ଭୁବନେଶ୍ୱର: ବହୁ ବର୍ଷର ବ୍ୟବଧାନ ପରେ ପୂର୍ତ୍ତ ବିଭାଗର ଗ୍ରାଚୁଇଟି ସମ୍ବନ୍ଧୀୟ ନଥିରେ ଅର୍ଥ ବିଭାଗ ମୋହର ଲଗାଇଛି। ଏହାଦ୍ବାରା ପୂର୍ତ୍ତ ବିଭାଗ ସହ ଜାତୀୟ ରାଜପଥ ବିଭାଗର ୩୪୩୪ଜଣ କାର୍ଯ୍ୟରତ ଓ ଅବସରପ୍ରାପ୍ତ ୱାର୍କଚାର୍ଜଡ୍ କର୍ମଚାରୀ ଲାଭବାନ ହେବେ। ଆଜି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପୂର୍ତ୍ତ ଅବସରପ୍ରାପ୍ତ ୱାର୍କଚାର୍ଜଡ୍ ରେଗୁଲାର କର୍ମଚାରୀ ସଂଘ ଏହି ସୂଚନା ଦେଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସଂଘ ସ୍ବାଗତ ଜଣାଇବା ସହ କୃତଜ୍ଞତା ଜଣାଇଛି।

Advertisment

ଓଡ଼ିଶା ପୂର୍ତ୍ତ ଅବସରପ୍ରାପ୍ତ ୱାର୍କଚାର୍ଜଡ୍ ଓ ରେଗୁଲାର କର୍ମଚାରୀ ସଂଘ ଓ ଓଡ଼ିଶା ୱାର୍କସ ଡିପାର୍ଟମେଣ୍ଟ ୱାର୍କଚାର୍ଜଡ୍ ଓ ରେଗୁଲାର କର୍ମଚାରୀ ସଂଘର ମିଳିତ ଆନୁକୂଲ୍ୟରେ ସଂଘର ସାଂଗଠନିକ ସଭା ୟୁନିଟ୍-୫ସ୍ଥିତ କର୍ମଚାରୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଜେପି ବରିଷ୍ଠ ନେତା ପ୍ରିୟଦର୍ଶୀ ମିଶ୍ରୀ, ଜଗନ୍ନାଥ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସଂଗଠନର ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଅଶୋକ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ୨୫ରୁ ଅଧିକ ଜିଲ୍ଲାର ପ୍ରତିନିଧି ଯୋଗ ଦେଇଥିଲେ। ସାଧାରଣ ସମ୍ପାଦକ ଅରୁଣ ପରିଡ଼ା ବିବରଣୀ ପାଠ କରିଥିଲେ। ରଘୁନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଉପଦେଷ୍ଟା ଗଗନ ବିହାରୀ ଭଜ୍ଞ କହିଛନ୍ତି, ଅର୍ଥ ବିଭାଗ ଗ୍ରାଚୁଇଟି ସମ୍ବନ୍ଧୀୟ ନଥି ବହୁବାର ଫେରାଇବା ପରେ ଶେଷରେ ଅନୁମୋଦନ କରିଛି। ଚଳିତ ମାସ ଦ୍ବିତୀୟ ସପ୍ତାହରେ ଅର୍ଥ ବିଭାଗ ଏଥିରେ ମୋହର ମାରିଛି। ଏହା ଉପରେ ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ ଓ ପୂର୍ତ୍ତ ବିଭାଗ ପକ୍ଷରୁ ଗ୍ରାଚୁଇଟି ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ। ନିର୍ମାଣ ବିଭାଗ ସହ ପୂର୍ତ୍ତ ବିଭାଗର ଅବସରପ୍ରାପ୍ତ ୱାର୍କଚାର୍ଜଡ୍ କର୍ମଚାରୀମାନେ ଡିଏଲ୍ଆର୍‌ ନିଯୁକ୍ତି ସମୟରୁ ୱାର୍କଚାର୍ଜଡ୍ ଚାକିରି ପର୍ଯ୍ୟନ୍ତ ପିଜି ଆଇନ-୧୯୭୨ ନିୟମ ଅନୁସାରେ ଗ୍ରାଚୁଇଟି ପାଇବେ। ହିସାବ କଲେ, ଗ୍ରୁପ୍-ସି କର୍ମଚାରୀ ୭ରୁ ୮ଲକ୍ଷ ଓ ଗ୍ରୁପ୍-ଡି କର୍ମଚାରୀ ୬ରୁ ୭ଲକ୍ଷ ଟଙ୍କା ପାଇବେ। ଏ ବାବଦରେ ଜାତୀୟ ରାଜପଥ ଓ ପୂର୍ତ୍ତ ବିଭାଗର ଅବସରପ୍ରାପ୍ତ ୱାର୍କଚାର୍ଜଡ୍ କର୍ମଚାରୀଙ୍କ କ୍ଷେତ୍ରରେ ପ୍ରାୟ ୯୨ କୋଟି ଟଙ୍କା ଖର୍ଚ୍ଚ ହେବ। କେବଳ ପୂର୍ତ୍ତ ବିଭାଗର ଅବସରପ୍ରାପ୍ତ ୱାର୍କଚାର୍ଜଡ୍ କର୍ମଚାରୀଙ୍କ ପାଇଁ ସରକାରଙ୍କୁ ପ୍ରାୟ ୯୦ କୋଟି ଟଙ୍କା ରାଜକୋଷରୁ ଭରଣା କରିବାକୁ ପଡ଼ିବ। ଅବସରପ୍ରାପ୍ତ ଓ କାର୍ଯ୍ୟରତ କର୍ମଚାରୀଙ୍କୁ ମିଶାଇଲେ, ପ୍ରାୟ ୧୭୧ କୋଟି ଟଙ୍କା ଖର୍ଚ୍ଚ ହେବ। ଶ୍ରୀ ଭଜ୍ଞ କହିଛନ୍ତି, ଗ୍ରାମ୍ୟ ଉନ୍ନୟନ ବିଭାଗର ୱାର୍କଚାର୍ଜଡ୍ କର୍ମଚାରୀ ପ୍ରଦୀପ କୁମାର ପାଣିଗ୍ରାହୀ ଗତ ଜୁଲାଇ ୨୪ ତାରିଖ ସୁପ୍ରିମକୋର୍ଟଙ୍କ ଆଦେଶ ବଳରେ ବର୍ତ୍ତମାନ ପେନ୍‌ସନ୍‌ଭୋଗୀ କର୍ମଚାରୀର ମାନ୍ୟତା ପାଇଛନ୍ତି। ଆହୁରି ୧୨୨ଜଣ ୱାର୍କଚାର୍ଜଡ୍ କର୍ମଚାରୀ ସୁପ୍ରିମକୋର୍ଟଙ୍କ ଆଦେଶ ପାଇ ପେନ୍‌ସନ୍‌ ଅପେକ୍ଷାରେ ଅଛନ୍ତି। ୧୨୨ଜଣଙ୍କ ଭଳି ପୂର୍ତ୍ତ ବିଭାଗର ୩ହଜାରରୁ ଉର୍ଦ୍ଧ କର୍ମଚାରୀ କିପରି ପେନ୍‌ସନ୍‌ ପାଇବେ, ରାଜ୍ୟ ସରକାର ଉଚ୍ଚସ୍ତରୀୟ ବୈଠକ ଡକାଇ ନିଷ୍ପତ୍ତି ନିଅନ୍ତୁ ବୋଲି ସଂଘ ଅନୁରୋଧ କରିଛି।