ବାଲିପାଟଣା: ଅଠାନ୍ତର ବନମାଳୀପୁର ରାସ୍ତାର ନୂଆଗାଁ ନିକଟରେ ଗତକାଲି ସ୍କୁଲ ପାଚେରି ଭାଙ୍ଗି ୨ ଶ୍ରମିକଙ୍କ ମୃତ୍ୟୁ ଘଟଣା ପରେ ଆଜି ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ ଘଟଣା ସ୍ଥଳ ଅନୁଧ୍ୟାନ କରିଛନ୍ତି। ସେଠାରେ ଗ୍ରାମବାସୀ, ରାଜସ୍ୱ କର୍ମଚାରୀ ଓ ପୁଲିସ ଅଧିକାରୀଙ୍କ ସହ ବିଧାୟକ ଘଟଣା ସଂପର୍କରେ ଆଲୋଚନା କରିଥିଲେ। ଏଥିସହିତ ଆମ୍ବୁଲାନ୍ସ ନ ମିଳିବା ଏବଂ ଜେସିବିରେ ଗୁରୁତରଙ୍କୁ ହସ୍ପିଟାଲ ନେବା ଘଟଣାକୁ ବିଧାୟକ ନିନ୍ଦା କରିଛନ୍ତି। ଏହି ଘଟଣାରେ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପୁଲିସ ସହ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ ରାସ୍ତା କାମ ବନ୍ଦ ରଖିବାକୁ ସ୍ଥାନୀୟ ଲୋକେ ବିଧାୟକଙ୍କୁ ଦାବି କରିଛନ୍ତି। ମୃତ ଶ୍ରମିକଙ୍କ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୁଲିସ ନିଜଆଡୁ ଠିକାଦାରଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଆଇଆଇସି ସୂର୍ଯ୍ୟାଂଶୁ ଶେଖର ପାଢ଼ୀ ସୂଚନା ଦେଇଛନ୍ତି। 

Advertisment

ଏହି ଘଟଣା ‌ପରେ ବେଙ୍ଗବତୀ ସରକାରୀ ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ଭୟଭୀତ ହୋଇପଡ଼ିଛନ୍ତି। ଶିଶୁବାଟିକା ସହ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୭୬ ଜଣ ଛାତ୍ରଛାତ୍ରୀ ଥିଲା ବେଳେ ଆଜି ମାତ୍ର ୨୩ଜଣ ଆସିଥିଲେ। ଅପରପକ୍ଷେ ଠିକା ସଂସ୍ଥା ପ୍ରଶାସନ ନିର୍ଦ୍ଦେଶକୁ ଖୋଲା ଉଲ୍ଲଂଘନ କରିଥିବା ଜଣାପଡ଼ିଛି। ବିଦ୍ୟାଳୟ ସାମ୍ନାରେ ୬୦ ଫୁଟ ଚଉଡ଼ା ସରକାରୀ ଜମି ରହିଛି। ରାସ୍ତା ପାଇଁ ଏହା ଯଥେଷ୍ଟ। ସେହି ସ୍ଥାନରେ ସ୍କୁଲ ଏବଂ ମସଜିଦ ଥିବା କାରଣରୁ ଲୋକେ ବଙ୍କାଣି ରାସ୍ତା କୁ ସିଧା କରିବାକୁ ଦାବି କରିଥିଲେ। ସ୍କୁଲ ପାଚେରିଠାରୁ କିଛି ଦୂରରେ ଡ୍ରେନ୍‌ ନିର୍ମାଣ ପାଇଁ ତହସିଲଦାର ନିର୍ଦେଶ ଦେଇଥିଲେ। ସେଥିପାଇଁ ରାଜସ୍ୱ କର୍ମଚାରୀ ଜମି ମାପଚୁପ କରିଥିବା ଜଣାପଡ଼ିଛି। କିନ୍ତୁ ପ୍ରଶାସନ ନିର୍ଦ୍ଦେଶକୁ ଅବମାନ କରି ଠିକା ସଂସ୍ଥା ତରଫରୁ ବିପଦପୂର୍ଣ୍ଣ ଭାବେ ସ୍କୁଲ ପାଚେରିକୁ ଲାଗି ଡ୍ରେନ୍‌ ଖୋଳା ହେଉଥିଲା। ସ୍ଥାନୀୟ ଲୋକେ ଏହାକୁ ବାରଣ କରିଥିଲେ। ହେଲେ ଠିକା ସଂସ୍ଥାର କର୍ମଚାରୀ ଏହାକୁ ବେଖାତିର କରିବାରୁ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। 

ସୂଚନାଯୋଗ୍ୟ, ଗତକାଲି ନିର୍ମାଣାଧୀନ ଡ୍ରେନ୍‌ରେ ବାଲି ପଡୁଥିବା ସମୟରେ ପାଚେରି ଭୁଶୁଡ଼ି ପଡ଼ିବା ସହ ତିନିଜଣ ଶ୍ରମିକ ପଥରେ ତଳେ ରହିଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ ଆମ୍ବୁଲାନ୍ସ ନଆସିବାରୁ ଆହତଙ୍କୁ ଜେସିବି ଡାଲାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯିବା ଘଟଣା ଚାରିଆଡ଼େ ଆଲୋଡ଼ନ ସୃଷ୍ଟି କରିଥିଲା। ତେବେ ମୃତକଙ୍କ ପରିବାର ପକ୍ଷରୁ ‌ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଆଇଆଇସି ଶ୍ରୀ ପାଢ଼ୀ ଜଣାଇଛନ୍ତି।