ପୁରୁଣା ଭୁବନେଶ୍ୱର: ଏୟାରଫିଲ୍ଡ ଥାନା ଅଧୀନ ଭୀମଟାଙ୍ଗୀରେ ଥିବା ଏକ ଘରୁ ପୁଲିସ ଶିଳ୍ପୀ ଦାସ(୨୫) ନାମକ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଶିଳ୍ପୀଙ୍କ ଘର ଲକ୍ଷ୍ମୀସାଗର ଥାନା ଅଧୀନ କଟକରୋଡ୍ ବଙ୍ଗାଳୀ କଲୋନିରେ। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ୍ ପଠାଇଛି। ତେବେ ଶିଳ୍ପୀଙ୍କ ଏଭଳି ମୃତ୍ୟୁକୁ ତାଙ୍କ ବାପଘର ଲୋକ ସହଜରେ ଗ୍ରହଣ କରି ପାରିନାହାନ୍ତି। ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତାଙ୍କ ସ୍ୱାମୀ ସୁବିର ଜାନାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି। ମିଳିଥିବା ସୂଚନା ମୁତବାକ, ଭୀମଟାଙ୍ଗୀ ଅଞ୍ଚଳର ସୁବିର ୨୦୧୭ ଡିସେମ୍ବର ୧୭ ତାରିଖରେ ଶିଳ୍ପୀଙ୍କୁ ବିବାହ କରିଥିଲେ। ସୁବିରଙ୍କ ପରିବାର ଲୋକଙ୍କ ଦାବି ଅନୁଯାୟୀ ଶିଳ୍ପୀ ଯୌତୁକ ଆଣିଥିଲେ। ବିବାହର ଦୁଇ ମାସ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ସଂପର୍କ ଠିକ ଥିଲା। କିନ୍ତୁ ଏହା ମଧ୍ୟରେ ସ୍ୱାମୀ ସୁବିର ଓ ଶାଶୂ ପ୍ରତିମା ଜାନା ବାପଘରୁ ଅଧିକ ଟଙ୍କା ଆଣିବାକୁ ଶିଳ୍ପୀଙ୍କୁ ବାଧ୍ୟ କରିଥିଲେ। କିନ୍ତୁ ଏଥିରେ ଅରାଜି ହେବାରୁ ସ୍ୱାମୀ ଓ ଶାଶୂ ବିଭିନ୍ନ ସମୟରେ ତାଙ୍କୁ ନିର୍ଯାତନା ଦେଉଥିଲେ। ଇତି ମଧ୍ୟରେ ଶିଳ୍ପୀ ଗର୍ଭବତୀ ହୋଇଥିଲେ। ଏ କଥା ତାଙ୍କ ଶାଶୂ ଜାଣିବା ପରେ ତାଙ୍କ ଉପରେ ନିର୍ଯାତନା ବଢ଼ିବାରେ ଲାଗିଥିଲା। ଟଙ୍କା ନ ଆଣିଲେ ଗର୍ଭପାତ କରାଇବାକୁ ଧମକ ଦେଇଥିଲେ। ତେବେ ସୋମବାର ରାତିରେ ଯୌତୁକକୁ ନେଇ ଶିଳ୍ପୀ ଓ ସୁବେରଙ୍କ ମଧ୍ୟରେ ଝଗଡ଼ା ହେବାରୁ ଶିଳ୍ପୀଙ୍କୁ ଶାଶୂଘର ଲୋକ ଧମକ ଦେବା ସହ ମାଡ଼ ମାରିଥିଲେ। ଫଳରେ ନିର୍ଯାତନା ସହି ନପାରି ଶିଳ୍ପୀ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ସୁବେରଙ୍କ ପଡ଼ୋଶୀଙ୍କଠାରୁ ଖବର ପାଇ ପୁଲିସ ଘର କବାଟ ଭାଙ୍ଗି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା।
ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ, ହତ୍ୟା ଅଭିଯୋଗ ଆଣିଲେ ପରିବାର
/sambad/media/post_attachments/wp-content/uploads/2018/08/lingaraj-mruta-mahila.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)