ରୋଗୀ କଲ୍ୟାଣ ସମିତି ବୈଠକରେ ଅସନ୍ତୋଷ: ବିନା ନିଲାମରେ ଗଛ, କାଠ ଓ ଆଜ୍‌ବେଷ୍ଟସ୍‌ ବିକ୍ରି

ବାଲିପାଟଣା: ବିନା ନିଲାମରେ ସ୍ବାସ୍ଥ୍ୟକେନ୍ଦ୍ର ପରିସରରୁ କଟାଯାଇଥିବା ଗଛ ବିକ୍ରି ହୋଇଛି। ଭଙ୍ଗାଘରର କାଠ ଓ ଆଜ୍‌ବେଷ୍ଟସକୁ ମଧ୍ୟ ବିନା ନିଲାମରେ ବିକ୍ରି କରାଯାଇଛି। ଏମିତିକି ବିଭିନ୍ନ ପାଣ୍ଠିରୁ ହେଉଥିବା ଖର୍ଚ୍ଚର ଠିକ୍ ହିସାବ ମଧ୍ୟ ନାହିଁ। ଏଭଳି ପୁଳାପୁଳା ଅଭିଯୋଗକୁ ନେଇ ଆଜି ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରୋଗୀ କଲ୍ୟାଣ ସମିତି ବୈଠକରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଥିଲା। ତେବେ ଏ ନେଇ କି କାର୍ଯ୍ୟା‌ନୁଷ୍ଠାନ ଗ୍ରହଣ କରାଯିବ, ତାହା ସ୍ପଷ୍ଟ ହୋଇନଥିଲା। ଆଗକୁ ଏଭଳି ନ କରିବାକୁ କେବଳ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି। ଫଳରେ ବୈଠକର ଏହି ଫଳାଫଳକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆଜି ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲିଙ୍କ ସଭାପତିତ୍ୱରେ ଏହି ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। କୋଭିଡ୍‌ କଟକଣା ପାଇଁ ମାତ୍ର ୧୦ଜଣ ସଦସ୍ୟଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟକେନ୍ଦ୍ର ବିପିଓ ତପନ କୁମାର ମଣ୍ଟୁ ୧୯-୨୦ ଆର୍ଥିକ ବର୍ଷର ଖର୍ଚ୍ଚ ହିସାବ ପଢ଼ିଥିଲେ। ଏହି କଲ୍ୟାଣ ପାଣ୍ଠିରୁ ୪ଲକ୍ଷ ୬୯ ହଜାର ୯ ଶହ ୪୬ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଜଣା ପଡ଼ିଥିଲା। ତେବେ ଉକ୍ତ ଚିଠାରେ ସ୍ୱଚ୍ଛତା ନ ଥିବା ନେଇ ବିଧାୟକ ବାରମ୍ବାର କହୁଥିଲେ। କର୍ତ୍ତୃପକ୍ଷ ମନଇଛା ଅର୍ଥ ଖର୍ଚ୍ଚ କରୁଥିବା ନେଇ ସଭ୍ୟମାନେ ଅଭିଯୋଗ ଆଣିଥିଲେ। ବାତ୍ୟା ଫନିରେ ଭାଙ୍ଗି ପଡ଼ିଥିବା ଗଛଗୁଡ଼ିକ କାଟି ସଫା କରିବାରେ ୧୦ହଜାର ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଇଥିଲା। ହେଲେ କଟା ଯାଇଥିବା ହଜାର ହଜାର ଟଙ୍କାର କାଠ କୁଆଡ଼େ ଗଲା ବୋଲି ବୈଠକରେ ପ୍ରଶ୍ନ ଉଠିଥିଲା। ଡା. ମନୋରଞ୍ଜନ ହାତୀଙ୍କ କହିବା କଥା ବହୁ ଦିନ କାଠ ପଡ଼ି ରହିଲା। କିଏ କୁଆଡେ ବୋହି ନେଲେ। ସେହିପରି ଭଙ୍ଗା ଯାଉଥିବା ଘରର ଇଟା, କାଠ, ଆଜବେଷ୍ଟସ ଭଳି ବିଭିନ୍ନ ସାମଗ୍ରୀ ଯିଏ ପାରୁଛି ସିଏ ଅବାଧରେ ବୋହି ନେଉଛି। ଡା. ହାତୀଙ୍କ କଥାକୁ ଲକ୍ଷ୍ୟ କରି ସଭ୍ୟମାନେ ଲକ୍ଷଲକ୍ଷ ଟଙ୍କାର ସରକାରୀ ଜିନିଷ ବାଟମାରଣା ହେଉଛି ବୋଲି କହିଥିଲେ। ସେହିପରି ଏସି କିଣାରେ ସ୍ୱଚ୍ଛତା ନାହିଁ ବୋଲି ବିଧାୟକ କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବାଲିପାଟଣା ବ୍ଲକ ପାନୀୟ ଜଳ ପ୍ରକଳ୍ପ ଯନ୍ତ୍ରୀ-୨ ସୁନିତା ମହାନ୍ତି, ବିଧାୟକଙ୍କ ପ୍ରତିନିଧି ପ୍ରତାପ କିଶୋର ନାୟକ, ମହମ୍ମଦ ଜାକିର୍‌ ହୁସେନ୍‌, ମେଡିକାଲ ବିଏମ୍‌ ବସନ୍ତ କୁମାର ସାହୁ, ପିଏଚ୍‌ଇଓ ଶକ୍ତିଲତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର