ମାଇକ୍ରୋଫାଇନାନ୍‌ସ ଫାନ୍ଦରେ କଲବଲ ମହିଳାଗୋଷ୍ଠୀ

ଖଣ୍ଡଗିରି: ଦୀର୍ଘ ୩ ମାସ ହେଲା ମହାମାରୀ କରୋନା ସବୁ ବର୍ଗର ଲୋକଙ୍କ ରୋଜଗାରକୁ ପ୍ରଭାବିତ କରିଛି। ଲୋକେ ଆର୍ଥିକ ଦୁଃସ୍ଥିତିରେ ଛଟପଟ ହେଉଛନ୍ତି। କିନ୍ତୁ ଏହି ଅସମୟରେ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି ଗାଁ ଗହଳର ଗରିବ ମହିଳାମାନେ। ମାଇକ୍ରୋଫାଇନାନ୍‌ସ କମ୍ପାନିମାନଙ୍କ ଫାନ୍ଦରେ ପଡ଼ି ସେମାନେ କଲବଲ ହେଉଛନ୍ତି। ରୋଜଗାର ନଥିବାବେଳେ ଋଣ ଟଙ୍କା ପରିଶୋଧ କରିବା ପାଇଁ ଏହି କମ୍ପାନିମାନଙ୍କ ପକ୍ଷରୁ ପ୍ରବଳ ଚାପ ପଡ଼ୁଥିବାରୁ ମହିଳାମାନେ ଘୋର ମାନସିକ ଚିନ୍ତାରେ ରହୁଥିବା ଜଣାପଡ଼ିଛି। ଋଣ ଟଙ୍କା ଆଦାୟ କରୁଥିବା କର୍ମଚାରୀମାନେ କଡ଼ା ଭାଷାରେ ଅପମାନ ଦେଉଥିବାରୁ ସେମାନେ ମାନସିକ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ହେଉଛି। ଏମିତି ଏକ ଅଭିଯୋଗ ମିଳିଛି ତମାଣ୍ଡୋ ଥାନା ଅନ୍ତର୍ଗତ ମହୁରା ଗାଁରୁ।

ଅଭିଯୋଗ ଅନୁସା‌‌ରେ, ଏହି ଗାଁର ପାଖାପାଖି ୫୦ଜଣ ମହିଳା ମାଇକ୍ରୋଫାଇନାନ୍‌ସ କମ୍ପାନିମାନଙ୍କଠାରୁ ଋଣ କରିଛନ୍ତି। ୮ଟି କମ୍ପାନି ଏହି ଅଞ୍ଚଳରେ ଋଣ ଲଗାଇଛନ୍ତି। ଗରିବ ମହିଳାମାନେ ଏହି ଋଣ ଟଙ୍କାରେ ଛୋଟ‌ମୋଟ ବ୍ୟବସାୟ କରି ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି। କିନ୍ତୁ ମହାମାରୀ କରୋନା ମାଡ଼ି ଆସିବା ପରେ ସେମାନଙ୍କ ବ୍ୟବସାୟ ଏକପ୍ରକାର ଠପ୍‌ ହୋଇଯାଇଛି। ତେଣୁ ସ୍ବାଭାବିକ ଭାବେ ସେମାନଙ୍କ ରୋଜଗାରରେ ତାଲା ପଡ଼ି ଯାଇଛି। ସେମାନଙ୍କ କହିବା କଥା, ପରିସ୍ଥିତି ଏମିତି ହୋଇଛି ଯେ ଏବେ ସେମାନେ ଦୈନିକ ଦୁଇବେଳା ଖାଇବା ଯୋଗାଡ଼ କରିବାକୁ ସଂଘର୍ଷ କରୁଛନ୍ତି। କିନ୍ତୁ ରାତି ପାହିଲେ ଦୁଆରେ ବସୁଛନ୍ତି ମାଇକ୍ରୋଫାଇନାନ୍‌ସ କମ୍ପାନିର କର୍ମଚାରୀମାନେ। କିସ୍ତି ଟଙ୍କା ପଇଠ କରିବାକୁ ବାଧ୍ୟ କରୁଛନ୍ତି। ମହାଜନୀ ଢାଞ୍ଚାରେ ଋଣ କିସ୍ତି ଆଦାୟ କରିବା ପାଇଁ ଗାଳିମନ୍ଦ କରୁଛନ୍ତି ଓ ଧମକଚମକ ଦେଉଛନ୍ତି। ଜଣେ ମହିଳାଙ୍କ କହିବା କଥା, ସେମାନେ ଋଣ ଟଙ୍କା ଛାଡ଼ କରିବାକୁ କହୁନାହାନ୍ତି, କେବଳ କିସ୍ତି ପଇଠ ସୀମାକୁ କିଛି ମାସ ଗଡ଼ାଇ ଦେବାକୁ ଅନୁରୋଧ କରୁଛନ୍ତି। ଅଥଚ କମ୍ପାନି କର୍ମଚାରୀମାନେ ଆଉ ସମୟ ନ ଦେବାକୁ ଅଡ଼ି ବସୁଛନ୍ତି। ବରଂ କିସ୍ତି ଟଙ୍କା ପଇଠ କରିବାକୁ ସେମାନେ ନାନା ପ୍ରକାର ଅଶୋଭନୀୟ କଥା (ବନ୍ଧାଛନ୍ଦ ପଡ଼) କହୁଛନ୍ତି। ଉକ୍ତ କର୍ମଚାରୀମାନେ ଗାଁ ଦାଣ୍ଡ ମଝିରେ ଅପମାନସୂଚକ କଥା କହୁଥିବାରୁ ଏବେ ମହିଳାମାନେ ପଦାକୁ ଗୋଡ଼ କାଢ଼ିବାକୁ ଭୟ କରୁଛନ୍ତି ବୋଲି ଅନ୍ୟ ଜଣେ ମହିଳା କହିଛନ୍ତି। ତେଣୁ ଯଦି ମାନସିକ ନିର୍ଯାତନା ସହି ନପାରି କେହି ମହିଳା କିଛି ଅଘଟଣ କରି ବସନ୍ତି, ତେବେ ଉଭୟ କମ୍ପାନି ଓ ଋଣ ଆଦାୟ କରୁଥିବା କର୍ମଚାରୀମାନେ ଦାୟୀ ରହିବେ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏବେ କିଛି ମହିଳା ଏହି କମ୍ପାନିମାନଙ୍କ କିସ୍ତି ଟଙ୍କା ପରିଶୋଧ ପାଇଁ ଗାଁରୁ ଅଧିକ ସୁଧ ହାରରେ ହାତ ଉଧାରି କରିବାକୁ ବାଧ୍ୟ ହୋଇଛନ୍ତି।

ସମ୍ବନ୍ଧିତ ଖବର