ବିମାନ ବନ୍ଦରରେ ମଶାର ସର୍ବେକ୍ଷଣ ଆରମ୍ଭ, ନିକଟସ୍ଥ ବସ୍ତି ଉପରେ ସ୍ବାସ୍ଥ୍ୟ ବିଭାଗର ନଜର

ଭୁବନେଶ୍ବର: ଆ‌ସନ୍ତା ମାସରେ ହେବାକୁ ଥିବା ହକି ବିଶ୍ବକପ୍‌ ସମୟରେ ମଶା ଜନିତ ରୋଗକୁ ନିୟନ୍ତ୍ରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବିମାନ ବନ୍ଦରରେ କେଉଁ ପ୍ରକାର ମଶାର ଉପସ୍ଥିତି ରହିଛି ଓ ଏହାର ନିୟନ୍ତ୍ରଣ ପାଇଁ କି ପଦକ୍ଷେପ ନିଆଯିବ, ସେଥିପାଇଁ ସର୍ବେକ୍ଷଣ ଆରମ୍ଭ ହୋଇଛି। ନିକଟରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଏପରି ସର୍ବେକ୍ଷଣ କରିଛନ୍ତି। ତେବେ ବିମାନବନ୍ଦର ନିକଟରେ ଥିବା ବସ୍ତି ଉପରେ ସ୍ବାସ୍ଥ୍ୟ ବିଭାଗ ନଜର ରଖିଛି। ଏହି ଅଞ୍ଚଳ‌େର ଥିବା ଲୋକମାନଙ୍କୁ ମଶାବଂଶ ବୃଦ୍ଧି ରୋକିବା ଦିଗରେ ସଚେତନ କରାଯିବା ନେଇ ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ, ଚଳିତ ବର୍ଷ ରାଜଧାନୀରେ ଶହ ଶହ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଜିଲ୍ଲାସ୍ତରରେ ଯେତିକି ସଂଖ୍ୟକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି, ରାଜଧାନୀରେ ତା’ଠାରୁ ଅଧିକ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ଚନ୍ଦ୍ରଶେଖରପୁର, ନୂଆପଲ୍ଲୀ ଅଞ୍ଚଳରେ ଅଧିକ ମାତ୍ରାରେ ଆକ୍ରାନ୍ତ ନଜରକୁ ଆସିଛନ୍ତି। ଯଦିଓ ଏବେ ରାଜଧାନୀରେ ଡେଙ୍ଗୁ ସଂଖ୍ୟା କମିଛି, ତଥାପି ନିୟନ୍ତ୍ରଣକୁ ଆସି ନାହିଁ। ଏଭଳି ପରିସ୍ଥିତିରେ ହକି ବିଶ୍ବକପ୍ ସମୟରେ ଏହି ପରିସ୍ଥିତି ପୁନର୍ବାର ନ ଉପୁ‌ଜେ, ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇ ଉଠିଛି। ଗତ ଅଗଷ୍ଟ ମାସରେ ସେଣ୍ଟ୍ରାଲ କ୍ରସ୍ ଚେକିଂ ଅର୍ଗନାଇଜେସନ୍ ବା ସିସିଓ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ କେଉଁ ପ୍ରକାର ମଶା ରହିଛନ୍ତି, ତାହା ଜାଣିବା ପାଇଁ ସର୍ବେକ୍ଷଣ କରାଯାଇଥିଲା। ଏଥିରେ ଡେଙ୍ଗୁ ମଶାର ଉପସ୍ଥିତି ରହିଥିବା ଜଣା ପଡ଼ିଥିଲା। ଏ ନେଇ ସଂସ୍ଥା ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ‌ଦିଆଯାଇଥିଲା। ଏହା ମଧ୍ୟରେ ୨ ମାସ ବିତିଗଲାଣି। ତେଣୁ ଏବେ ବିମାନବନ୍ଦରରେ କେଉଁ ପ୍ରକାରର ମଶାର ଉପସ୍ଥିତି ରହିଛି, ତାହା ଜାଣିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଉ ଥରେ ସର୍ବେକ୍ଷଣ ଆରମ୍ଭ ହୋଇଛି। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ହକି ବିଶ୍ବକପ୍‌ ପାଇଁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖେଳାଳି ଓ ବ୍ୟକ୍ତିବିଶେଷ ଆସୁଛନ୍ତି। ତେଣୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ବିମାନବନ୍ଦରରେ କୀଟ ବା ମଶାର ଉପସ୍ଥିତି ନେଇ ସର୍ବେକ୍ଷଣ କରାଯାଇଛି। ସ୍ବାସ୍ଥ୍ୟ ବିଭାଗର ଏଣ୍ଟୋମୋଲୋଜିଷ୍ଟ ବା କୀଟ ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍ ବିମାନ ବନ୍ଦରରେ କାର୍ଯ୍ୟ ଆରମ୍ଭ କରିଛି। ସେହିପରି ଆସନ୍ତାକାଲିଠାରୁ କୀଟ ସଂଗ୍ରହ ଆରମ୍ଭ ହେବ। ଏହାସହ ବିମାନ ବନ୍ଦର ପରିସରର କେଉଁ କେଉଁ ସ୍ଥାନରେ ମଶାବଂଶ ବୃଦ୍ଧି ନେଇ ସ୍ଥାନ ରହିଛି ଓ ଯେଉଁ ମଶା ଅଛନ୍ତି, ସେମାନେ ସଂକ୍ରମିତ କି ନୁହେଁ, ତାହାର ଚିହ୍ନଟ କରାଯିବ। ପରେ ସଂଗୃହୀତ ରିପୋର୍ଟର ତର୍ଜମା କରାଯିବ। ମଶାବଂଶକୁ ନଷ୍ଟ କରିବା ପାଇଁ‌ କେଉଁ ପ୍ରକାର ପଦକ୍ଷେପ ନିଆଯିବ, ସେ ସଂପର୍କରେ ନଗର ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା ହେବ। ଆସନ୍ତା ୭ଦିନ ଭିତରେ ଏଥିପାଇଁ ପଦକ୍ଷେପ ନିଆଯିବ। ତେବେ‌ ବିମାନବନ୍ଦର ସହ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ବସ୍ତିଗୁଡ଼ିକରେ କିଭଳି ମଶାବଂଶର ବିସ୍ତାର ନ ହେବ, ସେଥିପାଇଁ ସଚେତନ କରାଯିବ। ଅଦରକାରୀ ଟାୟାର, ଖାଲଖମା ନ ରଖିବା ସହ ଲୋକମାନେ କିଭଳି ଅଧିକ ଦିନ ପର୍ଯ୍ୟନ୍ତ ପାଣି ଜମା ନ ରଖିବେ ଓ ମଶାରି ବ୍ୟବହାର କରିବା ଉଚିତ୍ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର