ଝାରପଡ଼ା ଜେଲ୍‌ରେ ମହିଳା ଅନ୍ତେବାସୀଙ୍କ ଷ୍ଟଲ୍ : କମ୍ ଦରରେ ମିଳୁଛି ଶୁଦ୍ଧ ହଳଦୀ, ଅଟା, ବେସନ

ପାରିଶ୍ରମିକ ୧୦୦ ଟଙ୍କା କରିବାକୁ ପ୍ରସ୍ତାବ, ଆଜିଠୁ କଏଦୀ ଦେଖିବେ ମୁଭି

ଭୁବନେଶ୍ବର : ଝାରପଡ଼ା ଜେଲ୍‌ରେ ଖୋଲିଲା ମହିଳା ଅନ୍ତେବାସୀଙ୍କ ହାତ ତିଆରି ସାମଗ୍ରୀ ଷ୍ଟଲ୍‌। ବଜାରଠାରୁ କମ୍‌ ଦାମ୍‌ରେ ରାଜଧାନୀବାସୀ ପାଇବେ ଶୁଦ୍ଧ ହଳଦୀଗୁଣ୍ଡା, ଅଟା, ବେସନ ଓ ମୁଢ଼ି। ମହିଳା ଅନ୍ତେବାସୀଙ୍କୁ ସ୍ବାବଲମ୍ବୀ କରିବା ଓ ସେମାନଙ୍କ ମାନସିକ ସ୍ଥିତିରେ ବ୍ୟାପକ ପରିବର୍ତ୍ତନ କରିବା ଲକ୍ଷ୍ୟରେ ପ୍ରସ୍ତୁତ ହୋଇଥିବା‌ ଏହି ଯୋଜନା ଏବେ ଫଳବତୀ ହୋଇଛି। ଆଜି ଝାରପଡ଼ା ଜେଲ୍‌ ପରିସରରେ ମହିଳା କଏଦୀଙ୍କ ହାତ ତିଆରି ସାମଗ୍ରୀ ଷ୍ଟଲ୍‌ ଉଦ୍‌ଘାଟନ ହୋଇଛି। ଅପରାହ୍‌ଣରେ ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ ଏହି ଷ୍ଟଲ୍‌କୁ ଉଦ୍‌ଘାଟନ କରିଛନ୍ତି। ସେମାନଙ୍କୁ ସ୍ବାବଲମ୍ବୀ କରିବା ସହ ଲୋକଙ୍କୁ ଶୁଦ୍ଧ ଓ ଉନ୍ନତମାନର ଖାଦ୍ୟ ସାମଗ୍ରୀ ଯୋଗାଇବା ଲକ୍ଷ୍ୟ ପୂରଣ ହେବ ବୋଲି ଶ୍ରୀ ଉପାଧ୍ୟାୟ କହିଛନ୍ତି। ଏହି କଏଦୀମାନେ ଜେଲ୍‌ରୁ ମୁକୁଳିବା ପରେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଏହା ପ୍ରମୁଖ କାରଣ ହେବ ବୋଲି ସେ କହିଛନ୍ତି। ବଡ଼ କଥା ହେଉଛି, ମହିଳା କଏଦୀଙ୍କ ଦୈନିକ ପାରିଶ୍ରମିକ ୧୦୦ଟଙ୍କାକୁ ବୃଦ୍ଧି କରିବାକୁ ଏହି ଯୋଜନା ସହାୟକ ହେବ ବୋଲି ସେ କହିଛନ୍ତି। ଏଥିପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ଆଜି ଏହି ଖାଦ୍ୟ ପ୍ରସ୍ତୁତିକରଣ ୟୁନିଟ୍ ସହ ଫିଲ୍ମ ଦେଖିବା ପାଇଁ ପ୍ରୋଜେକ୍ଟର ସିଷ୍ଟମ୍, ପୋଷାକ ସଫା କରିବା ପାଇଁ ଵାସିଂ ମେସିନ୍, ସାଉଣ୍ଡ୍‌ ସିଷ୍ଟମ୍‌ ଓ କଏଦୀମାନେ ନିଜ ମାମଲା ସମ୍ପର୍କରେ ଜାଣିବା ପାଇଁ କିଓସ୍କ ମଧ୍ୟ ଉଦ୍‌ଘାଟନ ‌କରାଯାଇଛି। କଏଦୀମାନେ ଆସନ୍ତାକାଲି (ଶନିବାର)ଠାରୁ ମୁଭି ଦେଖିବାର ସୁଯୋଗ ପାଇବେ। ପ୍ରତି ଶନିବାର ଓ ରବିବାର ମୁଭି ପ୍ରଦର୍ଶିତ ହେବ ବୋଲି ନିଷ୍ପତ୍ତି ହୋଇଛି। ଦିନକୁ ଦୁଇଥର ମୁଭି ପ୍ରଦର୍ଶନ ହେବ। କଏଦୀମାନେ ବିଭିନ୍ନ ପର୍ଯ୍ୟାୟରେ ଏହାର ମଜା ନେଇପାରିବେ। ବିଶେଷକରି ଆଧ୍ୟାତ୍ମିକ, ଦେଶାତ୍ମବୋଧ, ପରିବେଶ ସୁରକ୍ଷା, ଜଙ୍ଗଲ ଉପରେ ମୁଭି ପ୍ରଦର୍ଶିତ ହେବ। ଏହା ଦ୍ବାରା କଏଦୀଙ୍କ ଜୀବନରେ ମଧ୍ୟ ପରିବର୍ତ୍ତନ ଆସି ପାରିବ ବୋଲି କୁହାଯାଉଛି। ଆସନ୍ତାକାଲିଠାରୁ ଅନ୍ୟ ସବୁ ସୁବିଧା ପାଇପାରିବେ କଏଦୀ। ଉଲ୍ଲେଖଯୋଗ୍ୟ, କୁଶଳୀ କଏଦୀମାନେ ଦିନକୁ ୬୦ ଟଙ୍କା ପାରିଶ୍ରମିକ ପାଉଥିବା ବେଳେ ଅର୍ଦ୍ଧକୁଶଳୀମାନେ ୫୦ ଏବଂ ଅଣକୁଶଳୀମାନେ ୪୦ ଟଙ୍କା ପାଉଛନ୍ତି।

