ମହିଳାଙ୍କ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲେ ବାପା

ଧଉଳି: ଉତ୍ତରା ଫାଣ୍ଡି ପୁଲିସ ଆଜି ଶିଉଳା ଗ୍ରାମ ତଳସାହିର ପ୍ରମୋଦ ସ୍ବାଇଁଙ୍କ ପତ୍ନୀ ଝରଣା ପ୍ରଧାନ (୨୫)ଙ୍କ ମୃତ୍ୟୁ ମାମଲାରେ ତାଙ୍କ ସ୍ବାମୀ ଶ୍ବଶୁର କାହ୍ନୁ ସ୍ବାମୀ ପ୍ରମୋଦ  ଓ ଦିଅର ପିଣ୍ଟୁ ସ୍ବାଇଁଙ୍କୁ ପିପିଲି ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏସଂକ୍ରାନ୍ତରେ ଝରଣାଙ୍କ ବାପା କୈଳାସ ପ୍ରଧାନ ଲିଖିତ ଅଭିଯୋଗ କରିଥିଲେ। ପିପିଲି ଥାନା ଅଧିକାରୀ ଶରତ ସାହୁଙ୍କ ସୂଚନା ମୁତାବକ ୨୦୧୮ ମେ ମାସ ୨ ତାରିଖରେ ବାଲିପାଟଣା ଥାନା ପାଳସାହିର କୈଳାସ ପ୍ରଧାନଙ୍କ ଝିଅ ଝରଣାଙ୍କ ସହିତ ପିପିଲି ଥାନା ଶିଉଳା ତଳସାହିର କାହ୍ନୁ ସ୍ବାଇଁଙ୍କ ପୁଅ ପ୍ରମୋଦଙ୍କ ମଧ୍ୟରେ ବିବାହ ହୋଇଥିଲା।  ବାହାଘରର କିଛିଦନ ପରେ ଅଧିକ ଯୌତୁକ ଆଣିବା ଦାବି କରି ଶାଶୂଘର ଲୋକ ନିର୍ଯାତନା ଦେଉଥିଲେ। ରବିବାର ଝିଅ ଦେହ ଖରାପ ଅଛି ଆଉ ସେ ହସ୍ପିଟାରଲରେ ଚିକିତ୍ସାଧୀନ ଅଛନ୍ତି ବୋଲି  ପ୍ରମୋଦଙ୍କଠାରୁ ଫୋନ ପାଇ କ୍ୟାପିଟାଲ ହସ୍ପିଟାଲକୁ ଦୌଡ଼ି  ଯାଇଥିଲେ। ହେଲେ ସେଠାରେ ଝିଅକୁ ନପାଇ ଘରକୁ ଫେରି ଆସି ଦେଖନ୍ତି ଯେ ଝରଣା ଘର ବାରଣାରେ ମରିପଡ଼ିଛି।  ଅନ୍ୟପକ୍ଷରେ ଗାଧୁଆ ଘର ଭିତରେ ବେକରେ ରଶିବାନ୍ଧି ଝରଣା ଝୁଲିପଡ଼ିଥିବା ନେଇ ତାଙ୍କ ସ୍ବାମୀ ପ୍ରମୋଦଙ୍କ ସମେତ ଶାଶୂଘର ଲୋକ ପୁଲିସକୁ କହିଛନ୍ତି।  ହେଲେ ଝରଣାଙ୍କ ବାପା ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିବାରୁ ପୁଲିସ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧିତ ଖବର