ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅଧୀନ ଜଗନ୍ନାଥ ନଗରରେ ଥିବା ଏକ ଘରୁ ପୁଲିସ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି। ମୃତ ମହିଳା ଜଣକ ହେଲେ ଅନନ୍ୟା ମହାନ୍ତି(୩୦)। ଘର ନିମାପଡ଼ା ଥାନା ଅଧୀନ କନ୍ତିଲୋ ଗ୍ରାମରେ। ସେ ଏଠାରେ ଲେନ୍-୧ ଜଗନ୍ନାଥ ନଗରରେ ରହୁଥିଲେ। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ତେବେ ଅନନ୍ୟାଙ୍କ ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ତାଙ୍କ ପରିବାର ଲୋକ। ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରାଯାଇଛି ବୋଲି ପରିବାର ଲୋକ କହିଛନ୍ତି। ୨୦୧୨ ଜୁଲାଇ ୧୧ ତାରିଖରେ ବାଲେଶ୍ୱର ସୋର ଅଞ୍ଚଳର ତାପସ କୁମାର ସାହୁ ନାମକ ଜଣେ ଯୁବକଙ୍କୁ ଅନନ୍ୟା ବିବାହ କରିଥିଲେ। ବିବାହ ସମୟରେ ତାପସଙ୍କ ପରିବାର ଲୋକଙ୍କ ଦାବି ଅନୁଯାୟୀ ୫ ଭରି ଓଜନର ସୁନା, ନଗଦ ଦୁଇ ଲକ୍ଷ ଟଙ୍କା ଓ ଘର ପାଇଁ ସମସ୍ତ ପ୍ରକାର ଆସବାବପତ୍ର ଦେଇଥିଲେ। ବିବାହର ଦୁଇ ମାସ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ସଂପର୍କ ଠିକ ଥିଲା। କିନ୍ତୁ ଏହା ମଧ୍ୟରେ ଅନନ୍ୟାଙ୍କ ସ୍ୱାମୀ ତାପସ ଓ ତାଙ୍କ ବଡ଼ ଭଇଣୀ ତାଙ୍କୁ ତାଙ୍କ ବାପଘରୁ ଟଙ୍କା ଆଣିବାକୁ ବାଧ୍ୟ କରିଥିଲେ। ମାତ୍ର ଅନନ୍ୟା ଏଥିରେ ରାଜି ହୋଇ ନଥିଲେ। ଫଳରେ ତାପସ ତାଙ୍କୁ ମାଡ଼ ମାରିବା ସହିତ ମାନସିକ ନିର୍ଯାତନା ଦେଉଥିଲେ। ୧୮ ତାରିଖ ରାତିରେ ତାପସ ଅନନ୍ୟାଙ୍କୁ ତାଙ୍କ ବାପା ଘରୁ ଟଙ୍କା ଆଣିବାକୁ ବାଧ୍ୟ କରିଥିଲେ। ଅନନ୍ୟା ଏହାକୁ ବିରୋଧ କରିବାରୁ ତାପସ ଓ ତାଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ତାପସ ଅନନ୍ୟାଙ୍କୁ ମାଡ଼ ମାରିଥିଲେ। ଝିଅର ମୃତ୍ୟୁ ଖବର ପାଇ ପରିବାର ଲୋକ ହସ୍ପିଟାଲରେ ପହଞ୍ଚି ହୋହଲ୍ଲା କରିଥିଲେ। ଏ ନେଇ ପରିବାର ଲୋକ ମଞ୍ଚେଶ୍ୱର ଥାନାରେ ହତ୍ୟା ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
ମହିଳାଙ୍କ ମୃତଦେହ ଜବତ, ହତ୍ୟା ଅଭିଯୋଗ ଆଣିଲେ ପରିବାର
/sambad/media/post_attachments/wp-content/uploads/2018/08/deadbody.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)