କରୋନା ‌‌ନେଇଗଲା ଦିନ ମଜୁରିଆଙ୍କ ‌ରୋଜଗାର, କମ୍ ପାରିଶ୍ରମିକରେ ବି କାମ ମିଳୁନି

ଚନ୍ଦ୍ରଶେଖରପୁର: ପୂର୍ବାହ୍ନ ୧୧ଟା ବାଜି ସାରିଥିଲା। ତେଣୁ ଆଉ କାମ ମିଳିବ ନାହିଁ ବୋଲି ସେମାନେ ନିଶ୍ଚିତ ହୋଇଯାଇଥିଲେ। କୋଦାଳ, କୋଡ଼ି ଓ କଡ଼େଇ ଆଦି ଉପକରଣ ମୁଣ୍ଡେଇ ନୂଆପଲ୍ଲୀ ଶ୍ରମିକ ହାଟରୁ ସାଲିଆସାହି ବସ୍ତିକୁ ଫେରିବାକୁ ବସିଥିଲେ। ସେତିକି‌ବେଳେ ଆମ ପ୍ରତିନିଧିଙ୍କ ବାଇକ୍‌ ଅଟକିବା ଦେଖି ସେମାନେ ବି ଅଟକି ଗଲେ। ବଡ଼ ଆତୁର ଦୃଷ୍ଟିରେ ଚାହିଁ ମହିଳା ଶ୍ରମିକ ରୁନୁ ସେଠୀ ପଚାରିଲେ,‘ବାବୁ, କିଛି କାମ ଅଛି କି? ମଜୁରି ଆପଣ ଭାବିଚିନ୍ତି ଦେବେ, ଆମର କିଛି ଡିମାଣ୍ଡ ନାହିଁ। ଆମକୁ କାମ ଦରକାର ବାବୁ।’ ପୁରୁଷ ଶ୍ରମିକ ବିପ୍ର ବେହେରା ମଧ୍ୟ ସମାନ କଥା ଦୋହରାଇ କାମ ଦେବା ପାଇଁ ବଡ଼ ବ୍ୟାକୁଳ ହୋଇ କହିଲେ। କିନ୍ତୁ ପରେ ଯେତେବେଳେ ଜାଣିଲେ ଯେ ଆମ ପ୍ରତିନିଧି ଖବର ସଂଗ୍ରହ କରିବାକୁ ଯାଇଛନ୍ତି, ସେମାନଙ୍କ ମୁହଁ ଶୁଖିଗଲା। ବଡ଼ ବ୍ୟଥିତ ହୋଇ ବିପ୍ର କହିଲେ, ‘ଖବରକାଗଜରେ ବାହାରିଲେ କ’ଣ ହେବ ଆଜ୍ଞା! ସରକାର ଦେଇ ଦେଇ ମୁଠାଏ ହାତଟେକା ଦେବେ। ଯାହା ମିଳିବ ସେଥିରେ ପିଲାଛୁଆଙ୍କ ପେଟ ପୂରିବନି। ଗତବର୍ଷ କ‌ରୋନା ‌ବେଳେ ଏମିତି କିଛି ମିଳିଥିଲା। କିନ୍ତୁ ଅଧା ଦିନ ଭୋକ ଉପାସରେ କଟିଥିଲା।

