କଟକ: ପରିଶ୍ରମ କର, ନିଜ ପରିଚୟ ନିଜେ ତିଆରି କର। ହେଲେ ଏସବୁ ବ୍ୟତୀତ ପ୍ରଥମେ ଭଲ ମଣିଷ ହେବାକୁ ଚେଷ୍ଟା କର। ବିଶ୍ୱ ମାନଚିତ୍ରରେ ଓଡ଼ିଶାର ପରିଚୟ କେବେ ପଛରେ ପଡ଼ିନି। ଅନେକ ସଫଳ ଭାରତୀୟ ବିଶ୍ୱର ବିଭିନ୍ନସ୍ତରରେ କାର୍ଯ୍ୟ କରୁଛନ୍ତି। ନିଜ କାମକୁ ସବୁବେଳେ ସମ୍ମାନ ଦେବା ଓ ଭଲ ପାଇବା। ଟଙ୍କା ପଛରେ କେବେ ଦୌଡ଼ ନାହିଁ। ନିଜକୁ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚାଅ ଯାହା ଫଳରେ ଟଙ୍କା ତୁମର ପିଛା କରିବ ବୋଲି ଏସ୍ସିବି ମେଡିକାଲ କଲେଜର ପ୍ଲାଟିନମ୍ ଜୁବୁଲି ପାଳନ ଅବସରରେ ଆୟୋଜିତ ‘୭୫ରେ ୭୫’ କାର୍ଯ୍ୟକ୍ରମରେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି ପ୍ରତିଷ୍ଠିତ ଶିଳ୍ପଦ୍ୟୋଗୀ। ଏସ୍ସିବିର ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର୍ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଫ୍ୟାସନ ଡିଜାଇନର୍ ବିଭୂ ମହାପାତ୍ର, ଔଷଧ କଂପାନିର ସିଇଓ ନୁସରତ୍ ସଂଘମିତ୍ରା, ବିର୍ଲା କାର୍ବନର ସିଇଓ ଡ. ସନ୍ତୃପ୍ତ ମିଶ୍ର, ଓଏଫ୍ ବ୍ୟବସାୟିକ ପ୍ରତିଷ୍ଠାନର ସିଇଓ ଆଶିଷ ମହାପାତ୍ର ପ୍ରମୁଖ ଏଭଳି ପରାମର୍ଶ ଦେବା ସହିତ ଡାକ୍ତରୀ ପଢ଼ିବାକୁ ଚାହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏବେ ବି ଏସ୍ସିବି ପ୍ରଥମ ପସନ୍ଦ ବୋଲି କହିଥିଲେ। କାର୍ଯ୍ୟକ୍ରମକୁ ପ୍ରଫେସର୍ ଡାକ୍ତର ସଂଜୀବ ମିଶ୍ର ଓ ପ୍ରଫେସର ଡାକ୍ତର ବିଶ୍ବଜିତ୍ ସାହୁ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ପ୍ରଫେସର ଡାକ୍ତର ମୀନାକ୍ଷୀ ମହାନ୍ତି। ମୁଖ୍ୟ ଉପଦେଷ୍ଟା ଡ. ସୁବ୍ରତ ବାଗ୍ଚୀ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଏସ୍ସିବି ‘୭୫ରେ ୭୫’ କାର୍ଯ୍ୟକ୍ରମରେ ପ୍ରଖ୍ୟାତ ଶିଳ୍ପଦ୍ୟୋଗୀଙ୍କ ପରାମର୍ଶ: ପରିଶ୍ରମ କର, ପରିଚୟ ତିଆରି କର
/sambad/media/post_attachments/wp-content/uploads/2021/11/f65h654hsf65hhfsfhfh.jpg)