ବାଲିଅନ୍ତା: ବାଲିଅନ୍ତା ବ୍ଲକ ପୁରଣପଧାନ ପଞ୍ଚାୟତ ଅଧୀନ ନଈକୂଳସାହି ମା’ ଖଡ଼ୁଆଣୀଙ୍କ ପୀଠରେ ଆଜି ଗ୍ରାମ୍ୟ କମିଟି ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ନିଶା ନିବାରଣ ନେଇ ଏକ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଛି। ପଞ୍ଚାୟତର ବିଭିନ୍ନ ଗ୍ରାମ କମିଟି ସହାୟତାରେ ‘ଆମ ଗାଁ ନିଶା ମୁକ୍ତି ଅଭିଯାନ’ ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି। ଛକ ବଜାର, ଗାଁ ଗଳିକନ୍ଦି କୌଣସି ସ୍ଥାନରେ ନିଶା କାରବାର କରାଯାଇପାରିବ ନାହିଁ ଗ୍ରାମ କମିଟି ନିଷ୍ପତ୍ତି ନେଇଛି। ବିଭିନ୍ନ ଗ୍ରାମ ଓ ପଡ଼ାରେ ଥିବା ମହିଳାମାନେ ଏହି ଅଭିଯାନରେ ସାମିଲ ହୋଇଛନ୍ତି।
ମହିଳାମାନେ ଓ ଗ୍ରାମ କମିଟି କାର୍ଯ୍ୟକର୍ତ୍ତାମାନେ ଘରକୁ ଘର ବୁଲି ନିଶା ନିବାରଣ ନେଇ ଲୋକଙ୍କୁ ସଚେତନ କରାଇବେ। ଏହା ସହିତ ଚୋରା ମଦ, ଭାଙ୍ଗ ଓ ଗଞ୍ଜେଇ କାରବାର ବନ୍ଦ ନେଇ ଚୋରା ବେପାରୀଙ୍କୁ ତାଗିଦ କରିବେ ବୋଲି କୁହାଯାଇଛି। ସତର୍କ କରାଇବା ସତ୍ତ୍ବେ ଯଦି ଗାଁର କୌଣସି ଲୋକ ନିଶା ବେପାର କରୁଥିବାର କମିଟି ନଜରକୁ ଆସନ୍ତି, ତାହେଲେ ସେମାନେ ପୁଲିସକୁ ଜଣାଇବେ। ଆଜିର ବୈଠକରେ ପୁରଣପଧାନ ସମିତିସଭ୍ୟା ମମତା ମାହାରି, ବୁଦ୍ଧିପଡ଼ା ଗ୍ରାମ କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ବାଳକାଟି ମଣ୍ଡଳ ସଭାପତି ବ୍ରହ୍ମାନନ୍ଦ ସ୍ବାଇଁ, କୋଷାଧ୍ୟକ୍ଷ ବାମଦେବ ନାୟକ, ସଂପାଦକ ପ୍ରତାପ କୁମାର ବେହେରା, ସନ୍ତୋଷ ମାହାରି ଏବଂ ଯୁବନେତା ଗନ୍ଧର୍ବ ନାୟକଙ୍କ ସମେତ ବିଭିନ୍ନ ମହିଳାମଣ୍ଡଳ କାର୍ଯ୍ୟକର୍ତ୍ତା ଓ ଯୁବକମାନେ ଉପସ୍ଥିତ ଥିଲେ।