ଲକ୍‌ଡାଉନ୍‌ରେ ମହିଳାଙ୍କ ସୁରକ୍ଷା ବିପନ୍ନ: ଏକୁଟିଆ ଯୁବତୀଙ୍କୁ ଦେଖି ଟାର୍ଗେଟ୍ କରୁଛନ୍ତି ଲୁଟେରା

ବ୍ୟାଗ୍ ଝାମ୍ପି ନେବା ବେଳେ ୨ଜଣଙ୍କୁ ମାଡ଼ି ବସିଲେ ଲୋକେ

ଭୁବନେଶ୍ୱର : ସଂକ୍ରମଣକୁ ହ୍ରାସ କରିବା ପାଇଁ ଲକ୍‌ଡାଉନ୍ ଜାରି ହୋଇଛି। ତେବେ ଲକ୍‌ଡାଉନ୍‌ ବେଳେ ରାସ୍ତାଘାଟରେ ନିର୍ଜନତା ଏବେ ଚୋର ଓ ଲୁଟେରାଙ୍କ ପାଇଁ ସୁଯୋଗ ପାଲଟିଛି ଏବଂ ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି। ଲକ୍‌ଡାଉନ୍ ବେଳେ ରାସ୍ତାରେ ଏକୁଟିଆ ଯାଉଥିବା ଯୁବତୀ ତଥା ଅସହାୟଙ୍କୁ ଲୁଟେରାମାନେ ଟାର୍ଗେଟ୍ କରି ସେମାନଙ୍କ ମୋବାଇଲ୍, ସୁନା ଚେନ୍, ଭ୍ୟାନିଟି ବ୍ୟାଗ୍ ଆଦି ଝାମ୍ପି ନେଉଛନ୍ତି। ତେବେ ଗତକାଲି ଖଣ୍ଡଗିରି ଥାନା ଅଞ୍ଚଳରେ ଜ‌ଣେ ମହିଳା ସ୍ବାସ୍ଥ୍ୟକର୍ମୀ ଲୁଟ୍‌ର ଶିକାର ହେଲା ବେଳେ ଲୋକେ ଲୁଟେରାକୁ କାବୁ କରି ନେଇଛନ୍ତି। ପୁଲିସ୍‌ ଲୁଟେରାଦ୍ବୟଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୪ଟି ମୋବାଇଲ୍‌ ଓ ବ୍ୟାଗ୍‌ ଜବତ କରିଛି।

ମିଳିଥିବା ସୂଚନା ମୁତାବକ, ଗୁରୁବାର ଦିନ ପ୍ରାୟ ୧ଟା ବେଳେ ଏମ୍‌ସରେ କାମ କରୁଥିବା ସ୍ବାସ୍ଥ୍ୟକର୍ମୀ ନିରୁତମା ମଲ୍ଲିକ ସତ୍ୟନଗରରୁ ସାଇକେଲ୍ ନେଇ ଏମ୍‌ସ ଯାଉଥିବା ବେଳେ ଖଣ୍ଡଗିରି ବାଇପାସ୍ ଛକରେ ଦୁଇଜଣ ଯୁବକ ତାଙ୍କଠାରୁ ବ୍ୟାଗ୍‌ ଝାମ୍ପି ନେଇଥିଲେ। ସେ ବଡ଼ ପାଟିରେ ପାଟି କରିବାରୁ ଅଫିସ୍ ଯାଉଥିବା ଜଣେ ବ୍ୟକ୍ତି ଲୁଟେରା ଦ୍ବୟଙ୍କୁ ପିଛା କରିଥିଲେ। ନିରୁତମା ମଧ୍ୟ କାଳ ବିଳମ୍ବ ନ କରି ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିବାକୁ ଚାଲି ଆସିଥିଲେ। ଏହା ପରେ ପୁଲିସ୍ ଗାଡ଼ି ନେଇ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉକ୍ତ ବ୍ୟକ୍ତି ଲୁଟେରା ଦ୍ବୟଙ୍କୁ କାବୁ କରି ନେଇଥିଲେ। ଖଣ୍ଡଗିରି ପୁଲିସ୍ ଲୁଟେରା ଦ୍ବୟଙ୍କୁ ଗିରଫ କରିଥିବା ବେଳେ ଆଜି କୋର୍ଟ ଚାଲଣ କରିଛି। ଏହା ସହିତ ପୁଲିସ୍ ନିରୁତମାଙ୍କୁ ତାଙ୍କ ବ୍ୟାଗ୍ ଓ ମୋବାଇଲ୍ ଫୋନ୍ ଫେରାଇ ଦେଇଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ବରମୁଣ୍ଡା ରୁଚିକା ବସ୍ତିର ମହାବୀର ବସ୍ତିର ପ୍ରହଲ୍ଲାଦ ନାୟକ ଓ କମଳକାନ୍ତ ନାୟକ।

ଏ ନେଇ ପୀଡ଼ିତା ନିରୁତମାଙ୍କ ବଡ଼ ଭାଇ ଇସୁଦାସ ମଲ୍ଲିକ କହିଛନ୍ତି, ବର୍ତ୍ତମାନ ଲକ୍‌ଡାଉନ୍ ଯୋଗୁଁ କାମ କେଉଁଠି ମିଳୁନି। ସାନ ଭଉଣୀ ଏମ୍‌ସରେ କାମ କରୁଛି। ଆମେ ସତ୍ୟନଗରରେ ପରିବାର ସହ ରହୁଛୁ। ଏମ୍‌ସରୁ ସତ୍ୟନଗର ୧୫ କିମିର ଅଧିକ ବାଟ ହୋଇଥିବା ବେଳେ ନିରୁତମାଙ୍କୁ ସେ ମେଡିକାଲ୍ ନେବା ଆଣିବା କରନ୍ତି। ମାତ୍ର ଲକ୍‌ଡାଉନ୍ ଯୋଗୁଁ ସେ ଭଉଣୀଙ୍କୁ ନେବା ଆଣିବା କରିବାକୁ କୌଣସି ପାସ୍ ପାଇନାହାନ୍ତି। ଫଳରେ ତାଙ୍କ ଭଉଣୀ ସବୁଦିନ ସାଇକେଲ୍‌ରେ ଯିବା ଆସିବା କରୁଛି। ତେବେ ଗତକାଲିର ଘଟଣା ପରେ ଭଉଣୀକୁ ଏକୁଟିଆ ଏତେ ବାଟ ସାଇକେଲ୍‌ରେ ଛାଡ଼ିବାକୁ ଭୟ ଲାଗୁଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର