ପୂଜା ପୂର୍ବରୁ କାମ ସାର, ଶନିବାର ପୁଣି ବୈଠକ

ଭୁବନେଶ୍ୱର: ପୂଜାକୁ ନେଇ ଆରମ୍ଭ ହୋଇଛି ସଜବାଜ। ଧୀରେଧୀରେ ଜମି ଆସୁଛି ଉତ୍କଣ୍ଠା ଓ ଉତ୍ସାହ। ମାତ୍ର ସଂପ୍ରତି ସହରର ବିପର୍ଯ୍ୟସ୍ତ ଅବସ୍ଥା ଦେଖି ମନ ମରି ଯାଉଛି। ଖାଲି ଲୋକେ ନୁହନ୍ତି, ପୂଜା କମିଟି ମଧ୍ୟ ଏହାକୁ ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି। ପାର୍ବଣ ପୂର୍ବରୁ ସହରର ସମସ୍ୟାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ ନିକଟରେ ପୂଜା ପେଣ୍ଡାଲ୍‌ର ସଦସ୍ୟମାନେ ନିଜ ସମସ୍ୟା ବଖାଣିଥିବା ବେଳେ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ପୂଜା ପୂର୍ବରୁ ଯେମିତି ସମସ୍ୟାଗୁଡ଼ିକର ସମାଧାନ ହୋଇପାରିବ ସେଥିପାଇଁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

ଆଜି ସନ୍ଧ୍ୟାରେ ସ୍ୱତନ୍ତ୍ର ପ୍ରଦକ୍ଷଣ ସମ୍ମିଳନୀ କକ୍ଷରେ ରାଜଧାନୀର ବିଭିନ୍ନ ପୂଜା କମିଟିର ସଦସ୍ୟମାନେ ଉପସ୍ଥିତ ରହି ସମସ୍ୟା ବାବଦରେ କହିଥିଲେ। ରାସ୍ତାର ଦୁଇ କଡ଼ରେ ଗାତ ଖୋଳା ଯାଇଥିବା ବେଳେ ତାହା ଭସାଣି ବେଳେ ସମସ୍ୟା ସୃଷ୍ଟି କରିବ। ତେଣୁ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ପୂଜା କମିଟିର ସଦସ୍ୟମାନେ ଦାବି କରିଥିଲେ। ଏନେଇ ଜିଲ୍ଲାପାଳ ଅଧିକାରୀମାନଙ୍କୁ କାମ ସାରିବାକୁ ନିର୍ଦେଶ ଦେଇଥିଲେ ମଧ୍ୟ କିଛି ଅଧିକାରୀ ଏନେଇ ନିଃସହାୟତା ପ୍ରକାଶ କରିଥିଲେ। ତେବେ ଯେଉଁଠି ରାସ୍ତା ସମସ୍ୟା, ପାନୀୟ ଜନିତ ସମସ୍ୟା, ନାଳ ସମସ୍ୟା, ସ୍ୱେରେଜ ସମସ୍ୟା ଏବଂ ବିଦ୍ୟୁତ ଜନିତ ସମସ୍ୟା ରହିଛି ସେ ସମସ୍ୟାଗୁଡ଼ିକ ତୁରନ୍ତ ସମାଧାନ କରିବା ପାଇଁ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଏଥିସହ ପୂଜା ବେଳେ ନିଶାସକ୍ତଙ୍କୁ ଧରପଗଡ଼ ଜୋର୍‌ଦାର କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସପ୍ତାହେ ଭିତରେ କାମ କେତେବାଟ ଆଗେଇଛି ଆସନ୍ତା ଶନିବାର ତା’ର ସମୀକ୍ଷା କରାଯିବ। ବୈଠକ ଡକାଯାଇ କାମର ସମୀକ୍ଷା କରାଯିବ। ଏଥିସହ ଆସନ୍ତା ବୈଠକରେ ପୁଣି ସ୍ୱେରେଜ ଓ ସ୍ମାର୍ଟସିଟି ଲିମିଟେଡ୍‌ର ଅଧିକାରୀଙ୍କୁ ଡକାଯାଇ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର