ଭୁବନେଶ୍ବର, ୨୮/୩(ଇମିସ): ଆଜି ଜଣେ ମହିଳା ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କଲା ବେଳେ ପୁଲିସ ଅଟକାଇବାକୁ ଯାଇ ନାକେଦମ୍ ହୋଇଛି। ଦୁଇ ଦୁଇଟି ଥାନାର ଅଧିକାରୀଙ୍କ ବିରୋଧରେ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆଣି ବିଧାନସଭାକୁ ପଶିବାକୁ ଉଦ୍ୟମ କରିଥିବା ଏହି ବିଧବା ମହିଳା ହେଲେ ଯାଜପୁର କୁଆଖିଆ ଥାନା ଅଞ୍ଚଳର ସରସ୍ବତୀ ସାହୁ। ପ୍ରାୟ ଘଣ୍ଟାଏ କାଳ କସରତ କରିବା ପରେ କ୍ୟାପିଟାଲ ଥାନା ପୁଲିସ ସରସ୍ବତୀଙ୍କୁ ବୁଝାସୁଝା କରି ଥାନାକୁ ନେଇଥିଲା ଏବଂ ପରେ ଘରକୁ ପଠାଇଦେଇଥିଲା। ଆଜି ବିଧାନସଭା ଆଗରେ ରାଜ୍ୟ ପୁଲିସ ବିରୋଧରେ ସରସ୍ବତୀଙ୍କ ଅଭିଯୋଗକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ସରସ୍ବତୀଙ୍କ ଅଭିଯୋଗ ଅନୁସାରେ ଏକ ବ୍ୟାଙ୍କରୁ ଋଣ କରି ସେ ଦୁଇଟି ଟ୍ରକ୍ କିଣିଥିଲେ। ଟ୍ରକ୍ ଦୁଇଟି କୋଇଲା ଖଣିରୁ ମାଲ ପରିବହନ କରୁଥିଲା। କିନ୍ତୁ ତାଳଚେର ଥାନାର ତତ୍କାଳୀନ ଅଧିକାରୀ ସୌଭାଗ୍ୟ ସ୍ବାଇଁ ଓ କାମାକ୍ଷାନଗର ଥାନାର ଅଧିକାରୀ ନିରଞ୍ଜନ ସେଠୀ ମିଛ କେସ୍ କରି ଟ୍ରକ୍ ଦୁଇଟିକୁ ସିଜ୍ କରିଛନ୍ତି। ଏନେଇ ସେ କୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟରେ ସେ ବିଜୟୀ ହେବା ପରେ ବି ପୁଲିସ ଗାଡ଼ି ଛାଡ଼ୁନାହାନ୍ତି। ଏନେଇ ସରସ୍ବତୀ ଏସ୍ପିଙ୍କଠାରୁ ଆରମ୍ଭ କରି ପୁଲିସ ମହାନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସବୁଠାରେ ଗୁହାରି କରିଛନ୍ତି। ଏମିତିକି ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ମନ୍ତ୍ରୀ ଓ ବିଧାୟକଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି। କିନ୍ତୁ କେହି ତାଙ୍କ ଗୁହାରିକୁ କର୍ଣ୍ଣପାତ କରୁନାହାନ୍ତି। ଏହା ଭିତରେ ରାଗ ରଖି ଉଭୟ ପୁଲିସ ଅଧିକାରୀ ସୌଭାଗ୍ୟ ସ୍ବାଇଁ ଓ ନିରଞ୍ଜନ ସେଠୀ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଆସୁଛନ୍ତି। ତାଙ୍କ ବିରୋଧରେ ମିଛ ମାମଲା ମଧ୍ୟ ରୁଜୁ କରିଛନ୍ତି। ସବୁଆଡ଼ୁ ବିଫଳ ହେବା ପରେ ସେ ବିଧାନସଭାରେ ପଶି ବାଚସ୍ପତି ଓ ମୁଖ୍ୟଶାସନ ସଚିବଙ୍କୁ ଜଣାଇବାକୁ ଉଦ୍ୟମ କରୁଥିଲେ। ମାତ୍ର କମିସନରେଟ୍ ପୁଲିସ ତାଙ୍କୁ ସେତକ ବି କରାଇଦେଲାନାହିଁ ବୋଲି ସରସ୍ବତୀ କ୍ଷୋଭର ସହ କହିଛନ୍ତି।
ବିଧାନସଭାରେ ପଶିବାକୁ ମହିଳାଙ୍କ ଉଦ୍ୟମ
ରୋକିବାକୁ ନାକେଦମ ହେଲା ପୁଲିସ
/sambad/media/post_attachments/wp-content/uploads/2023/03/22-22.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)