ଓ୍ଵଣ୍ଡର ଓମେନ୍‌ର ନାଟକ ‘ନାଁ ମୁଁ କରିପାରିବି’

ଚନ୍ଦ୍ରଶେଖରପୁର: ମହିଷାସୁରକୁ ବଧ କରିଥିବା ମା’ ଦୁର୍ଗା ଜଣେ ନାରୀ। ସୀତା ମା’ଙ୍କ ଆଖିର ଲୁହ ମହାଜ୍ଞାନୀ ରାବଣର ବିନାଶ କାରଣ ସାଜିଥିଲା। ଯଥାର୍ଥରେ କହିବାକୁ ଗଲେ, ନାରୀ ହେଉଛି ସକଳଶକ୍ତିର ଅଧିକାରିଣୀ। ସେ ଜନନୀ, ଭଗିନୀ ହୋଇ ସମାଜର ସେବା କରିଥାଏ। ମାତ୍ର ଦୁର୍ବଳ ମନେ କରି ନାରୀଜାତିକୁ ଶୋଷଣ କରିବା କିମ୍ବା ପୁରୁଷଙ୍କ ସମକକ୍ଷ ନୁହେଁ ବୋଲି ଭାବି ହେୟଜ୍ଞାନ କରିବା ଆଦୌ ଉଚିତ୍‌ ନୁହେଁ। ଏପରି ବାର୍ତ୍ତା ଦେଇଥିଲା ଓ୍ଵଣ୍ଡର ଓମେନ୍‌ ଗ୍ରୁପ୍‌ ପକ୍ଷରୁ ପରିବେଷିତ ନାଟକ ‘ନାଁ ମୁଁ କରିପାରିବି’। ନାରୀଟିଏ ତା’ ଜୀବନର ଯୁବାବସ୍ଥାରେ ସାମ୍ନା କରୁଥିବା ବିଭିନ୍ନ ବାଧାବିଘ୍ନକୁ ନେଇ ନାଟକର କାହାଣୀ ଗତିଶୀଳ। ସୁଜାତା ପ୍ରିୟଦର୍ଶନୀଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ଏହି ନାଟକରେ ସମ୍ପୂର୍ଣ୍ଣ ୧୨ଟିଯାକ ଚରିତ୍ର ନାରୀ ଚରିତ୍ର ଥିଲା। ଏକ ଚଳଚ୍ଚିତ୍ର ନିମନ୍ତେ ଅଡିସନ୍‌ ଦେବାକୁ ବିଭିନ୍ନ ସ୍ଥାନରୁ ଆସିଥିବା ମହିଳାମାନେ ଭାଷାଗତ ଓ ଚାଲିଚଳଣିର ପାର୍ଥକ୍ୟ ସତ୍ତ୍ୱେ ଏକ ମାସର ଅଭିନୟ ତାଲିମ୍‌ ପରେ କିପରି ଗୋଟିଏ ପରିବାରର ସଦସ୍ୟ ଭଳି ପରସ୍ପରକୁ ବ୍ୟବହାର କରିଛନ୍ତି, ତାହା ଏହି ନାଟକରେ ସ୍ପଷ୍ଟ ଭାବରେ ଚିତ୍ରଣ କରାଯାଇଥିଲା। ସେହିପରି ସମାଜର କ୍ରୂର ଚରିତ୍ରମାନଙ୍କ ଆଗରେ ହାର୍‌ ମାନି ଯାଇଥିବା ଜଣେ ନିରୀହ ଯୁବତୀ ମଧ୍ୟରେ ସାହସ ସଞ୍ଚାର କରାଇ କିପରି ଦୁଷ୍ଟଶକ୍ତିକୁ ପରାହତ କରାଯାଇପାରିବ, ତାହାକୁ କଳାକାରମାନେ ନିଜ ଅଭିନୟ ମାଧ୍ୟମରେ ଅତି ନିଖୁଣ ଭାବେ ଉପସ୍ଥାପନ କରିଥିଲେ। ତନୟା ପଟ୍ଟନାୟକ, ଗାର୍ଗୀ ଭଟ୍ଟାଚାର୍ଯ୍ୟ, ରେବତୀ ପାଣି, ଅରୁଣା ମହାନ୍ତି, ପ୍ରିୟା, ସୁଚେତା ପ୍ରିୟଦର୍ଶନୀ, ସଂଘମିତ୍ରା, ସୋନିଆ, ପ୍ରଣତି ଏବଂ ଅନପୂର୍ଣ୍ଣା ପ୍ରମୁଖଙ୍କ ବଳିଷ୍ଠ ଅଭିନୟ ଓ ଚମତ୍କାର ସଂଳାପ ଏହି ନାଟକଟିକୁ ଆକର୍ଷଣୀୟ କରିଥିଲା। ରେଳ ଅଡିଟୋରିୟମ୍‌ରେ ପ୍ରଦର୍ଶିତ ଏହି ନାଟକଟିକୁ ବିଭିନ୍ନ ବର୍ଗର ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ରାଜଲକ୍ଷ୍ମୀ, ଶୁଭଲକ୍ଷ୍ମୀ, ସୁଦୀପ୍ତା, ପାରମିତା ଏବଂ ରୋଜାଲିନ୍‌ ପ୍ରମୁଖ ଏହି ନାଟକ ପରିବେଷଣରେ ସହଯୋଗ କରିଥିଲେ। ମହିଳାଙ୍କୁ ଏହି ନାଟକ ମାଧ୍ୟମରେ ପ୍ରେରଣା ମିଳିବ ବୋଲି ନିର୍ଦ୍ଦେଶିକା ପ୍ରକାଶ କରିଛନ୍ତି। ଏହି ଅବସରରେ ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ମିନତି ପ୍ରଧାନ ଏବଂ ତାଙ୍କୁ ଚିକିତ୍ସା କରୁଥିବା ଏସ୍‌ସିବି ମେଡିକାଲ୍‌ କଲେଜ୍‌ର ବରିଷ୍ଠ ପ୍ଲାଷ୍ଟିକ ସର୍ଜନ୍‌ ଡ. ଚୌଧୁରୀଙ୍କୁ ଏନ୍‌ଏଚ୍‌ଆର୍‌ଡ଼ିଏନ୍‌ର ରାଜ୍ୟ ଉପସଭାପତି ଅମିୟ ପଟ୍ଟନାୟକ, ପାରମିତା ମହାପାତ୍ର ପ୍ରମୁଖ ସମ୍ବର୍ଧିତ କରିଥିଲେ। ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନୃତ୍ୟ ଦଳ ଓ କିଟ୍‌ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର