ୱାର୍ଡ ନଂ ୩୯: ପାର୍କ କି ମଣ୍ଡପ କିଛି ହେଲାନି

ଭୁବନେଶ୍ବର: ୨୦୧୪ ବିଏମ୍‌ସି ନିର୍ବାଚନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା କଡ଼ା ଟକ୍କର। ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନେ ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରି ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ କରିଥିଲେ। ଶେଷରେ ବିଜେଡି ପ୍ରାର୍ଥୀ ପ୍ରତିଭା ସାମନ୍ତରାୟ କଂଗ୍ରେସର ବିଷ୍ଣୁ ସାହୁଙ୍କୁ ୭୦୦ ଭୋଟରେ ପରାସ୍ତ କରିଥିଲେ। ସ୍ବାଧୀନ ପ୍ରା‌ର୍ଥୀ ମିଲନ୍‌ ପାଇକରାୟ କଡ଼ା ଟକ୍କର ମଧ୍ୟରେ ତୃତୀୟ ସ୍ଥାନରେ ରହିଥିଲେ। ଇତି ମଧ୍ୟରେ ୫ ବର୍ଷ ବିତିଛି, ୱାର୍ଡରେ କିଛି କାମ ହୋଇଥିବାବେଳେ ଆଉ କିଛି ବାକି ରହିଛି।
ଲୋକଙ୍କ କହିବା କଥା ହେଉଛି ଯେ ୱାର୍ଡରେ ଡିସ୍‌ପେନ୍‌ସରି ପ୍ରତିଷ୍ଠା ପାଇଁ ବିଭିନ୍ନ ସମୟରେ ଦାବି ହୋଇଥିଲେ ମଧ୍ୟ ତାହା ହୋଇପାରି ନାହିଁ। ପାର୍କ ବି ହୋଇ ପାରିଲାନି। ଏଠାରେ ଭଡ଼ା ଘରେ ଡାକଘର ଚାଲୁଛି। ବର୍ଷାଦିନେ ସ୍ଥାନୀୟ ବାସିନ୍ଦା ସର୍ବଦା ପାଣି ଘେରରେ ରହୁଛନ୍ତି। ପାଣି ନିଷ୍କାସନର ସ୍ଥାୟୀ ସମାଧାନ ହୋଇପାରିଲା ନାହିଁ। ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଗୁଡ଼ିକ ବିପଜ୍ଜନକ ଅବସ୍ଥାରେ ଥିଲେ ମଧ୍ୟ କିଛି କରାଗଲା ନାହିଁ। ୱାର୍ଡରେ ଥିବା ଏକମାତ୍ର ତଥା ରାଜଧାନୀର ପ୍ରମୁଖ ୟୁନିଟ୍‌-୮ କଲ୍ୟାଣ ମଣ୍ଡପକୁ ଭାଙ୍ଗି ଦିଆଯାଇଛି। ପ୍ରତିବଦଳରେ ଏକ ମଡେଲ୍‌ କଲ୍ୟାଣ ମଣ୍ଡପ କିମ୍ବା ପାର୍କ କରାଯିବ ବୋଲି ସ୍ଥାନୀୟ ଲୋକଙ୍କୁ ପ୍ରତିଶ୍ରୁତି ମିଳିଥିଲା। ଇତି ମଧ୍ୟରେ ୨ବର୍ଷ ବିତିଗଲାଣି। ନା ପାର୍କ ହେଲା ନା ମଣ୍ଡପ। କେବଳ ସ୍ବପ୍ନ ଦେଖାଗଲା। ସ୍ବପ୍ନକୁ ସା‌କାର ଦିଗରେ କର୍ପୋରେଟର୍‌ କୌଣସି ବି ପଦକ୍ଷେପ ନେଲେ ନାହିଁ। ମୁହଁ ବି ଖୋଲିଲେନି। କାହା ସ୍ବାର୍ଥରେ କଲ୍ୟାଣ ମଣ୍ଡପ ଭଙ୍ଗାଗଲା ବୋଲି ୱାର୍ଡବାସୀ ପ୍ରଶ୍ନ କରିଛନ୍ତି।

ୱାର୍ଡରେ ଯାଉଥିବା ଅଞ୍ଚଳ
ନୟାପଲ୍ଲୀ କଲ୍ୟାଣ ମଣ୍ଡପ ଅଞ୍ଚଳ, ନୂଆସାହି, ୧୨୦ ବାଟାଲିଆନ୍‌ ଅଞ୍ଚଳ, ଶାସ୍ତ୍ରୀନଗର, ଏସ୍‌ବିଆଇ କଲୋନି, କଲ୍ୟାଣୀକୃଷ୍ଣନଗର ବସ୍ତି

ରାସ୍ତାଘାଟ, ଆଲୋକୀକରଣ, ଡ୍ରେନେଜ୍‌ କାମ ହୋଇଛି
୫ବର୍ଷ ମଧ୍ୟରେ ୱାର୍ଡ‌ରେ ରାସ୍ତାଘାଟ, ଡ୍ରେନେଜ୍‌ ଓ ଆଲୋକୀକରଣ ‌କ୍ଷେତ୍ରରେ ୯୫ ପ୍ରତିଶତ କାମ ହୋଇଛି। ବସ୍ତିବାସିନ୍ଦାଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇ ଦିଆଯାଇଛି। ଡାକଘର ପାଇଁ ଜାଗା ଚିହ୍ନଟ ସରିଛି, ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ। କଲ୍ୟାଣ ମଣ୍ଡପ ସ୍ଥାନରେ ଅତ୍ୟାଧୁନିକ ମଣ୍ଡପ କିମ୍ବା ପାର୍କ ପାଇଁ ପ୍ରସ୍ତାବ ଯାଇଛି। କଲ୍ୟାଣ ମଣ୍ଡପରୁ ପାୱାରହାଉସ୍ ଛକ ଓ ଦ ୱାର୍ଲଡରୁ ମମତାଜ୍‌ ଅଲ୍ଲୀ ହାଇସ୍କୁଲ ପର୍ଯ୍ୟନ୍ତ ଡ୍ରେନ୍‌ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ପାଣି ଜମୁଛି। ଏହି ଦୁଇଟି ଡ୍ରେନ୍‌ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହାର ସମାଧାନ ଖୁବ୍‌ଶୀଘ୍ର ହେବ।
ପ୍ରତିଭା ସାମନ୍ତରାୟ, କର୍ପୋରେଟର୍‌

ଆଖି ଦୃଶିଆ କମା ହୋଇନି
ୱାର୍ଡରେ ସେମିତି କିଛି ଆଖି ଦୃଶିଆ କାମ ହୋଇନି। ରାସ୍ତାଘାଟ, ଆଲୋକୀକରଣ ଓ ଡ୍ରେନେଜ୍‌ କାମ ଅତି ନିମ୍ନମାନର ହୋଇଛି। ୱାର୍ଡର ୪୦ ଭାଗ ସ୍ବେରେଜ୍‌ କାମ କରାଯାଇଛି, ଆହୁରି ୬୦ ଭାଗ କାମ ଶେଷ ହୋଇପାରି ନାହିଁ। ବହୁ ଲୋକ ରାସନ୍‌ କାର୍ଡ ଓ ଭତ୍ତାରୁ ବଞ୍ଚିତ ହୋଇଛନ୍ତି। କେତେଜଣ ନିରକ୍ଷର ଲୋକଙ୍କ ଆଧାର କାର୍ଡ ଓ ସ୍ବାସ୍ଥ୍ୟବୀମା କାର୍ଡ ହୋଇପାରି ନାହିଁ। ଆସନ୍ତା ନିର୍ବାଚନରେ ୱାର୍ଡବାସୀ ତାହାର ଜବାବ ଦେବେ।
ମିଲନ ପାଇକ୍‌ରାୟ, ପ୍ରତିଦ୍ବନ୍ଦ୍ବୀ

ସମ୍ବନ୍ଧିତ ଖବର