ଭୁବନେଶ୍ବର: ନାରୀ ହେଲେ ବି ସେ ମଣିଷ। ତେବେ କାହିଁକି ତା’ ସାମ୍ନାରେ ଏତେ କଟକଣା? କ’ଣ ପାଇଁ ସେ ନିଜ ଇଚ୍ଛାରେ ବଞ୍ଚିପାରିବନି? ସେ କାହିଁକି ସବୁ ସହିଯିବ? ନିଜ ଇଚ୍ଛାରେ ନୂଆ ସମ୍ପର୍କଟିଏ ଗଢ଼ିବାରେ ତା ଆଗରେ ବାରଣର ବାଡ଼ କାହିଁକି ଛିଡ଼ା ହେବ। ଏଇ ସବୁ ପ୍ରଶ୍ନର ଉତ୍ତର ଖୋଜିଛି ନାଟକ ‘ନିଃସହାୟ’। କେବଳ ମହିଳାଙ୍କୁ ନେଇ ଆଜି ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ମଂଚସ୍ଥ ହୋଇଥିଲା ଏହି ନାଟକ। ବିନା ପୁରୁଷରେ ଯେ ନାରୀ ଓ ସମାଜର କଟକଣାକୁ ମଂଚ ଉପରେ ଏତେ ପ୍ରାଞ୍ଜଳ ଭାବେ ଉପସ୍ଥାପିତ କରାଯାଇପାରେ ଏହା ପ୍ରମାଣିତ କରିଥିଲା ‘ୱଣ୍ଡର ଓମେନ୍’ ଅନୁଷ୍ଠାନ। ଅଭିନୟରେ ଏତେ ଅଭିଜ୍ଞତା ନଥାଇ ବି ଏହି ନାଟକରେ ନାରୀ ଜୀବନର ନିଃସହାୟତାକୁ ନିଖୁଣ ଅଭିନୟରେ ଉପସ୍ଥାପନ କରିଥିଲେ ମହିଳାମାନେ।
ବିଭିନ୍ନ କ୍ଷେତ୍ରରୁ ଆସିଥିବା ଜଣେ ଜଣେ ମହିଳା ନିଜର କାହାଣୀ ବୟାନ କରିଥିଲେ। ଶେଷରେ ସେମାନେ ପ୍ରମାଣିତ କରିଥିଲେ ମୁଁ ନିଃସହାୟ ନୁହେଁ। ମୁଁ ଅଜୟା, ବିଜୟା, ନିର୍ଭୟା। ସମାଜରେ ଅନ୍ୟମାନେ ମତେ ଯେଉଁ ଦୃଷ୍ଟିରେ ଦେଖନ୍ତୁ, ମୁଁ କିନ୍ତୁ ସେମାନଙ୍କୁ କିଛି କରି ଦେଖାଇବି। ନିରବରେ ଏହିଭଳି ବଳିଷ୍ଠ ବାର୍ତାକୁ ବୟାନ କରିଥିଲା ଏହି ନାଟକ। ସୁଜାତା ପ୍ରିୟଦର୍ଶିନୀ ଏହାର କାହାଣୀ ରଚନା ସହ ନିର୍ଦେଶନା ଦେଇଥିଲେ। ଅଭିନୟ କରିଥିଲେ ଡ. ସୁଚେତା ପ୍ରିୟବାଦିନୀ, ଡ. ଈଶା ମିଶ୍ର, ସୋନି ରଥ, ରେବତୀ ପାଣି, ଡ. ରୀତା ତ୍ରିପାଠୀ, ସଂଘମିତ୍ରା ଜେନା, ଗାର୍ଗି ଭଟ୍ଟାଚାର୍ଯ୍ୟ, ଅନ୍ନପୂର୍ଣ୍ଣା ଦାଶ, ବର୍ଷା ପଟ୍ଟନାୟକ, ପ୍ରିୟା ଲେଙ୍କା ଏବଂ ଡ. ଶ୍ରଦ୍ଧା ପାଢ଼ୀ। ପ୍ରାରମ୍ଭରେ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନିର୍ଦେଶିତ ନୃତ୍ୟାଭିନୟ ‘ନାରୀ’ରେ କୁନ୍ତି, ଦ୍ରୌପଦୀ ଓ ନିର୍ଭୟା କାହାଣୀର ଉପସ୍ଥାପନା ଦର୍ଶକଙ୍କୁ ଚମତ୍କୃତ କରିଥିଲା। ସଂଳାପ ଏବଂ ପୌରାଣିକ ଘଟଣାବଳୀର ନାଟକୀୟ ଉପସ୍ଥାପନା ବାନ୍ଧି ରଖିଥିଲା। ନାଟ୍ୟ ପରିଚାଳନାରେ ସହଯୋଗ କରିଥିଲେ ଡ. ରାଜଲକ୍ଷ୍ମୀ ରଥ, ଡ. ପ୍ରଣତି ଦାଶ, ସୀମା ପଟ୍ଟନାୟକ, ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର, ଶୁଭଲକ୍ଷ୍ମୀ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ପ୍ରାରମ୍ଭରେ ଶାଶ୍ବତୀ ବଳ ଏବଂ ଡ. ଅରୁଣ କୁମାର ରଥ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।
‘ୱଣ୍ଡର ଓମେନ୍’ର ନାଟକ ନିଃସହାୟ: ମୁଁ ନୁହେଁ ନିଃସହାୟ
/sambad/media/post_attachments/wp-content/uploads/2019/03/Untitled-9-22.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)