିୟ ଥିବା ମହିଳାମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ଇସକଫର ସଦସ୍ୟ ଗୋକୁଳ ପଣ୍ଡା ଧନ୍ୟବାଦ ଦେଇଥିଲେ।
ସୃଷ୍ଟି ଏକାଡେମି:
ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜମେଣ୍ଟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ପୂର୍ବତନ ଅଧ୍ୟକ୍ଷା ସୁଲତା ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟ ମହିଳା କମିସନର ପୂର୍ବତନ ସଦସ୍ୟା ତଥା ସୃଷ୍ଟି ଏକାଡେମିର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ମୁଖ୍ୟ ସ୍ନିଗ୍ଧା ପାଣିଗ୍ରାହୀ, ହରି ଟେଲିମାଟିକ୍ସର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ପ୍ରାରମ୍ଭ‌େର ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ଦାସ ସ୍ବାଗତ ଭାଷଣ ଦେଇଥିଲେ। ଅନୁଷ୍ଠାନର ସହଯୋଗୀ ପ୍ରଫେସର ପ୍ରଜ୍ଞା ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ।
ସପୋର୍ଟ:
ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସପୋର୍ଟ’ ପକ୍ଷରୁ ରେଡ୍‌କ୍ରସ୍‌ ଭବନରେ ‘ମହିଳା ଉତ୍ସବ-୨୦୧୯’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହିଳାମାନଙ୍କ ମଧ୍ୟରେ ରୋଷେଇ ପ୍ରତିଯୋଗିତା ସହ ‘ଉତ୍କୃଷ୍ଟତା ପାଇଁ ସମାନତା’ ଶୀର୍ଷକ ଆଲୋଚନାଚକ୍ର ଅନୁ‌ଷ୍ଠିତ ହୋଇଥିଲା। ସମ୍ପାଦିକା ଅନୁପମା ଦାଶ ସ୍ବାଗତ ଭାଷଣ ଦେଇଥିବା ବେଳେ ସଭାପତି ପ୍ରଦୋଷ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ପ୍ର.ପ୍ରତା‌ପ ରଥ, ନିହାରିକା ମିଶ୍ର, ତରୁଲତା ଦ୍ବିବେଦୀ, ଆଜାଦହିନ୍ଦ ପାଣିଗ୍ରାହୀ, ପ୍ରକାଶ ରଥ, ନବକୁମାର ବେହେରା, ସଞ୍ଜୀବ ସାହୁ, ମଧୁସୂଦନ ଦାସ ପ୍ରମୁଖ ଯୋଗ ଦେଇଥିଲେ। ନାରୀକୁ ପୁରୁଷ ସହ ସମାନ ଓ ନାରୀର ଅଧିକାର, ସମ୍ମାନ ଉପରେ ଆଲୋଚନା ହୋଇଥିଲା। କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ବରିଷ୍ଠ ନାଗରିକ ପ୍ର.ରମେଶ ଚନ୍ଦ୍ର କର, ଚାରୁଲତା କର, ଅଂଶୁମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଯୋଜିକା ଅନ୍ନପୂର୍ଣ୍ଣା ଦାଶ, ସୁଦୀପ୍ତ ପଟ୍ଟନାୟକ, ବୀଣାପାଣି ଚରୁ, ବିଷ୍ଣୁପ୍ରିୟା ପୃଷ୍ଟି ପ୍ରମୁଖ ପରିଚଳନାରେ ସହଯୋଗ କରିଥିଲେ।
ହମାରା ବଚପନ୍‌ ଟ୍ରଷ୍ଟ:
ସ୍ବେଚ୍ଛାସେବୀ ସଂଗଠନ ହମାରା ବଚପନ୍ ଟ୍ରଷ୍ଟ ପକ୍ଷରୁ ବିଶ୍ବ ମହିଳା ଦିବସ ଅବସରରେ ରାଜଧାନୀରେ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଖଣ୍ଡଗିରିବାରୀ, ସହିଦନଗର, ମହିଷାଖାଲ ବସ୍ତି ଓ ପଥରବନ୍ଧ ବସ୍ତିରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନାରୀ ସଶକ୍ତୀକରଣ ଓ ମହିଳାମାନଙ୍କୁ ସମାନ ଅଧିକାର ପ୍ରଦାନ ପ୍ରସଙ୍ଗ ଉପରେ ପର୍ଯ୍ୟବସିତ କାର୍ଯ୍ୟକ୍ରମ ମଧ୍ୟରେ ପଥପ୍ରାପ୍ତ ନାଟକ, ଆଲୋଚନା, ବକ୍ତୃତା, ବିଭିନ୍ନ କ୍ଷେତ୍ରରେ ସଫଳ ମହିଳାମାନଙ୍କ କାହାଣୀ ବର୍ଣ୍ଣନା ଆଦି ଅନୁଷ୍ଠିତ ହୋଇଥିଲା। ବିଶେଷକରି ବସ୍ତିବାସିନ୍ଦା ମହିଳାମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଥିଲା ସମସ୍ତ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ଟ୍ରଷ୍ଟର ପ୍ରତିଷ୍ଠାତା ଧରିତ୍ରୀ ପଟ୍ଟନାୟକ, ରାନାରାଣୀ ବେହେରା ଓ ନୟନା ମୁଦୁଲି ପ୍ରମୁଖ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ମହିଳା କଂଗ୍ରେସ:
ମହିଳା ଦିବସ ଉପଲକ୍ଷେ ମହିଳା କଂଗ୍ରେସ ପକ୍ଷରୁ ବିଏମ୍‌ସି ହସ୍ପିଟାଲରେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଫଳ ବଣ୍ଟନ କରାଯାଇଥିଲା। ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୀତାଞ୍ଜଳି ମହାନ୍ତି, ନବ ବେହେରା, ଶ୍ରେୟାସ୍ମିତା ପଣ୍ଡାଙ୍କ ସମେତ ବହୁ ମହିଳା ସାମିଲ ହୋଇଥିଲେ।
ଉତ୍କଳ ବିଶ୍ବବିଦ୍ୟାଳୟ:
ଉତ୍କଳ ବିଶ୍ୱବିଦ୍ୟାଳୟ ସ୍କୁଲ ଅଫ ୱିମେନ୍ସ ଷ୍ଟଡି ବିଭାଗ ପକ୍ଷରୁ ପିଜି କାଉନସିଲ ହଲ୍‌ରେ ମହିଳା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମିର ଡିଆଇଜି ଏସ ସାଇନି, ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ନିଲିକା ମେହ୍ରୋତ୍ରା, ଶିଳ୍ପପତି ସୁକ୍ରିତ ପଟ୍ଟନାୟକ, ସ୍କୁଲ ଅଫ ୱିମେନ୍ସ ଷ୍ଟଡିଜ୍‌ର ନିର୍ଦେଶିକା ପ୍ରଫେସର ନବନିତା ରଥ, ଡ. ଜ୍ଞାନେନ୍ଦ୍ର କୁମାର, ରଞ୍ଜନ ସାହୁ ‌ପ୍ରମୁଖ ଯୋଗଦେଇ ରାଜ୍ୟ ତଥା ଦେଶର ପ୍ରଗତି‌ରେ ମହିଳାଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।
ମହିଳା ଦକ୍ଷତା ସମିତି:
ମହିଳା ଦକ୍ଷତା ସମିତି, ନୂଆଦିଲ୍ଲୀର ରାଜ୍ୟ ଶାଖା ପକ୍ଷରୁ ଭୀମଟାଙ୍ଗୀ ପ୍ରଜାପିତା ବ୍ରହ୍ମାକୁମାରୀ ପ୍ରେକ୍ଷାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ରାଜ୍ୟ ଅଧ୍ୟକ୍ଷା ଉଷାରାଣୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ. ଉତ୍ତରା ପଣ୍ଡା, ମୁଖ୍ୟବକ୍ତା ଭାବେ ଡ. ପ୍ରେମଲତା ଦେବୀ ଓ ସମ୍ମାନିତ ଅତିଥି ଭାବେ ବି.କେ ରଂଜୁ ଭଉଣୀ ପ୍ରମୁଖ ଯୋଗଦେଇ ‘କର୍ମକ୍ଷେତ୍ରରେ ମହିଳାଙ୍କ ଦକ୍ଷତା ଓ ଆହ୍ବାନ’ ଶୀର୍ଷକରେ ଆଲୋଚନା କରିଥିଲେ। ସଂପାଦିକା ବାସନ୍ତୀ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ। ସହ-ସଂପାଦିକା ରୋଜାଲିନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ସସ୍ମିତା ଦାସ, ସତ୍ୟପ୍ରଭା ଦାସ, ଝୁନୁବାଳା ଦାସ, ମିତା ଦାସ, ନମିତା ପଟ୍ଟନାୟକ, କଳ୍ପନା ସାମଲ ଓ ସଂଯକ୍ତା ତ୍ରିପାଠୀ ପ୍ରମୁଖ ନିଜ ନିଜ ମତ ରଖିଥିଲେ।
‌‌କେଶୁରା ଏସ୍‌ବିଆଇ କଲୋନି:
କେଶୁରା ଦେବାଶ୍ରମ ଏସ୍‌ବିଆଇ କଲୋନିରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ସଭାରେ ସୁକାନ୍ତି ମିଶ୍ର ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କ ଏକତା ଓ ସର୍ବାଙ୍ଗ ଉନ୍ନତି ପାଇଁ ସମସ୍ତେ ଏକଜୁଟ୍‌ ହେବା ପାଇଁ ଆହ୍ୱାନ ଦେଇଥିଲେ। ମହିଳାମାନଙ୍କ ଅଧିକାର ବିଷୟରେ ସଚେତନ ହେବା ସହ ମହିଳା ନିର୍ଯାତନା ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ସଭାକୁ ପ୍ରଯୋଜନା କରିଥିଲେ ସୌଜ୍ୟଶ୍ରୀ ନାୟକ ଓ ଅନକ୍ରିତ ପାଲ।

ସମ୍ବନ୍ଧିତ ଖବର