୫ ବର୍ଷ ପରେ ବି ଦ୍ବିତୀୟ କ୍ୟାମ୍ପସ ଚିହ୍ନଟ ହେଲାନି
ଖେଳିବାକୁ ପଡ଼ିଆ, ରହିବାକୁ ପର୍ଯ୍ୟାପ୍ତ ହଷ୍ଟେଲ ନାହିଁ

Advertisment

ଭୁବନେଶ୍ୱର : ମାସେ କି ବର୍ଷେ ନୁହେଁ। ୫ ବର୍ଷ ବିତିଗଲାଣି। ହେଲେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ଚୟନ ହୋଇପାରିଲା ନାହିଁ। ସହର ଉପକଣ୍ଠ ଗୋଠପାଟଣାଠାରେ ଜାଗା ଦେଖାଗଲା। ହେ‌ଲେ ତାହା ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ପସନ୍ଦ ଆସିଲା ନାହିଁ। ଏତେ ବାଟରେ ରହି ଝିଅମାନେ କେମିତି ପଢ଼ିବେ ବୋଲି ପ୍ରଶ୍ନ ଉଠାଇଲେ। ବିଶ୍ବବିଦ୍ୟାଳୟ ଆଖପାଖ‌ରେ ଜାଗା ଯୋଗାଇ ଦେବାକୁ କହିଲେ। ଏମିତି କି ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଭିତରେ ରମାଦେବୀର ଦ୍ବିତୀୟ କ୍ୟାମ୍ପସ କରିବାକୁ ଉଚ୍ଚଶିକ୍ଷା ବିଭାଗକୁ ପ୍ରସ୍ତାବ ପଠାଇଲେ ଏବଂ ଉଚ୍ଚଶିକ୍ଷା ବିଭାଗ ବି ତତ୍ପରତା ଦେଖାଇ ଜାଗା ଅନୁଧ୍ୟାନ ପାଇଁ କମିଟି ଗଠନ କଲା। ତେବେ ଚାରି ଆଡ଼ୁ ପ୍ରବଳ ବିରୋଧ ପରେ କାନମୁଣ୍ଡ ଆଉଁସି ଉଭୟ ଉଚ୍ଚଶିକ୍ଷା ବିଭାଗ ଓ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଚୁପ୍‌ ରହିଲେ।

ଆଉ ତା’ପରେ ସବୁ କିଛି ଅଟକି ଯାଇଛି। ଦ୍ବିତୀୟ କ୍ୟାମ୍ପସ ଚୟନ ଲାଗି ୫ ବର୍ଷ‌ରେ ୩ଟି କମିଟି ଗଠନ ହୋଇଛି। କେତେବେଳେ କୁଳପତି ତ ଆଉ କେତେବେଳେ ‌ଖୋର୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜାଗା ଖୋଜା କମିଟି ହୋଇଛି। ଏମିତିକି ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ ବି ଗୋଟିଏରୁ ଅନ୍ୟ ସ୍ଥାନକୁ ଯାଇ ଜାଗା ଦେଖି ଆସିଛନ୍ତି। ତା’ପରେ ବି ଜାଗା ଚିହ୍ନଟ ହୋଇପାରି ନାହିଁ। ଗୋଠପାଟଣାରେ ଥିବା ୬୦ ଏକର ପରିମିତ ସରକାରୀ ଜାଗାରୁ ୩୦ ଏକର ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ କରିବାକୁ ଯୋଜନା ହୋଇଥିଲା। ତେବେ ଏତିକି ଜାଗା ଛାତ୍ରୀମାନଙ୍କ ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶ ପାଇଁ ପର୍ଯ୍ୟାପ୍ତ ହେବ ନାହିଁ ବୋଲି କର୍ତୃପକ୍ଷ ଯୁକ୍ତି ବାଢ଼ିଥିଲେ। ପରିଣାମ ସ୍ବରୂପ ଏବେ ସେତେକ ଜାଗା ମିଳିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ସବୁଠାରୁ ବଡ଼ କଥା ହେଉଛି ଯେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିନଠାରୁ ଆଜି ପର୍ଯ୍ୟନ୍ତ ପ୍ରଫେସର ପଦ୍ମଜା ମିଶ୍ର ଶିକ୍ଷାନୁଷ୍ଠାନର ମୁଖ୍ୟ ଭାବେ ଦାୟିତ୍ବ ତୁଲାଇ ଆସୁଛନ୍ତି। ପ୍ରଫେସର ମିଶ୍ରଙ୍କ କାର୍ଯ୍ୟକାଳ ପ୍ରଥମେ ଓଏସ୍‌ଡି ଭାବେ ୬ ମାସ, ଏହାପରେ କୁଳପତି ଭାବେ ବର୍ଷେ, ପରେ ୩ ବର୍ଷ, ଆଉ ଏବେ ୩ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏତେ ସମୟ ଧରି ବିଶ୍ବବିଦ୍ୟାଳୟର ମୁଖ୍ୟ ଭାବେ ଦାୟିତ୍ବରେ ରହିଥିଲେ ମଧ୍ୟ ଦ୍ବିତୀୟ କ୍ୟାମ୍ପସ ଚୟନ କରି ନ ପାରିବା ନେଇ ପ୍ରଶ୍ନବାଚ୍ଚୀ ସୃଷ୍ଟି କରୁଛି। ଏହି ୫ ବର୍ଷ ମଧ୍ୟରେ ୩ ଜଣ ଉଚ୍ଚଶିକ୍ଷା ମନ୍ତ୍ରୀ ଗଲେଣି। ତା’ପରେ ବି ବିଶ୍ବବିଦ୍ୟାଳୟର ଭାଗ୍ୟ ବଦଳୁ ନାହିଁ। ସେହି ୨୩ ଏକର ପରିମିତ ଛୋଟିଆ କ୍ୟାମ୍ପସରେ ଯୁକ୍ତ୨, ସ୍ନାତକ, ସ୍ନାତକୋତ୍ତର, ଏମ୍‌.ଫିଲ୍‌ର ୬ ହଜାର ଛାତ୍ରୀ ଖୁନ୍ଦିଖାନ୍ଦି ହୋଇ ପଢ଼ୁଛନ୍ତି ଓ ରହୁଛନ୍ତି।

