ଭୁବନେଶ୍ବର: ମହିଳା ସୁରକ୍ଷା ନେଇ କମିସନେରଟ୍ ପୁଲିସ କରିଥିବା ଯୋଜନା ଏବେ ବାଟବଣା। ଯୋଜନା କରିବା ପରେ ଏହାର କାର୍ଯ୍ୟକାରିତାକୁ ଗୁରୁତ୍ବ ଦିଆଯାଉନାହିଁ। ମହିଳା ସୁରକ୍ଷା ନେଇ କମିସନରେଟ୍ ପୁଲିସର ଏକାଧିକ ଯୋଜନା ମଧ୍ୟରୁ କୌଣସି ଗୋଟିଏ ବି ଯୋଜନା ଠିକ୍ ଢଙ୍ଗରେ କାର୍ଯ୍ୟକାରୀ ହେଉନାହିଁ।
ହଜିଗଲା ପିଙ୍କ ଅଟୋ: ୨୦୧୪ ଜୁନ୍ ୧୪ ତାରିଖରେ ତତ୍କାଳୀନ କମିସନର ରାଜେନ୍ଦ୍ର ପ୍ରସାଦ ଶର୍ମା ସହରର ମହିଳାମାନଙ୍କ ସୁରକ୍ଷା ପାଇଁ ‘ପିଙ୍କ୍ ଅଟୋ ଯୋଜନା’ ଆରମ୍ଭ କରିଥିଲେ। ମହିଳାଯାତ୍ରୀ ପରିବହନ ପାଇଁ ଏହି ଅଟୋକୁ ପ୍ରାଧାନ୍ୟ ଦିଆଯାଇଥିଲା। ସେତେବେଳେ ଅଟୋ ଚାଳକଙ୍କ ପାଇଁ ଯାବତୀୟ କଟକଣା ସହ ସ୍ବତନ୍ତ୍ର ପିଙ୍କ୍ ଅଟୋ, ଡ୍ରେସ୍ କୋଡ୍, ଟିକଟ୍ କାଉଣ୍ଟର ମଧ୍ୟ ଖୋଲା ଯାଇଥିଲା। ଯେଉଁଥିରେ ୩୦୦ରୁ ଅଧିକ ଅଟୋ ପଞ୍ଜୀକରଣ କରିଥିଲେ। କିଛି ବର୍ଷ ଏହି ଯୋଜନା ଭଲଭାବେ କାମ କରିଥିଲା। ବର୍ତ୍ତମାନ ରାସ୍ତାରେ ଆଉ ପିଙ୍କ୍ ଅଟୋ ଦେଖିବାକୁ ମିଳୁନି। ଅଧିକାରୀ ବଦଳିବା ସହ ଯୋଜନା ବି ବଦଳି ଯାଇଛି।
ହାତଛାଡ଼ି ଦେଲା ‘ମୋ ସାଥୀ’: ୨୦୧୫ ମସିହାରେ ଦିଲ୍ଲୀ ଢାଞ୍ଚାରେ କମିସନରେଟ୍ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିଲା ‘ମୋ ସାଥୀ ଆପ୍’। ଏହି ଆପ୍କୁ ଡାଉନଲୋଡ୍ କରି ଏଥିରେ ନିଜର ବିବରଣୀ ସହ ୩ଜଣ ସମ୍ପର୍କୀୟଙ୍କ ବିବରଣୀ ଦାଖଲ କରିବାକୁ ପଡ଼ୁଥିଲା। କୌଣସି ସ୍ଥାନରେ କିଛି ଅସୁବିଧା ହେଲେ, ମୋବାଇଲ ଫୋନ୍ ବଟନକୁ ୫ ଥର ଦବାଇବା ପରେ ମୋବାଇଲରେ ଅଟୋମେଟିକ୍ ୩୦ ସେକେଣ୍ଡର ଭିଡିଓ ଓ ଅଡିଓ ରେକର୍ଡ ହୋଇଯାଉଥିଲା। ସେହି ରେକର୍ଡିଂ ପୁଲିସ୍ କଣ୍ଟ୍ରୋଲ ରୁମ୍ ଓ ଯୁବତୀଙ୍କ ସମ୍ପର୍କୀୟଙ୍କ ପାଖକୁ ଆପେଆପେ ଚାଲି ଯାଉଥିଲା। ମୋବାଇଲ୍ ଲୋକେସନ ଆଧାରରେ ପୁଲିସ ପୀଡ଼ିତାଙ୍କ ପାଖରେ ପହଞ୍ଚି ଯାଉଥିଲା। ହେଲେ ବର୍ତ୍ତମାନ ଏହି ଆପ୍ର ସ୍ଥିତି କ’ଣ କାହାକୁ ଜଣା ନାହିଁ।
କୋମାରେ ମହିଳା ‘ଏସ୍ପିଓ’ ଯୋଜନା: କମିସନରେଟ୍ ପୁଲିସର ଦ୍ବାଦଶ ପ୍ରତିଷ୍ଠା ଦିବସରେ ୨୦୨୦ ଜାନୁଆରି ୩ ତାରିଖରେ ରାଜଧାନୀର ୩୦ ଅନୁଷ୍ଠାନରୁ ୨୪୬ଜଣ ଯୁବତୀଙ୍କୁ ଏସ୍ପିଓ ଭାବେ ନିଯୁକ୍ତି ଦିଆଯାଇଥିଲା। ସ୍କୁଲ ଓ କଲେଜ ଛାତ୍ରୀ ତଥା କର୍ମକ୍ଷେତ୍ରରେ ମହିଳାମାନେ ନିର୍ଯାତନାର ଶିକାର ହେଲେ ଏସ୍ପିଓମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ଷମତାସୀନ ହୋଇଥିଲେ। ସୋସିଆଲ ମିଡିଆରେ ନିର୍ଯାତନାର ଶିକାର ପୀଡ଼ିତାଙ୍କୁ ନ୍ୟାୟ ଦେବାପାଇଁ ଏମାନେ ଅଧିକୃତ ଥିଲେ। ଏଭଳି ଏକ ଅଭିନବ ପଦକ୍ଷେପ ପାଇଁ କମିସନରେଟ୍ ପୁଲିସ ବାହାବା ନେଲା। ଛାତ୍ରୀମାନେ ଉତ୍ସାହିତ ହେଲେ, ମହିଳାମାନେ ବି ଆଶ୍ବସ୍ତ ହେଲେ। କିନ୍ତୁ ସେମାନଙ୍କୁ ଅଧିକ କ୍ଷମତା ଓ ଶାରୀରିକ ତାଲିମ ନ ଦେବା ଫଳରେ ଏହି ଯୋଜନା କୋମାକୁ ଚାଲିଯାଇଛି।
ହର ଟିମ୍: ଗତ ୨୦୨୪ ଏପ୍ରିଲ୍ ମାସରେ ମହିଳା ସୁରକ୍ଷା ନେଇ ‘ହର’(ହାଇ ଏଫିସିଏନ୍ସି ରେସ୍ପନ୍ସ) ଟିମ୍ ଗଠନ କରାଯାଇଥିଲା। ଟିମ୍ରେ ଜଣେ ଏସିପି ରୢାଙ୍କର ଅଧିକାରୀ ଥିବା ବେଳେ ଜଣେ ଆଇଆଇସି, ୨ଜଣ ଏସ୍ଆଇଙ୍କୁ ମିଶାଇ ମୋଟ୍ ୧୪ଜଣିଆ ମହିଳା ପୁଲିସ ଟିମ୍ ଗଠନ କରାଯାଇଥିଲା। ସେମାନେ ବିଶେଷ କରି ସହରର ବଜାର, ଗହଳି ଅଞ୍ଚଳ, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ଧର୍ମାନୁଷ୍ଠାନ ଆଦି ଅଞ୍ଚଳ ଉପରେ ନଜର ରଖିବେ। ତତ୍କାଳୀନ କମିସନର ସଂଜୀବ ପଣ୍ଡା ଏହି ଯୋଜନା ଆରମ୍ଭ କରିଥିଲେ। ହେଲେ ଏହି ଟିମ୍ ଏକ ପ୍ରକାର ନିଷ୍କ୍ରିୟ ହୋଇଯାଇଛି। ଆଗ ଭଳି ଆଉ ‘ହର୍’ ଟିମ୍ର ଧରପଗଡ଼ ଦେଖିବାକୁ ମିଳୁନାହିଁ।
ଅନ୍ୟପଟେ ଏନେଇ ଡିସିପି ଜଗ୍ମୋହନ ମୀନା କହିଛନ୍ତି ଯେ ହର୍ ଟିମ୍ ସକ୍ରିୟ ରହିଛି। ୧୧୨ରୁ କଲ୍ ପାଇବା ପରେ ସେମାନେ ପଦକ୍ଷେପ ନେଉଛନ୍ତି। ହେଲେ ଅନ୍ୟ ଯୋଜନା ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମୀନା କହିଛନ୍ତି।