ରାସ୍ତା‌ରେ ଦେଖିବାକୁ ମିଳିବ ବାଉଁଶର କଳାକୃତି

ଭୁବନେଶ୍ବର: ରାତି ପାହିଲେ ଉଦ୍‌ଘାଟିତ ହେବ ହକି ବିଶ୍ବକପ୍‌। ଏହାପୂର୍ବରୁ ସହରର ସୌନ୍ଦର୍ଯ୍ୟ ବୃଦ୍ଧି‌ରେ ଲାଗି ପଡ଼ିଛନ୍ତି ଶିଳ୍ପୀ। କାନ୍ଥରେ ଚିତ୍ରଗୁଡ଼ିକୁ ଶେଷ ସ୍ପର୍ଶ ଦିଆଯାଉଥିବା ବେଳେ ବାଉଁଶର କଳାକୃତି ପାଲଟିବ ଆକର୍ଷଣ। ପାୱାର ହାଉସ୍‌ ଛକରୁ କଳିଙ୍ଗ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ରାସ୍ତା‌ରେ ଦେଖିବାକୁ ମିଳିବ ବାଉଁଶର କଳାକୃତି। ଏଥିପାଇଁ ଦିନ ରାତି ଏକ କରି ଦେଇଛନ୍ତି ଶିଳ୍ପୀ। କଳିଙ୍ଗ ଷ୍ଟାଡିୟମ୍‌ ନିକଟରେ ତିଆରି ହୋଇଥିବା ଫୁଟ୍‌ ଓଭରବ୍ରିଜ୍‌ରେ ବାଉଁଶର ଛାପ ଛାଡ଼ିବାକୁ ଉଦ୍ୟମ ହେଉଛି। ଏଥିସହ ‘ଦି ୱାର୍ଲ୍ଡ’ ସମ୍ମୁଖ ରାସ୍ତା ପାର୍ଶ୍ବରେ ବାଉଁଶର କଳାକୃତି ପ୍ରସ୍ତୁତ କରାଯାଉଛି। ରାତିରେ ଏହି ସ୍ଥାନଗୁଡ଼ିକ କିଭଳି ଆକର୍ଷଣ ପାଲଟିବ, ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଛି। କଳିଙ୍ଗ ଷ୍ଟାଡିୟମ୍‌ର ୪ ନମ୍ବର ଗେଟ୍‌ ନିକଟରେ ହୋଇଥିବା ଫୁଟ୍‌ ଓଭରବ୍ରିଜ୍‌ରେ କୁହୁକ ଗଳିର ଭ୍ରମ ସୃଷ୍ଟି କରିବାକୁ ଶିଳ୍ପୀମାନେ ଲାଗି ପଡ଼ିଛନ୍ତି। ଓଭରବ୍ରିଜ୍‌ରେ ଉକରେ ଲୁହାର ବାଡ଼ା ଦେବା ପରିବର୍ତ୍ତେ ବାଉଁଶ ଲଗାଯାଉଛି। ଉପର କାର୍ଯ୍ୟ ଆଜି ଶେଷ ହୋଇଛି। ପାହାଚ ପାର୍ଶ୍ବରେ ଆଜି ସୂତାରେ ବୁଢ଼ିଆଣି ଜାଲ ସଦୃଶ କଳାକୃତି ହେଉଛି। ପଶ୍ଚିମବଙ୍ଗର ୫୦ରୁ ଅଧିକ ଶିଳ୍ପୀ ଦିନରାତି ଏକ କରି ଲାଗି ପଡ଼ିଛନ୍ତି। ଜଣେ ଶିଳ୍ପୀଙ୍କ କହିବାନୁଯାୟୀ ହକି ଖେଳ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ଏହା ନିଆରା ଅନୁଭୂତି ଆଣିବ। ଫୁଟ୍‌ ଓଭରବ୍ରିଜ୍‌ ଚଢ଼ିବା ସମୟରେ ସେମାନେ ବୁଢ଼ିଆଣି ଜାଲ ଭିତରେ ପଶି ଯିବା ପରି ଅନୁଭବ କରିବେ। ରାତିରେ ଏଥିରେ ଲାଇଟ୍‌ ଲାଗିବ। ଏହାବ୍ୟତୀତ ଷ୍ଟାଡିୟମ୍‌ ନିକଟ‌େର ଆଉ କିଛି ସ୍ଥାନରେ ବି ବାଉଁଶ କଳାକୃତି ହେବ। ଦି ୱାର୍ଲ୍ଡ ସମ୍ମୁଖ ପାଦଚଲା ରାସ୍ତାରେ ବାଉଁଶରେ ଗଳି ହୋଇଛି। ୟୁନିଟ୍‌-୪ରେ ହୋଇଥିବା ପାର୍କିଂ ସ୍ଥାନରୁ ଷ୍ଟାଡିୟମ୍‌ ଆଡ଼କୁ ଯିବା ସମୟରେ ଏହି ବାଉଁଶ ଗଳି ଦେଇ ଯାଇପାରିବେ ଦର୍ଶକ।

ସମ୍ବନ୍ଧିତ ଖବର