ନିଜ ରୋଜଗାର ପଇସାରେ ଯେମିତି ଚଳି ହେବ, ପରା ହାତଟେକାରେ କ’ଣ ସେମିତି ହବ?’ ରୁନୁ ସେଠୀଙ୍କ କହିବା କଥା ଥିଲା ଭିନ୍ନ। ଏଠାରେ ସବୁଦିନ କାମ ମିଳେନି। ଦିନେ ଦି‌ନେ କାମ ନମିଳିଲେ, ସେମାନେ ଘରକୁ ଫେରିଯାଆନ୍ତି। କିନ୍ତୁ ସଞ୍ଚିତ ଧନରେ ଚଳିଯାଆନ୍ତି। ମାତ୍ର ଏବେ କରୋନା ପୁଣି ଆରମ୍ଭ ହେବା ପରଠାରୁ ଆଉ କାମ ମିଳୁନି। ଗତ ୪ଦିନ ହେଲା ଆମେ କାମ ନପାଇ ଫେରୁଛୁ। ତେଣୁ ହାତରେ ଏମିତି କେତେ ଟଙ୍କା ସଞ୍ଚିଛୁ ଯେ ଚଳିଯିବୁ! ଘରେ ଚାଉଳ ଗଣ୍ଡାଏ ଅଛି ବୋଲି ଚଳି ଯାଉଛି। ନହେଲେ ବଜାର ଦର ଯେମିତି ବଢ଼ିଛି, ବଞ୍ଚିବା କଷ୍ଟକର ହୁଅନ୍ତା। ଆଗରୁ ଡାଲି ଓ ଖାଇବା ତେଲ ଦର ବଢ଼ିଥିଲା, ଏବେ ଆଳୁ ଦର ବି ବଢ଼ିଲାଣି। କିଲ ୧୦ ଟଙ୍କା ଥିଲା ଏବେ ୧୫ ଟଙ୍କା ହେଲାଣି। କାମ ମିଳିଲେ, କିଛି ଅସୁବିଧା ହଅନ୍ତା ନାହିଁ। ବିନା ରୋଜଗାରରେ ବଜାରର ଚଢ଼ା ଦରରେ ଚଳିବା ବଡ଼ କଷ୍ଟ ହେଉଛି। ସାଙ୍ଗରେ ଥିବା ଅନ୍ୟ ଜଣେ ମହିଳା ଶ୍ରମିକ ରମା ସ୍ବାଇଁ ଗତବର୍ଷର ଅନୁଭୂତିକୁ ବଖାଣିବାକୁ ଯାଇ କାନିରେ ଲୁହ ପୋଛି ପକାଇଥିଲେ। କାମ ନପାଇ ଖାଲି ହାତରେ ଘରକୁ ଫେରିବା ଦିନର କଥା କହିବା ବେଳେ ତାଙ୍କ କୋହ ଉଠିଥିଲା। ଉପଯୁକ୍ତ ପାରିଶ୍ରମିକ ନମିଳୁ ପଛେ, କାମ ମିଳୁ ବୋଲି ସେ କହିଥିଲେ। ମାତ୍ର ଏବେ କମ୍ ମଜୁରିରେ ବି କାମ ମିଳୁନି ବୋଲି ରମା କହିଥିଲେ। ତେଣୁ ଗତବର୍ଷ ଭଳି ହେଲେ କରୋନା ରୋଗ କ’ଣ ମାରିବ, ଆମେ ଭୋକ ଉପାସରେ ମରିଯିବୁ ବୋଲି ସେ କହିଥିଲେ। ବିପ୍ର ଜଣେ ରାଜମିସ୍ତ୍ରି।

ଦୈନିକ ୭୦୦ରୁ ୮୦୦ ଟଙ୍କା ମଜୁରି। କିନ୍ତୁ ଏବେ ସେ ହେଲ୍‌ପର କାମ ବି କରିବାକୁ ପ୍ରସ୍ତୁତ ବୋଲି କହିଥିଲେ। କାରଣ ରୋଜଗାର ନ ହେଲେ ଘରେ ଚୁଲି ଜଳିବ ନାହିଁ। ତେଣୁ ପେଟକୁ ଦାନା ଯୋଗାଡ଼ କରିବାକୁ ପ୍ରତିଦିନ ସଂଘର୍ଷ କରୁଥିବା ବିପ୍ର, ରମା, ଓ ଝୁନୁମାନେ ସାବୁନ, ସାନିଟାଇଜର ଓ ମାସ୍କ ବାବଦରେ କି ଖର୍ଚ୍ଚ କରି‌ବେ, ଏଥିରୁ ଜଳଜଳ ହୋଇ ଦେଖାଯାଉଛି। ସେମାନଙ୍କ କହିବା ଅନୁସାରେ ଏଇ କିଛି ଦିନ ହେଲା ଏହି ଶ୍ରମିକ ହାଟରୁ ୬୦ ପ୍ରତିଶତ ଦିନ ମଜୁରିଆ କାମ ନପାଇ ଫେରୁଛନ୍ତି। କରୋନା ପାଇଁ କାମ ମିଳୁନାହିଁ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର