ୱାର୍ଡ ନଂ ୫୯ ତଥାପି ବାକି

ୱାର୍ଡରେ ଆସୁଥିବା ଅଞ୍ଚଳ
ଶ୍ରୀରାମ ନଗର, ସାମନ୍ତରାପୁର, ନୂଆଗାଁ, କପିଳେଶ୍ବର, ହରିପୁର ପାଟଣା, ପାଟଣା ସାହି, ଗଙ୍ଗୁଆ ଭୋଇ ସାହି ଓ ଗ୍ୟାରେଜ୍‌ ଛକ ଅଞ୍ଚଳ
ତଥାପି ବାକି
ଭୁବନେଶ୍ୱର: ୨୦୧୪ ବିଏମ୍‌ସି ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ପରାସ୍ତ କରି ୱାର୍ଡ ନମ୍ବର ୫୯ରେ ବିଜୟର ବାନା ଉଡ଼ାଇଥିଲେ ବିଦ୍ରୋହୀ ପ୍ରାର୍ଥୀ ବିରଞ୍ଚି ନାରାୟଣ ମହାସୂପକାର। ଅବଶ୍ୟ ପରବର୍ତୀ ସମୟରେ ସେ ବିଜେଡିରେ ଯୋଗ ଦେଇଥିଲେ। ନିର୍ବାଚନ ସମୟରେ ୱାର୍ଡର ସର୍ବାଙ୍ଗୀନ ଉନ୍ନତି କରିବାକୁ ପ୍ରତିଶ୍ରୁତି ଦେଇ ଲୋକଙ୍କ ଅସ୍ଥାଭାଜନ ହୋଇଥିଲେ। କଡ଼ା ଟକ୍କର ମଧ୍ୟରେ ବିଜୟ ହାସଲ କରିଥିବା ଶ୍ରୀ ମହାସୂପକାର ୫ ବର୍ଷ ମଧ୍ୟରେ ୱାର୍ଡର ୮୦ ପ୍ରତିଶତ କାମ କରିଛନ୍ତି ବୋଲି କହୁଛନ୍ତି। କିନ୍ତୁ ଲୋକଙ୍କ କହିବା କଥା ହେଉଛି ଯେ ୱାର୍ଡରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି। ତଥାପି ଆହୁରି ବହୁତ କିଛି ବାକି ରହିଯାଇଛି। ୱାର୍ଡ ଭିତର ଦେଇ ଯାଇଥିବା ଦୟାୱେଷ୍ଟ କେନାଲର ନଳା ପାଣି କୂଅ ପୋଖରୀକୁ ନଷ୍ଟ କରୁଛି। ଦୀର୍ଘ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରିନି। ବର୍ଷା ଦିନେ ୱାର୍ଡରେ ଜଳବନ୍ଦୀ ସମସ୍ୟା ଲାଗି ରହିଛି। ଅସରାଏ ବର୍ଷା ହେଲେ ନୂଆଗାଁ ଛକରେ ପାଣି ଜମିବା ସମସ୍ୟା ଲାଗି ରହିଛି। ସେହିପରି ବିଜୟବିହାର, ରୁଦ୍ର ବିହାର ଅଞ୍ଚଳ ଓ ଶ୍ରୀରାମ ନଗର ଛକରେ ଡ୍ରେନ୍‌ ସମସ୍ୟା ଯୋଗୁଁ ସ୍ଥାନୀୟ ଅଞ୍ଚଳ ଜଳମଗ୍ନ ହୋଇଯାଉଛି। କପିଳେଶ୍ବରରେ ବଡ଼ ଡ୍ରେନ୍‌ ତିଆରି, ମନ୍ଦିରଗୁଡ଼ିକ ଆଲୋକୀକରଣ ହୋଇପାରିଲା ନାହିଁ। ସୂକ୍ଷ୍ମେଶ୍ବର ପୁଷ୍କରିଣୀ ପାଚେରି ତିଆରି ହେବାର ଗୋଟିଏ ବର୍ଷ ନ ହେଉଣୁ ଭୁଶୁଡ଼ି ପଡ଼ିଲା। ଏହି ସମସ୍ୟାଗୁଡ଼ିକର ସମାଧାନ ହୋଇପାରିନି।

ବର୍ଷା ଜଳ ନିଷ୍କାସନ ହୋଇପାରୁନି
ପରିତ୍ୟକ୍ତ ନନ୍ଦକୁଣ୍ଡ ପୁଷ୍କରିଣୀର ସଫେଇ ପାଇଁ ହାଇକୋର୍ଟଙ୍କ ନିର୍ଦେଶ ଥିଲେ ମଧ୍ୟ ପୁନରୁଦ୍ଧାର ହୋଇପାରୁନି। ସାମନ୍ତରାପୁରରୁ କପିଳେଶ୍ବରକୁ ରାସ୍ତା ପାଇଁ ଶୁଭ ଦିଆଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମୁଠାଏ ମାଟି ପଡ଼ିଲା ନାହିଁ। ୫ ବର୍ଷ ପରେ ବି ଏହି ରାସ୍ତା ସ୍ବପ୍ନରେ ରହିଗଲା। ନୂଆଗାଁ ଓ ଶ୍ରୀରାମ ନଗର ଛକରେ ବର୍ଷା ପାଣି ଜମି ରହିବା ପରି ସମସ୍ୟା ପୂର୍ବ ପରି ଲାଗି ରହିଛି। ଖରା ଦିନେ ଏହି ୱାର୍ଡରେ ପିଇବା ପାଣି ସମସ୍ୟା ସୃଷ୍ଟି ହେଉଛି। ଜଳସ୍ତର କମିବା ସହ କୂଅରୁ ଦୁର୍ଗନ୍ଧ ପାଣି ବାହାରୁଛି। ପିଏଚ୍‌ଡି ପାଣି ଯୋଗାଣରେ ଅବ୍ୟବସ୍ଥା ଦେଖାଦେଉଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଭୀଷ୍ମନାରାୟଣ ନାୟକ, ବିରୋଧୀ ପ୍ରାର୍ଥୀ

୮୦ ପ୍ରତିଶତ ସଫଳତା ମିଳିଛି
ୱାର୍ଡର ୮୦ ପ୍ରତିଶତ ବିକାଶ ହୋଇଛି। ଜମି ଅଧିଗ୍ରହଣ ହୋଇ ନ ଥିବାରୁ ସାମନ୍ତରାପୁର ଛକରୁ କପିଳେଶ୍ବର ରାସ୍ତା ବିଳମ୍ବ ହେଉଛି। ନୂଆଗାଁରେ ଜମି ରହୁଥିବା ପାଣି ନିଷ୍କାସନର ବ୍ୟବସ୍ଥା ହୋଇଛି। ଶ୍ରୀରାମ ନଗର ଛକରେ ‌ଯେଉଁ ପାଣି ଜମି ରହୁଛି, ଆସନ୍ତା ବର୍ଷକ ମଧ୍ୟରେ ତାହାର ସମାଧାନ କରାଯିବ। କପିଳେଶ୍ବର ମନ୍ଦିରକୁ ଆଲୋକୀକରଣ କରାଯାଇଛି। କପିଳେଶ୍ବର ଗ୍ରାମରେ ରାସ୍ତା ଛୋଟ ଯୋଗୁଁ ବଡ଼ ଡ୍ରେନ୍‌ର ଆବଶ୍ୟକତା ନାହିଁ। ନନ୍ଦକୁଣ୍ଡ ପୁଷ୍କରିଣୀରେ କୋର୍ଟ ମାମଲା ଥିବାରୁ ବିଳମ୍ବ ହେଉଛି। ଦୟାୱେଷ୍ଟ କେନାଲରୁ ଦଳ ବାହାର କରାଯାଇଥିଲା। ଆଗକୁ ସମସ୍ୟା ସମାଧାନ କରିବୁ।
ବିରଞ୍ଚି ନାରାୟଣ ମହାସୂପକାର, କର୍ପୋରେଟର

ସମ୍ବନ୍ଧିତ ଖବର