ରାସ୍ତାକଡ଼ରେ ଏୟାରଟେଲ୍‌ ଟେଲିସୋନିକ୍‌ର ଖୁଣ୍ଟ ପୋତା ପ୍ରସଙ୍ଗ: ପୂର୍ତ୍ତ ବିଭାଗର ନୋଟିସ୍‌ ପରେ ବନ୍ଦ ହେଲା

ଭୁବନେଶ୍ୱର : ସହରରେ ଏୟାର‌ଟେଲ୍‌ ଟେଲିସୋନିକ୍‌ ସଂସ୍ଥା ଖୁଣ୍ଟ ପୋତିବା ଘଟଣା‌ରେ ପୂର୍ତ୍ତ ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ପୂର୍ତ୍ତ ବିଭାଗ ଭୁବନେଶ୍ବର(ଆର୍‌ ଆଣ୍ଡ୍‌ ବି) ଡିଭିଜନ୍‌-୩ ଅଧୀକ୍ଷଣ ଯନ୍ତ୍ରୀ ସଂସ୍ଥାକୁ ନୋଟିସ୍‌ କରିବା ପରେ ଏହି ଖୁଣ୍ଟ ପୋତା ବନ୍ଦ ହୋଇଛି। କିନ୍ତୁ ଏହା ପରର କାର୍ଯ୍ୟାନୁଷ୍ଠାନ କ’ଣ ହେବ, ସେ ନେଇ କାହା ପାଖରେ କିଛି ଉତ୍ତର ନାହିଁ। ଅପରପକ୍ଷେ ସଂପୃକ୍ତ ଘରୋଇ ସଂସ୍ଥା ଖୁଣ୍ଟ ପୋତିବା ପାଇଁ ବିଏମ୍‌ସି ପାଖରୁ ବିଧିବଦ୍ଧ ଅନୁମତି ନେଇଥିବାରୁ ସେ ଏବେ ‌କୋର୍ଟର ଆଶ୍ରୟ ନେବାକୁ ସଜବାଜ ହେଉଛି। ଅପରପକ୍ଷେ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌)ର ବାରଣ ସତ୍ତ୍ବେ ବିଏମ୍‌ସିର ଯେଉଁ ଅଧିକାରୀ ଖୁଣ୍ଟ ପୋତିବାକୁ ଅନୁମତି ଦେଲେ, ତାଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ବାବଦରେ ବିଏମ୍‌ସି ମୁହଁ ମଧ୍ୟ ଖୋଲୁ ନାହିଁ।

ସୂଚନାଯୋଗ୍ୟ, ରାସ୍ତା ଖୋଳି କିମ୍ବା ଖୁଣ୍ଟ ପୋତି ମୁଣ୍ଡ ଉପରେ ତାର ନେବା ପାଇଁ କୌଣସି ସଂସ୍ଥାକୁ ଅନୁମତି ନ ଦେବାକୁ ଗତବର୍ଷ ସେପ୍ଟେମ୍ବରରେ ବିଏସ୍‌ସିଏଲ୍‌ ସିଇଓ ବିଏମ୍‌ସିକୁ ଚିଠି ଲେଖି ଜଣାଇଥିଲେ। ସେହି ମାସ ଗୃହ ଓ ନଗର ଉନ୍ନୟନ ବିଭାଗ ମଧ୍ୟ ଆଇଟି, ପୂର୍ତ୍ତ ଓ ଅନ୍ୟ ବିଭାଗଗୁଡ଼ିକୁ ଚିଠି ଲେଖି ଏ ସଂପର୍କରେ ଅବଗତ କରାଇଥିଲେ। କିନ୍ତୁ ଏସବୁ ସତ୍ତ୍ବେ ବିଏମ୍‌ସି ଡେପୁଟି କମିସନର (ରାଜସ୍ବ) ଗତ ଡିସେମ୍ବର ୨ ତାରିଖରେ ଏୟାରଟେଲ୍‌ ଟେଲିସୋନିକ୍‌ ନେଟ୍‌ୱର୍କଠାରୁ ୨୨ ଲକ୍ଷ ୩୦ ହଜାର ୫୦୦ ଟଙ୍କା ଜମା ରଖି ସହର ସାରା ୮୯୨୨ ଖୁଣ୍ଟି ପକାଇବାକୁ ଅନୁମତି ଦେଇଛନ୍ତି। ଏହି ଅନୁମତି ଆଧାରରେ ସଂସ୍ଥା ନୀଳାଦ୍ରିବିହାର ଅଞ୍ଚଳରେ ଖୁଣ୍ଟ ପକାଇବା ଆରମ୍ଭ କରିବାରୁ କଥା ପଦାକୁ ଆସିଥିଲା। ଏ ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ପୂର୍ତ୍ତ ବିଭାଗ ଏହାକୁ ଗୁରୁତ୍ବର ସହ ନେଇଛି।

ସମ୍ବନ୍ଧିତ ଖବର