ଆଉ ଏବେ ତ ସ୍ଥିତି ଅହୁରି ସଙ୍ଗିନ ହେବାକୁ ଯାଉଛି। ଭିତ୍ତିଭୂମି ବିକାଶ ପାଇଁ ଗୋଟିଏ ପରେ ଗୋଟିଏ କୋଠା ନିର୍ମାଣ ହେଉଥିବାରୁ କ୍ୟାମ୍ପସ ସଙ୍କୁଚିତ ହେଉଛି। ଛାତ୍ରୀଙ୍କ ଖେଳିବା ପାଇଁ ପଡ଼ିଆ ନାହିଁ। ରହିବାକୁ ପର୍ଯ୍ୟାପ୍ତ ହଷ୍ଟେଲ ନାହିଁ। କ୍ଲାସ କରିବାକୁ ଜାଗା ନ ଥିବାରୁ ପାଳି କରି ହେଉଛି କ୍ଲାସ। ସଭା କରିବା ପାଇଁ ପେଣ୍ଡାଲ ଥିବା ‌ବେଳେ ଅତ୍ୟାଧୁନିକ ଅଡିଟୋରିୟମ ଆଜି ବି ସ୍ବପ୍ନ ପାଲଟିଛି। ଯେତେବେଳେ ବି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ କୌଣସି କାର୍ଯ୍ୟକ୍ରମକୁ ଅତିଥି ହୋଇ ଆସିଛନ୍ତି ସେମାନେ ଅନେକ ପ୍ରତିଶ୍ରୁତି ଦେଇଯାଇଛନ୍ତି। ହେଲେ ତାହା ପୂରଣ ହୋଇନାହିଁ। ଦ୍ବିତୀୟ କ୍ୟାମ୍ପସ ନେଇ ଯେତେବେଳେ ବି ପ୍ରଶ୍ନ ଉଠିଛି ସବୁବେଳେ ସେହି ଗୋଟିଏ ଉତ୍ତର ଜାଗା ଖୋଜା ଚାଲିଛି। କମିଟି ଗଠନ ହୋଇଛି। ତେବେ କେବେ ସୁଦ୍ଧା ଦ୍ବିତୀୟ କ୍ୟାମ୍ପସ ଚୟନ ହେବ ସେନେଇ କେହି ବି ସ୍ପଷ୍ଟ ଉତ୍ତର ଦେଇନାହାନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ନାରୀ ଶିକ୍ଷାକୁ ଗୁରୁତ୍ବ ଦିଆଯାଉଥିବା ନେଇ ବାରମ୍ବାର ରାଜ୍ୟ ସରକାର କହି ଆସୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ନାରୀ ସ୍ବାବାଲମ୍ବୀ ହେବା, ନିଜ ଗୋଡ଼ରେ ନିଜେ ଠିଆ ହେବା, ଅନ୍ୟମାନଙ୍କ ଆଦର୍ଶ ପାଲଟିବା ଭଳି ବାର୍ତ୍ତା ଦେଉଛନ୍ତି। ହେଲେ ରାଜ୍ୟର ପ୍ରଥମ ତଥା ଏକମାତ୍ର ମହିଳା ବିଶ୍ବବିଦ୍ୟାଳୟ ପ୍ରତି ଏତେ ଅଣଦେଖା କ’ଣ ପାଇଁ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି। ଦିନେ ଏହିଠାରୁ ଶିକ୍ଷାଲାଭ କରି ଅନେକ ଛାତ୍ରୀ କ୍ରୀଡ଼ାବିତ୍‌, ଅଭିନେତ୍ରୀ, ପ୍ରଶାସିକା, ଶିକ୍ଷାବିତ୍‌ ଭାବେ ଦେଶ ବିଦେଶ‌ରେ ନାଁ କମାଇଥିଲେ। ହେଲେ ଏବେକାର ସ୍ଥିତିକୁ ଦେଖିଲେ ରାଜ୍ୟରେ ନାରୀ ଶିକ୍ଷା କେମିତି ଚାଲିଛି ତାହା ଜଳ ଜଳ ହୋଇ ଦିଶୁଛି।