ଖଣ୍ଡଗିରି: ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଖଣ୍ଡଗିରିବାରି ବସ୍ତିରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ମୃତା ମହିଳା ହେଲେ ପୁରୀ ଗୋପ ଅଞ୍ଚଳର ସର୍ବେଶ୍ବର ଗୋଛାୟତଙ୍କ ଝିଅ ବିଜୟଲକ୍ଷ୍ମୀ ଓରଫ୍ ଶିଲା(୩୨)। ଶିଲାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ବସ୍ତି ଲୋକେ ଆମ୍ବୁଲାନ୍ସକୁ ଛାଡ଼ିଲେ ନାହିଁ କି ପୁଲିସକୁ ମୃତଦେହ ଜବତ କରିବାକୁ ଦେଲେ ନାହିଁ। ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ଶିଲା ଖଣ୍ଡଗିରିବାରି ବସ୍ତିରେ ଭଡ଼ାଘରେ ରହୁଥିଲେ। ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ପେସେଣ୍ଟ କେୟାର୍ ଟେକର୍ ଭାବେ କାମ କରୁଥିଲେ। ଉକ୍ତ ଘରେ ଶିଲାଙ୍କ ଜଣେ ସହକର୍ମୀ ବିନ୍ଦି, ତାଙ୍କ ମା’ ଓ ସାନ ଭଉଣୀ ରହୁଥିଲେ। ଆଜି ସନ୍ଧ୍ୟା ପ୍ରାୟ ୮ଟାବେଳେ ଏକ ଆମ୍ବୁଲାନ୍ସ ବସ୍ତିରେ ପହଞ୍ଚିଥିଲା ଓ ଶିଲାଙ୍କ ଦେହ ଖରାପ ବୋଲି କହି ବିନ୍ଦି ଓ ତାଙ୍କ ପରିବାର ଶିଲାଙ୍କୁ ନେଇ ନିକଟସ୍ଥ ହସ୍ପିଟାଲକୁ ଯାଇଥିଲେ। ମାତ୍ର କେଇ ମିନିଟ୍ ପରେ ଉକ୍ତ ଆମ୍ବୁଲାନ୍ସଟି ଫେରି ଆସିବା ଦେଖି ବସ୍ତିର ମହିଳାମାନେ ଶିଲାର ଅବସ୍ଥା ବାବଦରେ ପଚାରିଥିଲେ। ଲୋକଙ୍କୁ ଦେଖି ବିନ୍ଦି, ତା’ର ମା ଓ ଭଉଣୀ ବଡ଼ ଚତୁରତାର ଅନ୍ଧାରର ସୁଯୋଗ ନେଇ ସେଠାରୁ ଖସି ପଳାଇଥିଲେ। ବିନ୍ଦି ଓ ତାର ପରିବାର ଶିଲାକୁ ହତ୍ୟା କରିଥିବା ସନ୍ଦେହ କରି ସେମାନେ ଆମ୍ବୁଲାନ୍ସ ଡ୍ରାଇଭର୍କୁ ଅଟକ ରଖିଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମାତ୍ର ବିନ୍ଦିକୁ ନ ପାଇବା ଯାଏ ମୃତଦେହ ଛାଡ଼ିବେ ନାହିଁ ବୋଲି ବସ୍ତି ବାସିନ୍ଦା ଜିଦ୍ କରିଥିଲେ। ଖବର ପାଇ ଫାୟାର୍ ଷ୍ଟେସନ ବସ୍ତିରୁ ଶିଲାଙ୍କ ମା ମମତା ଗୋଛାୟତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିନ୍ଦି ହିଁ ତାଙ୍କୁ ଫୋନ୍ କରି ଶିଲା ଆତ୍ମହତ୍ୟା କରିଥିବା ଜଣାଇଥିଲା।
ପରେ ପୁଲିସ ଉକ୍ତ ଭଡ଼ାଘରକୁ ଯାଇ ଛାନ୍ଭିନ୍ କରିଥିଲା। ଶିଲା ରହୁଥିବା ରୁମ୍ର୍ ଫ୍ୟାନ୍ରେ ଏକ ଶାଢ଼ି ଲାଗି ରହିଥିଲା। ଠିକ୍ ଫ୍ୟାନ୍ ତଳକୁ ଚଟାଣ ଉପରେ ଏକ ପନିକି ଓ ଉକ୍ତ ଶାଢ଼ିର କଟା ଅଂଶ ପଡ଼ିଥିଲା। କବାଟ ନିକଟରେ ଏକ ଶାବଳ ପଡ଼ିଥିଲା। ତେଣୁ ଶିଲା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଏଭଳି ନାଟକ ରଚନା କରାଯାଇଛି, ତାହା ସ୍ପଷ୍ଟ ହୋଇ ନଥିଲା। ଉଲ୍ଲେଖଯୋଗ୍ୟ ଯେ ୭ ବର୍ଷ ତଳେ ଶିଲା ଭଦ୍ରକର ପ୍ରମୋଦ ନାୟକଙ୍କୁ ବିବାହ କରିଥିଲେ। ୪ ବର୍ଷ ତଳେ ପୁଅଟିଏ ଜନ୍ମ ହେବା ପରେ ପରେ ସେ ପ୍ରମୋଦଙ୍କଠାରୁ ଅଲଗା ହୋଇ ରହୁଥିଲେ।
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ଖଣ୍ଡଗିରିବାରିରେ ଉତ୍ତେଜନା
ମୃତଦେହ ଓ ଆମ୍ବୁଲାନ୍ସକୁ ଛାଡ଼ିଲେନି
/sambad/media/post_attachments/wp-content/uploads/2018/12/dead-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)