ଅଟା ୩୦, ବେସନ ୮୦
ଏହି ଷ୍ଟଲ୍‌ରେ ଆଜିଠାରୁ ଅଟା, ବେସନ, ହଳଦୀ ଏବଂ ମୁଢ଼ି ବିକ୍ରି ଆରମ୍ଭ ହୋଇଛି। ଅଟା କେଜି ୩୦ ଟଙ୍କା ଥିବା ବେଳେ ବେସନ ୮୦ ଟଙ୍କା ଏବଂ ହଳଦୀ ଗୁଣ୍ଡ କେଜି ପ୍ରତି ୧୨୦ ଟଙ୍କା ଧାର୍ଯ୍ୟ ହୋଇଛି। ଏହି ଦାମ୍ ବଜାରଠାରୁ କମ୍ ରହିଛି ବୋଲି କହିଛନ୍ତି ଝାରପଡ଼ା ଜେଲ୍ ଅଧୀକ୍ଷକ ଡିଏନ୍ ବାରିକ। ଗହମକୁ ଭଲଭାବେ ସଫା କରାଯାଇ ଅଟା ପ୍ରସ୍ତୁତ କରାଯାଉଛି। ସେହିଭଳି ହଳଦୀଗୁଣ୍ଡ ଓ ବେସନ ପ୍ରସ୍ତୁତି ବେଳେ ମଧ୍ୟ ସଫାସୁତୁରାକୁ ଗୁରୁତ୍ବ ଦିଆଯାଉଛି। ଫଳରେ ଗ୍ରାହକମାନେ ଶୁଦ୍ଧ ଅଟା, ବେସନ ଓ ହଳଦୀ ଗୁଣ୍ଡ ପାଇବେ। ମୁଢ଼ି ପ୍ୟାକେଟ ୧୦ ଟଙ୍କାରେ ବିକ୍ରି କରାଯାଉଛି। ଅଫିସ ସମୟରେ ଏହି ଷ୍ଟଲ ଖୋଲିବ।

ସମ୍ବନ୍ଧିତ ଖବର