ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ: ହତ୍ୟା ଅଭିଯୋଗରେ ସ୍ବାମୀ ଅଟକ

ଚନ୍ଦ୍ରଶେଖରପୁର: ଆଜି ମଞ୍ଚେଶ୍ବର ଥାନା ପୁଲିସ ଗାଡ଼କଣସ୍ଥିତ ‌ଗୁରୁ କେଳୁଚରଣ ପାର୍କ ନିକଟ କଲ୍ୟାଣ ବସ୍ତିରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ମୃତା ମହିଳା ହେଲେ, ବଂଶୀଧର ନାଏକଙ୍କ ସ୍ତ୍ରୀ ମଧୁସ୍ମିତା ଓରଫ୍ ଗେହ୍ଲି(୨୨)। ପରିବାରଲୋକଙ୍କ ଉପସ୍ଥିତିରେ ଶୋଇବା ଘର ଫ୍ୟାନ୍‌ରୁ ଗେହ୍ଲିଙ୍କ ଝୁଲନ୍ତା ମୃତଦେହକୁ ଜବତ କରି ପୁଲିସ ବ୍ୟବଚ୍ଛେଦ କରାଇବାକୁ କ୍ୟାପିଟାଲ ହସ୍ପିଟାଲ‌ରେ ଭର୍ତ୍ତି କରାଇଛି। ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ବୋଲି ଜଣାପଡ଼ୁଥିଲେ ହେଁ ଗେହ୍ଲିଙ୍କ ପରିବାରଲୋକ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ବିବାହ ପରଠାରୁ ବଂଶୀଧର ଗେହ୍ଲିଙ୍କୁ ନାନାପ୍ରକାର ନିର୍ଯାତନା ଦେଉଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏମିତିକି ହତ୍ୟା ମାମଲା ରୁଜୁ କରିବା ପାଇଁ ଥାନାରେ ଅଡ଼ି ବସିଥିବା ଜଣାପଡ଼ିଛି। ତେଣୁ ପୁଲିସ ବଂଶୀଧରଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେହିଭଳି ଗେହ୍ଲିର ମୋବାଇଲ୍‌ ଫୋନ୍‌ ଜବତ କରି ସେଥିରୁ କିଛି ସୁରାକ୍‌ ପାଇବାକୁ ଉଦ୍ୟମ ଚଳାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।

ପଡ଼ୋଶୀମାନଙ୍କ ସୂଚନା ମୁତାବକ, ଆଜି ବଂଶୀଧର କାମକୁ ଚାଲିଯିବା ପରେ ଗେହ୍ଲି ଝିଅକୁ ଟିଉସନ୍‌ରେ ଛାଡ଼ିବାକୁ ଯାଇଥିଲେ। ସେ ଏକୁଟିଆ ଘରେ ଥିଲେ ଓ କାହା ସହ ଫୋନ୍‌ରେ ହିନ୍ଦୀରେ କଥା ହେଉଥିଲେ। ମାତ୍ର କିଛି ସମୟ ପରେ ଝିଅ ଟିଉସନ୍‌ରୁ ଫେରି ମା’କୁ ଫ୍ୟାନ୍‌ରେ ଝୁଲୁଥିବା ଦେଖି ବିକଳିଆ ହୋଇ କାନ୍ଦିଥିଲା। ଝିଅଟି କ’ଣ ପାଇଁ କାନ୍ଦୁଛି ବୋଲି ଜାଣିବା ପାଇଁ ପଡ଼ୋଶୀମାନେ ସେଠାକୁ ଆସି ଗେହ୍ଲିଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଦେଖିଥିଲେ। ସେମାନେ ତୁରନ୍ତ ବଂଶୀଧରକୁ ଫୋନ୍‌ କରି ଜଣାଇଥିଲେ। ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ବଂଶୀଧରର ସୂଚନା ଆଧାରରେ ପୁଲିସ ଗେହ୍ଲିଙ୍କ ପରିବାରଲୋକଙ୍କୁ ଡକାଇଥିଲା। ଏହା ପରେ ଶବ ଜବତ କରାଯାଇଥିଲା।

ସୂଚନାଯୋଗ୍ୟ, ୫ବର୍ଷ ତଳେ ସେମାନେ ପ୍ରେମ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କ ପରିବାର ପକ୍ଷରୁ ସେମାନଙ୍କୁ ସହଯୋଗ ସମର୍ଥନ ନ ମିଳିବାରୁ ‌ସେମାନେ ନିଜ ଘର ଭଦ୍ରକ ଜିଲ୍ଲା ପୀରହାଟ ଛାଡ଼ି ଭୁବନେଶ୍ବର ଚାଲି ଆସିଥିଲେ। ଭୁବନେଶ୍ବରରେ ରହି ବଂଶୀଧର ରଙ୍ଗମିସ୍ତ୍ରି ଭାବେ କାମ କରି ପରିବାର ଭରଣପୋଷଣ କରୁଥିଲେ। ସାଢ଼େ ତିନି ବର୍ଷର ଝିଅ ସହ ତିନି ପ୍ରାଣୀ କୁଟୁମ୍ବ ଭଲରେ ଚଳୁଥିଲେ। ଗତ ୪ ମାସ ହେବ, କଲ୍ୟାଣ ବସ୍ତିରେ ଭଡ଼ା ଘରେ ସେମାନେ ଖୁସିରେ ରହୁଥିବା ପଡ଼ୋଶୀମାନେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର